ପ୍ରବଳ ବର୍ଷା: ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କଲା ପ୍ରଶାସନ

ଭଦ୍ରକ: ପ୍ରବଳ ବର୍ଷା ପାଇଁ ଭଦ୍ରକରେ ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ୍‌ ଛୁଟି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳଙ୍କ ଘୋଷଣା

ଲଗାତାର ଭାବେ ବର୍ଷା ଲାଗି ରହିଥିବାରୁ ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯେଉଁ ବିଦ୍ୟାଳୟଗୁଡ଼ିକ କେନ୍ଦ୍ରୀୟ ରୋଷେଇଶାଳା ବା ସେଣ୍ଟ୍ରାଲ କିଚେନ ମଡେଲ୍ ଅଧୀନରେ ଆସୁଛନ୍ତି, ସେଗୁଡ଼ିକ କେବଳ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ ପାଇଁ ଖୋଲା ରହିବ। ଖାଦ୍ୟ ପ୍ରଦାନ କରାଯିବା ପରେ ସେଠାରେ ମଧ୍ୟ ଶୈକ୍ଷିକ କାର୍ଯ୍ୟକଳାପ ବନ୍ଦ ରଖାଯିବ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ଦିନରେ ଏହି ଘୂର୍ଣ୍ଣିବଳୟ ଏକ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି, ଯାହା ଫଳରେ ସମଗ୍ର ରାଜ୍ୟରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

About The Author: Madhusudan Das