ନର୍ସଙ୍କ ଦାବି ଶୁଣିଲେନି ସରକାର, ଆଜିଠୁ ସବୁ ଜରୁରୀ ସେବା ବନ୍ଦ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ୱାସ୍ଥ୍ୟ ସେବା ଉପରେ ଗଭୀର ପ୍ରଭାବ ପକାଇଛି। ଗତକାଲି ସରକାରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଆଜି ମଧ୍ୟ ରାଜ୍ୟ ସାରା ନର୍ସମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଯେହତୁ ଧାର୍ଯ୍ୟ ସମୟ ଭିତରେ ସଂଘର ଦାବି ପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ ସେଥିପାଇଁ ପୂର୍ବ ଘୋଷଣା ଅନୁସାରେ ଶୁକ୍ରବାର ଠାରୁ ନର୍ସମାନେ ଜରୁରୀ ସ୍ୱାସ୍ଥ୍ୟ ସେବା ମଧ୍ୟ ବନ୍ଦ କରିବାକୁ ଯାଉଛନ୍ତି। ଏପରି ହେଲେ ସ୍ୱାସ୍ଥ୍ୟ […]

ଭୁବନେଶ୍ୱର: ରାଜ୍ୟବ୍ୟାପୀ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ୱାସ୍ଥ୍ୟ ସେବା ଉପରେ ଗଭୀର ପ୍ରଭାବ ପକାଇଛି। ଗତକାଲି ସରକାରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଆଜି ମଧ୍ୟ ରାଜ୍ୟ ସାରା ନର୍ସମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଯେହତୁ ଧାର୍ଯ୍ୟ ସମୟ ଭିତରେ ସଂଘର ଦାବି ପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ ସେଥିପାଇଁ ପୂର୍ବ ଘୋଷଣା ଅନୁସାରେ ଶୁକ୍ରବାର ଠାରୁ ନର୍ସମାନେ ଜରୁରୀ ସ୍ୱାସ୍ଥ୍ୟ ସେବା ମଧ୍ୟ ବନ୍ଦ କରିବାକୁ ଯାଉଛନ୍ତି। ଏପରି ହେଲେ ସ୍ୱାସ୍ଥ୍ୟ ସେବା ଏକ ପ୍ରକାର ବନ୍ଦ ହୋଇଯିବା ଆଶଙ୍କା ଦେଖା ଦେଲାଣି। ସଂଘର ଦାବି ଅନୁସାରେ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରିବା ପାଇଁ ସରକାର ରାଜି ହୋଇଛନ୍ତି। ଏହି କମିଟି ସଂଘର ଦାବି ଉପରେ ବିଚାରକରି ବିହିତ ପଦକ୍ଷେପ ନେବେ। ପରିସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ନର୍ସିଂ ସଂଘର ଦାବି ପୂରଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଗତକାଲି ସ୍ୱାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ନର୍ସିଂ ସଂଘର କର୍ମକର୍ତ୍ତାଙ୍କୁ ଡାକି ଯେନତେନ ଉପାୟରେ ମନାଇ ଆନ୍ଦେଳନ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ। ଦାବି ସବୁ ପୂରଣ ପାଇଁ ସରକାର ଉଦ୍ୟମ କରିବେ ବୋଲି ମଧ୍ୟ କୁହାଗଲା। କିନ୍ତୁ ସଂଘ ଆଉ ଶୁଖିଲା ପ୍ରତିଶ୍ରୁତିରେ ମାନିବା ପାଇଁ ରାଜିନଥିଲା। ପ୍ରଥମେ ସରକାରଙ୍କ ଏସ୍‌ମା ଧମକକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ନର୍ସିଂ ସଂଘ ଆଜି ଦିନ ତମାମ ଆନ୍ଦୋଳନ ଜାରି ରଖିଥିଲା। ଗତ ତିନି ଦିନ ହେଲା ନର୍ସମାନେ ଓପିଡି ସେବା ବନ୍ଦ କରି ଡାକ୍ତରଖାନାରେ ଆଗରେ ଧାରଣାରେ ବସିଥିଲେ। କିନ୍ତୁ ୱାର୍ଡ ଠାରୁ ଆରମ୍ଭ କରି ଓଟି ପର୍ଯ୍ୟନ୍ତ ସେମାନେ ଡ୍ୟୁଟି କରୁଥିଲେ। ଦାବି ଉପରେ ସକାରାତ୍ମକ ବିଚାର ପାଇଁ ସଂଘ ସରକାରଙ୍କୁ ୨୬ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା। କିନ୍ତୁ ଆଜି କଣ୍ଟ ପୂରିବା ପରେ ଆସନ୍ତା କାଲି ଆନ୍ଦୋଳନ ଆହୁରି ଘନେଇବ। ନର୍ସ ମାନେ ରୋଗୀଙ୍କୁ ଇଞ୍ଜେକ୍ସନ୍‌ ଦେବେ ନାହିଁ କିମ୍ବା ସାଲାଇନ୍‌ ଲଗେଇବେ ନାହିଁ। ସଂଘର କର୍ମକର୍ତ୍ତା କହିଛନ୍ତି, ସରକାର ଆମକୁ ବାରମ୍ବାର ପ୍ରତାରଣା କରି ଚାଲିଛନ୍ତି। ଆମର ୧୦ଟି ଯାକ ଦାବି ଯୁକ୍ତି ସଂଗତ। ଏହାକୁ ପୂରଣ କରିବାରେ ସମସ୍ୟା କେଉଁଠି? ଆମେ ବି ରୋଗୀ ସେବା ବନ୍ଦ କରିବା ପାଇଁ ଚାହୁଁନାହୁଁ। କିନ୍ତୁ ସରକାର ଆମର ସମସ୍ୟା ପ୍ରତି ସଜାଗ ହେଉନଥିବାରୁ ବାଧ୍ୟ ହୋଇ ସେବା ବନ୍ଦ ରଖିଛୁ। ଆମେ ଚାହୁଁଛୁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ଆମ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ। ଆଗକୁ ରୋଗୀ ସେବାରେ ଯାହା କିଛି ସମସ୍ୟା ଦେଖା ଦେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କହିଛନ୍ତି ଯେ ନର୍ସିଂ ଅଫିସରମାନଙ୍କ ଦାବି ଯୁକ୍ତି ସଂଗତ। ସରକାରୀ ସ୍ୱାସ୍ଥ୍ୟ ସେବାରେ ନର୍ସ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସରକାର ସେମାନଙ୍କ ଦାବି ପୂରଣ ଦିଗରେ ସମୟ ଗଡାଇ ଚାଲିଲେ ଆଗକୁ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯିବା ଆଶଙ୍କା ରହିଛି। ତେଣୁ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ଜରୁରୀ ବୋଲି ଶ୍ରୀ ଜେନା କହିଛନ୍ତି।

About The Author: The Sakala