ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ଭୁବନେଶ୍ୱର: ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ, ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ସୁଦୃଢ଼ ଲଘୁଚାପ କ୍ଷେତ୍ର ସକ୍ରିୟ ରହିବା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସିଷ୍ଟମ୍ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡକୁ ଗତି କରିବାର ସମ୍ଭାବନା ରହିଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରାଜ୍ୟର ୬ଟି ଜିଲ୍ଲା ଯଥା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଓଡ଼ିଶାର ଅବଶିଷ୍ଟ ୨୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଯେଉଁଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଲଗାଣ ବର୍ଷା କାରଣରୁ ବିଶେଷ କରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ନଦୀ ଏବଂ ଜଳାଶୟଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରବଣ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଭୂସ୍ଖଳନ ଓ ବନ୍ୟା ଆଶଙ୍କା ଥିବା ଅଞ୍ଚଳର ଲୋକମାନଙ୍କୁ ସରକାରୀ ପରାମର୍ଶ ମାନିବା ସହ ଯାତାୟାତ ସମୟରେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। 

ସେପଟେ ମାସେ ପୂର୍ବରୁ ପୂରଣ ହୋଇଛି ମୌସୁମୀ କୋଟା । ସେପ୍ଟେମ୍ବର ମାସ ସୁଦ୍ଧା ଯେତିକି ବର୍ଷା ହେବାର ଥିଲା ଏହାର ମାସକ ପୂର୍ବରୁ ମୌସୁମୀ ବର୍ଷାର କୋଟା ପୂରଣ ହୋଇଛି । ଅର୍ଥାତ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ୧୧୫୪.୩ ମିଲିମିଟର ମୌସୁମୀ ବର୍ଷା ରେକର୍ଡ ହୋଇଛି। ଯାହାକି ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ୧୧୫୦.୨ ମିଲିମିଟରକୁ ଅତିକ୍ରମ କରିଛି । 

About The Author: Madhusudan Das