ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବାଂଲାଦେଶ ଓ ଗାଙ୍ଗେୟ ଉପତ୍ୟକାରେ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ପରବର୍ତ୍ତୀ ୩ ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଶନିବାର ଢେଙ୍କାନାଳ, କଟକ, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର […]

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବାଂଲାଦେଶ ଓ ଗାଙ୍ଗେୟ ଉପତ୍ୟକାରେ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ପରବର୍ତ୍ତୀ ୩ ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଶନିବାର ଢେଙ୍କାନାଳ, କଟକ, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରେଫସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଶୁକ୍ରବାର ସକାଳେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବଙ୍ଗଲାଦେଶ ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଅପରାହ୍ନ ୩ଟା ସମୟରେ ଏହା କୋଲକାତା ଓ ସାଗର ଦ୍ୱୀପ ମଧ୍ୟମରେ ରହିଥିଲା। ଆଜି ଜାମସେଦପୁର ଓ ରାଉରକେଲା ମଧ୍ୟରେ ସମ୍ଭବତଃ ଏହା ଅବପାତର ରୂପ ନେବ ଏବଂ ରବିବାର ଏହା ମଧ୍ୟପ୍ରଦେଶ ଉପରେ ରହିବ। ଏହାଫଳରେ ରାଜ୍ୟରେ ୨୪ ଘଣ୍ଟା ଏବଂ ପଶ୍ଚିମ ଓଡ଼ିଶାରେ ୩୬ ଘଣ୍ଟା ବର୍ଷା ହୋଇପାରେ। ଶନିବାର ମଧ୍ୟାହ୍ଣ ପରେ କେନ୍ଦ୍ରୀୟ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ଛାଡ଼ିବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସେହିପରି ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଆଦି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପଶ୍ଚିମ ଓଡ଼ିଶା ଓଡ଼ିଶାରେ ବିଶେଷ କରି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ କଳାହାଣ୍ଡି ସହିତ ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। ଗଜପତି, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ନୟାଗଡ଼ ଓ ଉପକୂଳ ଗଞ୍ଜାମରେ କାଁ ଭାଁ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ରବିବାର ଓ ସୋମବାର ଦିନ ରାଜ୍ୟରେ ବିଶେଷ ବର୍ଷା ନ ଥିବା ବେଳେ ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପ (୧୫ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ। ତେବେ ୩୦ରେ ସମ୍ଭବତଃ ବର୍ଷା କିଛି ବଢ଼ିବ। ମାସ ଶେଷ ସୁଦ୍ଧା ରାଜ୍ୟରେ ହାରାହାରି ସମୁଦାୟ ବର୍ଷା ୪୫-୫୦ ମିମି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସମ୍ପ୍ରତି ଲଘୁଚାପ ଯୋଗୁଁ ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି। କୋରାପୁଟ ୫୭, ଯାଜପୁରରେ ୪୫, ନବରଙ୍ଗପୁର ୪୫, ସମ୍ବଲପୁର ୨୭ ଓ ବାରିପଦାରେ ୨୧ ମିମି ବର୍ଷା ଅନୁଭୂତ ହୋଇଛି।

About The Author: The Sakala