ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ସୁଦ୍ଧା ଏକ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହିତ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ରବିବାର ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ସମ୍ବଲପୁର, ସୋନପୁର ଓ ବୌଦ୍ଧର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୋମବାର ଅନେକ ସ୍ଥାନରେ ସମାନ ସ୍ଥିତି ସୃଷ୍ଟି ହେବା ସହ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର କହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଓ ଏହା ମୌସୁମୀକୁ ସକ୍ରିୟ କରି ୨୭ ପର୍ଯ୍ୟନ୍ତ ବର୍ଷା କରାଇବ। ଏହି ଲଘୁଚାପଟି କ୍ରମଶଃ ଘନୀଭୂତ ହୋଇ ଉତ୍ତର ଭାରତକୁ ଗତି କରି ସେଠାରେ ମୌସୁମୀ ବର୍ଷା କରାଇବ। ୨୭ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୪୦-୬୦ ମିମି ବର୍ଷା ହୋଇପାରେ। ୨୫ରେ ଆଭ୍ୟନ୍ତରୀଣ ଦକ୍ଷିଣରେ ମଧ୍ୟମରୁ ଭାରି ବର୍ଷାର ସମ୍ଭାବନା ଥିବା ବେଳେ କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଓ ବରଗଡ଼ରେ ୨୫-୨୭ ମଧ୍ୟରେ ଭଲ ବର୍ଷା ହୋଇପାରେ।
ଜିଏଫ୍ଏସ୍ ମଡେଲ୍ କହୁଛି ଯେ ୨୮ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହେବ ଓ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼଼ିବ। ତେବେ ଇସିଏମଡବ୍ଲୁଏଫ୍ ମଡେଲ୍ କହୁଛି ଯେ ୨୮-୩୦ ଭିତରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ି ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ଥିବା ନେଇ ପ୍ରଫେସର ପଶୁପାଳକ କହିଛନ୍ତି।