ଭୁବନେଶ୍ୱର: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଭାଇ-ଭଉଣୀ! ମା' ନାହାନ୍ତି, ହେଲେ ମା' ପରି ଅଛନ୍ତି ପରସ୍ପର। ନନ୍ଦନକାନନର ହୃଦୟ ଛୁଆଁ କାହାଣୀ। ଏହା ନନ୍ଦନକାନନର କ୍ୱାରେଣ୍ଟାଇନ ଖୁଆଡ ନୁହେଁ, ଏହା ୫ଟି ଅନାଥ ଭାଇ-ଭଉଣୀର ଘର। ବାଲେଶ୍ୱରରୁ ଉଦ୍ଧାର ହେବା ଦିନଠୁ ୫ ଛୁଆ ଓରାଙ୍ଗଉଟାନ୍ ପରସ୍ପରର ମା' ପାଲଟିଛନ୍ତି। ଯତ୍ନକାରୀ କହୁଛନ୍ତି - ରାତିରେ ଗୋଟେ କାନ୍ଦିଲେ ଅନ୍ୟ ୪ଜଣ ତାକୁ ଜାବୁଡି ଧରନ୍ତି। ଖାଦ୍ୟ ଆସିଲେ ନିଜେ ନ ଖାଇ ପରସ୍ପରକୁ ଖୁଆଇ ଦିଅନ୍ତି।
ସେଥିପାଇଁ ଡାକ୍ତର ବି ଚିନ୍ତାରେ। OUAT CWH ଟିମ୍ ଆସି କହିଲେ - ଏମାନଙ୍କୁ ଅଲଗା କର ନାହିଁ। ଏମାନେ ଷ୍ଟ୍ରେସରେ ଅଛନ୍ତି, ମା'ର ଅଭାବ ଅଛି। ୧୦ ଦିନ ଯାଏଁ ଏମାନଙ୍କୁ ଏକାଠି ରଖ, ସକାଳ ଖରା ଦେଖାଅ, ଆଉ ସବୁଠୁ ବଡ କଥା - ମା' ପେଟ ଭିତରେ ଶୁଭୁଥିବା ହୃଦସ୍ପନ୍ଦନ ପରି ହାଲୁକା ମ୍ୟୁଜିକ୍ ବଜାଅ। ଏହା ଶୁଣି ସେମାନେ ଭାବିବେ ମା' ପାଖରେ ଅଛୁ।
ତେବେ ଆଶ୍ଚର୍ଯ୍ୟ ଫଳ ମିଳିଲାଣି। କିନ୍ତୁ ଗତକାଲି ଯାଏଁ ଯେଉଁ ଛୁଆ ହାତକୁ ଆସୁ ନଥିଲେ, ସେମାନେ ଏବେ ଯତ୍ନକାରୀଙ୍କ ଆଙ୍ଗୁଠି ଧରୁଛନ୍ତି, କୋଳରେ ଶୋଉଛନ୍ତି। ଏହି ୧୦ ଦିନର ମା' ଛୁଆ ବନ୍ଧନ ପରେ ହିଁ ସେମାନଙ୍କ ରକ୍ତ ପରୀକ୍ଷା ହେବ। ଯଦି ସବୁ ଠିକ୍ ରହେ, ତେବେ ଏହି ୫ ଅନାଥ ଛୁଆ ନନ୍ଦନକାନନରେ ନୂଆ ମା' ପାଇବେ, ଆଉ ୭ ବର୍ଷରୁ ଅଧିକ ଦିନ ନିସଙ୍ଗ ଜୀବନ ବିତାଇ ଆଖିବୁଜିଥିବା ବିନି ର ଖୁଆଡ ପୁଣି ପୁରଣ ହେବ ।