ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ୍ରେ ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ’ ଟିଭି ପକ୍ଷରୁ ଆୟୋଜିତ ହୋଇଛି ‘ଓଡ଼ିଶା ଅଭ୍ୟୁଦୟ’ କନ୍କ୍ଲେଭ୍ । ଏହି ଦୁଇ ଦିନିଆ ସମ୍ମିଳନୀକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଉଦ୍ଘାଟନ କରିଛନ୍ତି । ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶାକୁ ଏପରି ଏକ ସ୍ଥାନ ଭାବେ ଗଢ଼ି ତୋଳିବାକୁ ହେବ ଯେଉଁଠାରେ ଯୁବକମାନେ ଆତ୍ମବିଶ୍ୱାସର ସହ ସ୍ୱପ୍ନ ଦେଖିପାରିବେ, ମହିଳାମାନେ ସମ୍ମାନର ସହ ନେତୃତ୍ୱ ନେବେ, ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ବିକାଶ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ। ରାଜ୍ୟର ଏକ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ସରକାର, ନାଗରିକ, ଶିଳ୍ପ ଜଗତ, ଶିକ୍ଷାବିତ୍, ନାଗରିକ ସମାଜ ଏବଂ ଗଣମାଧ୍ୟମର ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି।
ଡକ୍ଟର କମ୍ଭମପତି ଶିକ୍ଷାକୁ ପ୍ରାଥମିକତା ଦେଇ ଜ୍ଞାନ, ଗବେଷଣା ଏବଂ ନବସୃଜନର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଥିଲେ। ଯୁବପିଢ଼ି କେବଳ ଚାକିରି ଖୋଜିବା ପରିବର୍ତ୍ତେ ନିଜେ ନିଯୁକ୍ତି ସୃଷ୍ଟିକର୍ତ୍ତା ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିସହ ସେ ମହିଳା ନେତୃତ୍ୱାଧୀନ ବିକାଶ, ବିପର୍ଯ୍ୟୟ ପରିଚାଳନାରେ ସଫଳତା, କ୍ରୀଡ଼ା ଭିତ୍ତିଭୂମି ଏବଂ ଚାଷୀ, ଉଦ୍ୟୋଗୀ, ଆଥଲେଟ୍ ତଥା ବୈଜ୍ଞାନିକମାନଙ୍କ କାହାଣୀ ମାଧ୍ୟମରେ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି କନ୍କ୍ଲେଭ୍ ରେ ଏକବିଂଶ ଶତାବ୍ଦୀରେ ଓଡ଼ିଶା କେତେ ବିକାଶ କରିଛି ଓ ଆଗକୁ ରାଜ୍ୟ ପାଇଁ କେଉଁ କେଉଁ ଆହ୍ୱାନ ରହିଛି, କ୍ରୀଡ଼ାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଦ୍ୱାରା ଓଡ଼ିଶା ଉପରେ ରହୁଥିବା ପ୍ରଭାବ, ମହିଳା ସଶକ୍ତୀକରଣ ଓ ରାଜନୈତିକ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମାନସମନ୍ଥନ ହୋଇଛି । ଏହି ଦୁଇ ଦିନର କାର୍ଯ୍ୟକ୍ରମରେ ମୋଟ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଆଜି ୪ଟି ଅଧିବେଶନ ହୋଇଛି । ପ୍ରଥମ ଅଧିବେଶନର ବିଷୟ ରହିଥିଲା ‘ଏକବିଂଶ ଶତାବ୍ଦୀରେ ଓଡ଼ିଶାର ବିକାଶ ଯାତ୍ରା’। ଆସନ୍ତାକାଲି ପୁଣି ୪ଟି ଅଧିବେଶନ ହେବ ।
ପ୍ରଥମ ଅଧିବେଶନରେ ସମୃଦ୍ଧି ଦିଗରେ ଓଡ଼ିଶାର ଯାତ୍ରା ଓ ବର୍ଷ ବର୍ଷ ଧରି ହୋଇଥିବା ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ‘ରାଜନୀତିର ଊର୍ଦ୍ଧ୍ବରେ ଜନନାୟକ ନବୀନ ପଟ୍ଟନାୟକ’ ଉପରେ ବହୁ ବରିଷ୍ଠ ରାଜନେତା ଓ ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ନିଜର ଅଭିମତ ପ୍ରକାଶ କରିଥିଲେ । ତୃତୀୟ ଅଧିବେଶନରେ ‘ଶିକ୍ଷା ସଂସ୍ଥାନର ପ୍ରମୁଖ କେନ୍ଦ୍ର ଓଡ଼ିଶା’ ଉପରେ ମାନସ ମନ୍ଥନ ହୋଇଥିଲା । ଏଥିରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଉଦୀୟମାନ ଭୂମିକା ଓ ରାଜ୍ୟକୁ ଭାରତର ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଗଢ଼ିବା ଦିଗ ଉପରେ ଚର୍ଚ୍ଚା ହୋଇଛି । ଚତୁର୍ଥ ଅଧିବେଶନର ବିଷୟ “ମହିଳା ସଶକ୍ତୀକରଣ ଦିଗରେ ଆହ୍ୱାନ ଓ ଉପଲବ୍ଧି’ ଉପରେ ବିଶିଷ୍ଟ ବକ୍ତାମାନେ ସେମାନଙ୍କର ମତ ରଖିଛନ୍ତି ।
ସେହିପରି ୨୬ ଅଗଷ୍ଟରେ ମଧ୍ୟ ୪ଟି ଅଧିବେଶନ ରହିଛି। ପ୍ରଥମ ଅଧିବେଶନର ବିଷୟ “ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ବହୁଦଳୀୟ ବନାମ ଦ୍ୱି-ଦଳୀୟ ବ୍ୟବସ୍ଥା’। ବହୁଦଳୀୟ ଓ ଦ୍ୱିଦଳୀୟ ବ୍ୟବସ୍ଥା ମଧ୍ୟରୁ କେଉଁ ବ୍ୟବସ୍ଥା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରେ, ସେ ନେଇ ମତବିନିମୟ ହେବ। ଦ୍ୱିତୀୟ ଅଧିବେଶନରେ “୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ଓ ସଂକଳ୍ପ’ ବିଷୟ ରହିଛି। ତୃତୀୟ ଅଧିବେଶନରେ “ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ରୋଲ୍ ମଡେଲ’ ବିଷୟ ରହିଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ମଡେଲ୍ ଉପରେ ଏହି ଅଧିବେଶନରେ ଚର୍ଚ୍ଚା ହେବ। ଦ୍ୱିତୀୟ ଦିନର ଶେଷ ତଥା ଅଷ୍ଟମ ଅଧିବେଶନର ବିଷୟ ରହିଛି “ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିଛି ନୂଆ ସୁଯୋଗ ଓ ସମ୍ଭାବନା’। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଭୂମିକା, ନୂଆ ସୁଯୋଗ ଓ ସମ୍ଭାବନାକୁ ନେଇ ଏଥିରେ ଆଲୋଚନା କରାଯିବ।