କଟକ: ଦୀର୍ଘ ଏକ ଦଶନ୍ଧି ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଘୃଣାପୂର୍ଣ୍ଣ ଆରୋପ ପ୍ରତ୍ୟାରୋପରେ ଲିପ୍ତ ରହିବା ସମ୍ପୂର୍ଣ୍ଣ ରୂପରେ ବିବାହ ବନ୍ଧନ ଭାଙ୍ଗିଯିବାର ପ୍ରତିଫଳନ ବୋଲି ହାଇକୋର୍ଟ କହିଛନ୍ତି। ଦୀର୍ଘ ୧୨ବର୍ଷ ଧରି କୌଣସି ପକ୍ଷ ଦାମ୍ପତ୍ୟ ଅଧିକାର ଅକ୍ଷୁଣ୍ଣ ରଖିବା ଦିଗରେ ପ୍ରୟାସ କରିନାହାନ୍ତି ବରଂ ଉଭୟ ପରସ୍ପର ବିରୋଧରେ କଟୁ ତଥା ଘୃଣାଭାବ ପ୍ରଦର୍ଶନ କରିଆସିଛନ୍ତି। ଏଭଳି ସ୍ଥଳେ ଦଶନ୍ଧି ଧରି ସେମାନଙ୍କ ବିବାହ ବନ୍ଧନ ସମ୍ପୂର୍ଣ୍ଣ ଭାଙ୍ଗିସାରିଛି। ଏଣୁ ହିନ୍ଦୁ ବିବାହ ଆଇନର ଧାରା ୧୩(୧)ଅନୁସାରେ ହାଇକୋର୍ଟ ଏକ ଦାମ୍ପତ୍ୟ କଳହ ବିବାଦର ଶୁଣାଣି କରି ବିବାହ ବିଛେଦକୁ ମଞ୍ଜୁର କରିବା ସହ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଜଷ୍ଟିସ ବିଭୁପ୍ରସାଦ ରାଉତରାୟ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ୱାମୀଙ୍କ ପକ୍ଷରୁ ପରିବାର ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ଅନ୍ୟପଟରେ ପ୍ରତିପକ୍ଷ ପତ୍ନୀଙ୍କୁ ସ୍ଥାୟୀ ତଥା ଏକକାଳୀନ ଭରଣପୋଷଣ ବାବଦରେ ୧୮ଲକ୍ଷ ଟଙ୍କା ପଇଠ କରିବାକୁ ଆବେଦନକାରୀ ସ୍ୱାମୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ପ୍ରକାଶଥାଉ କି, ଉଭୟଙ୍କ ମଧ୍ୟରେ ଗତ ୨୦୧୩ ମାର୍ଚ୍ଚ୩ରୁ ବିବାହ ହୋଇଥିଲେ ହେଁ ପରବର୍ତ୍ତୀ କିଛି ମାସ ମଧ୍ୟରେ ଦାମ୍ପତ୍ୟ କଳହ ଚରମ ସୀମାରେ ପହଞ୍ଚିଥିଲା। ଏପରିକି ପତ୍ନୀ ୨୦୧୩ ଡିସେମ୍ବର ୨୧ରୁ ଅଲଗା ରହିଆସୁଥିବା ବେଳେ ସ୍ୱାମୀଙ୍କ ବିରୋଧରେ ଏକ ଫୈାଜଦାରୀ ମାମଲା ମଧ୍ୟ ରୁଜୁ କରିଥିଲେ। ତେବେ ବିବାହ ବିଛେଦ ପାଇଁ ସ୍ୱାମୀଙ୍କ ପକ୍ଷରୁ ଢେଙ୍କାନାଳ ପରିବାର ଅଦାଲତରେ ମାମଲା ଦାୟର କରାଯାଇଥିଲା। ହେଲେ ୨୦୧୭ରେ ପରିବାର ଅଦାଲତ କିନ୍ତୁ ବିବାହ ବିଛେଦକୁ ଅନୁମତି ନଦେଇ ମାମଲାକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରିବାର ଅଦାଲତଙ୍କ ରାୟକୁ ଖାରଜ କରିବା ସହ ଉଭୟଙ୍କ ମଧ୍ୟରେ ବିବାହ ବିଛେଦକୁ ମଞ୍ଜୁର କରିବ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି।