ଏବିଭିପିକୁ ଜିତାଇବା ପାଇଁ ସରକାରଙ୍କ ଆପ୍ରାଣ ଉଦ୍ୟମ : ବିଜେଡି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଯେଉଁଠି ବିଜେପି ହାରିବ ବୋଲି ଜାଣୁଛି, ସେଠି ନିର୍ବାଚନ ବାତିଲ କରାଯାଉଛି। ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବା ପାଇଁ ସରକାରୀ କଳକୁ ବିଜେପି ଉପଯୋଗ କରୁଛି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ।

ପ୍ରୀତିରଞ୍ଜନ ଘଡେ଼ଇ କହିଥିଲେ ଯେ ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ବିଜେପିର ସବୁ ଚକ୍ରାନ୍ତକୁ ପ୍ରତିହତ କରି ବିସିଜେଡି ପ୍ରାର୍ଥୀ ମାନେ ବିଜୟ ଲାଭ କରିବେ। ବିଜେପି ଯେଉଁ ଦମନଲୀଳା ଚଳାଇଛି, ତାହାକୁ ଜେନ-ଜି ମାନେ ପ୍ରତିହତ କରିବେ। ଜେନ-ଜି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି। ତାଙ୍କ ପ୍ରତି ଜେନ-ଜି ମାନଙ୍କ ସମର୍ଥନ ଓ ଭଲ ପାଇବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଜେଡି ପ୍ରତି ଜେନ-ଜି ମାନଙ୍କ ସମର୍ଥନକୁ ବିଜେପି ସହ୍ୟ କରିପାରୁନି । ବିଜେପି ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଥିବା ବେଳେ  ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଆଗକୁ ଜେନ-ଜିି ମାନେ ସରକାର ପରିବର୍ତ୍ତନ ଆଣିବେ। ଅକ୍ଟୋବର ୧୫ ତାରିଖରେ ଏହାର ଉତ୍ତର ବିଜେପି ସରକାର  ପାଇଯିବେ।  

ଡ.ଲେନିନ ମହାନ୍ତି କହିଥିଲେ ଯେ ଲିଙ୍ଗଡୋ କମିଶନଙ୍କ ନିୟମକୁ ଅବମାନନା କରି ଛାତ୍ର ସଂସଦ ନିର୍ବାଚନରେ ସରକାର ହସ୍ତକ୍ଷେପ କରୁଛନ୍ତି ।   ଛାତ୍ର ସଂସଦ ନିର୍ବାଚନକୁ ଜିତିବା ପାଇଁ ବିଜେପି ସରକାରୀ କଳର ଅପବ୍ୟବହାର କରୁଛି। ମୁଖ୍ୟ ସଚିବଙ୍କ ଠାରୁ ଆରମ୍ଭ କରି ଡିଜିପି, ଡିସି, ଜିଲ୍ଲାପାଳ, ଏସପି ମାନେ ଛାତ୍ର ସଂସଦ ନିର୍ବାଚନରେ ହସ୍ତକ୍ଷେପ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ ବିସିଜେଡି ପ୍ରାର୍ଥୀଙ୍କୁ ଚୋରି କରାଯାଉଛି । କଟକ ଜିଲ୍ଲାର ଜପକୁଦ ମହିଳା ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟ ହୋଇଥିଲେ। କିନ୍ତୁ ୧୨ ତାରିଖରେ ତାହାକୁ ବାତିଲ କରାଯାଇଛି। ଅଗଣତାନ୍ତ୍ରିକ ଉପାୟରେ ଏବିଭିପି ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ସରକାର ଲାଗି ପଡ଼ିଛନ୍ତି। ଯେଉଁଠି ବିସିଜେଡି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ରହୁଛି, ସେଠି ଜାଣିଶୁଣି ନିର୍ବାଚନ ବାତିଲ କରାଯାଉଛି। ନିର୍ବାଚନରେ ଜଣେ ପ୍ରାର୍ଥୀ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ନିୟମ ଥିବାବେଳେ ବିଜେପି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ସରକାର ଛାତ୍ରଛାତ୍ରୀଙ୍କ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ ନ କରି ନିରପେକ୍ଷ ଭାବେ ଛାତ୍ର ସଂସଦ ନିର୍ବାଚନ ପରିଚାଳନା କରନ୍ତୁ ବୋଲି ସେ ଦାବି କରିଛନ୍ତି।

About The Author: Madhusudan Das