ଏ ବର୍ଷ ଅସହ୍ୟ ତାତିରେ ଛଟପଟ ହେବେ ରାଜ୍ୟବାସୀ, ଟାଣ ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ

ଭୁବନେଶ୍ୱର: ଏଥର ଅସହ୍ୟ ତାତିରେ ଛଟ ପଟ ହେବେ ରାଜ୍ୟବାସୀ। ଟାଣ ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ। ପୁଣି ତାହା ସହ ବାରମ୍ବାର ଗ୍ରୀଷ୍ମ ପ୍ରବାହ (ହିଟ୍‌‌ ୱେଭ୍‌‌) ସ୍ଥିତି। କେବଳ ଦିନରେ ନୁହେଁ ରାତିରେ ବି ଗରମ ଗୁଳୁଗୁଳିରେ ଲୋକଙ୍କୁ ନିସ୍ତାର ମିଳିବ ନାହିଁ। ଆସନ୍ତା ମାର୍ଚ୍ଚ-ମେ’ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁରେ ଏଭଳି କିଛି ସ୍ଥିତି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ ଜାରି କରାଯାଇଛି। ଦେଶରେ ଗ୍ରୀଷ୍ମ […]

ଭୁବନେଶ୍ୱର: ଏଥର ଅସହ୍ୟ ତାତିରେ ଛଟ ପଟ ହେବେ ରାଜ୍ୟବାସୀ। ଟାଣ ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ। ପୁଣି ତାହା ସହ ବାରମ୍ବାର ଗ୍ରୀଷ୍ମ ପ୍ରବାହ (ହିଟ୍‌‌ ୱେଭ୍‌‌) ସ୍ଥିତି। କେବଳ ଦିନରେ ନୁହେଁ ରାତିରେ ବି ଗରମ ଗୁଳୁଗୁଳିରେ ଲୋକଙ୍କୁ ନିସ୍ତାର ମିଳିବ ନାହିଁ। ଆସନ୍ତା ମାର୍ଚ୍ଚ-ମେ’ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁରେ ଏଭଳି କିଛି ସ୍ଥିତି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ ଜାରି କରାଯାଇଛି। ଦେଶରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ନେଇ ଆଇଏମ୍‌‌ଡି ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ରା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏହାସହିତ ବିଭାଗ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ମାଧ୍ୟମରେ ଆସନ୍ତା ୩ ମାସରେ ଦିନ ଓ ରାତିରେ ତାପମାତ୍ରା ସହିତ ବର୍ଷା ସମ୍ପର୍କରେ ପୂର୍ବାନୁମାନ କରାଯାଇଛି।

ଆଇଏମଡି ପକ୍ଷରୁ ଜାରି ରିପୋର୍ଟରେ ଦର୍ଶାଯାଇଛି ଯେ, ଏଥର ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ଋତୁରେ ବାରମ୍ବାର ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ବଢ଼଼ିବା ସହ ସ୍ୱାଭାବିକଠାରୁ ତାପମାତ୍ରା ଉପରେ ରହିବ। କେବଳ ଦିନରେ ନୁହେଁ ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ଉପରେ ରହିବ। ଅନ୍ୟପଟେ ଯଦିଓ ଗ୍ରୀଷ୍ମରେ ପ୍ରବଳ ତାତି ହେବ ବୋଲି ଆକଳନ କରାଯାଇଛି, ମାତ୍ର ଚଳିତ ମାର୍ଚ୍ଚ ମାସରେ ପଶ୍ଚିମା ଝଡ଼ ଜନିତ ବର୍ଷା ଯୋଗୁଁ ସାମାନ୍ୟ ଆଶ୍ୱସ୍ତ ମିଳିବ। ରାଜ୍ୟରେ ମାର୍ଚ୍ଚ ମାସରେ ବାରମ୍ବାର ପଶ୍ଚିମାଝଡ଼ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବ। ତେଣୁ ମାର୍ଚ୍ଚରେ ସମ୍ଭବତଃ ଗରମ୍‌‌ କମ ରହିବ। ତେବେ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ଅନ୍ୟଜିଲ୍ଲା ତୁଳନାରେ ଅଧିକା ରହିବାକୁ ଥିବା ବେଳେ ଗଞ୍ଜାମ ସଂଲଗ୍ନ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ହଠାତ୍‌‌ ଗ୍ରୀଷ୍ମ ପ୍ରବାହ ସୃଷ୍ଟି ହୋଇପାରେ ବୋଲି ଆଇଏମଡି ଆକଳନ କରିଛି।

୨୦୨୩ ଅପେକ୍ଷା ଚଳିତ ବର୍ଷରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ ବୋଲି ପୂର୍ବରୁ ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥାଙ୍କ ସମେତ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଥିଲେ। ଏପ୍ରିଲ ପର୍ଯ୍ୟନ୍ତ ଏଲନିନୋ ଶକ୍ତିଶାଳୀ ରହିବାକୁ ଥିବାରୁ ଏହା ପ୍ରଭାବରେ ପ୍ରବଳ ହିଟ୍‌‌ୱେଭରେ ଜନଜୀବନ ଅସ୍ତବ୍ୟସ୍ତ କରିବ। ୨୦୨୩ରେ ସୃଷ୍ଟି ହୋଇଥିବା ଏଲ୍‌‌-ନିନୋ ଚଳିତ ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ୍‌‌ ପର୍ଯ୍ୟନ୍ତ ସକ୍ରିୟ ରହିବ। ପୂର୍ବ ତଥ୍ୟ ଅନୁଯାୟୀ ଏଲ୍‌‌-ନିନୋ ସରିବା ପରେ ଏହାର ପ୍ରଭାବ ଅଧିକ ଦେଖାଯାଏଇଥାଏ। ଉଦାହରଣ ଭାବେ ୨୦୧୫ ବର୍ଷର ଏଲ୍‌‌-ନିନୋର ପ୍ରଭାବ ୨୦୧୬ ରେ ଅଧିକ ପଡ଼ିବା ସହ ସେହି ବର୍ଷ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ତେଣୁ ଚଳିତ ବର୍ଷ ଏଲ୍‌‌ନିନୋ ପ୍ରଭାବ ଯୋଗୁଁ ପ୍ରବଳ ଗରମ ବର୍ଷ ହେବାକୁ ଯାଉଛି ଆକଳନ କରାଯାଉଛି।
ଅନ୍ୟପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ବଡ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାପରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାକୁ ନ ଥିବା ବେଳେ ପରବର୍ତ୍ତୀ ଦୁଇ ଦିନରେ କିଛି କିଛି ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ବୁଲେଟିନ୍‌‌ ଅନୁଯାୟୀ ରବିବାର ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଏବଂ ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି।

 

About The Author: The Sakala