ପୋଲସରା(ମନୋଜ ଘଢ଼େଇ): ଆଧୁନିକତାର ଏହି ଚାକଚକ୍ୟ ଆଲବମ୍ ଜଗତରେ ମଣିଷ ଆଜି ନିଜ ଚରିତ୍ରର ପ୍ରତିଟି ଛବିକୁ ଫଟୋ ଫ୍ରେମରେ ସଜାଡି ରଖିବା ସମ୍ପୂର୍ଣ୍ଣ ଭୁଲିଯାଇଛି। ହେଲେ ଏମିତି କିଛି କର୍ମଠ ମଣିଷ ଅଛନ୍ତି, ଯିଏ ଆଜି ବି ନିଜ ଅତୀତର କୋଳାହଳକୁ ଫଟୋ ଫ୍ରେମ୍ରେ କାଚ ବନ୍ଧେଇ କରି ସାଇତି ରଖିଛନ୍ତି। ସେ ହେଉଛନ୍ତି ପୋଲସରା ସହରର ଫଟୋଫ୍ରେମ୍ର ସୌଦାଗର ସୌରୀ ବିଷୋୟୀ।
ପୋଲସରା ଏନ୍ଏସିସ୍ଥିତ ପୁରୁଣା ଫାଣ୍ଡି ଛକ ସମ୍ମୁଖରେ ଅସ୍ଥାୟୀ କାଠ କେବିନରେ ଦୀର୍ଘ ୪୦ ବର୍ଷ ଧରି ଫଟୋ ବନ୍ଧେଇ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସୌରୀ ବିଷୋୟୀ। ଏପରିକି ଦେବାଦେବୀ, ମହାପୁରୁଷଙ୍କଠାରୁ ଆରମ୍ଭ କରି ପରିବାର ସମସ୍ତ ସଦସ୍ୟଙ୍କ ଫଟୋଚିତ୍ରକୁ ଅତି ସୁନ୍ଦର ଭାବରେ ଫଟୋ ଫ୍ରେମରେ ସଜାଡି କାଚର ସୁରକ୍ଷା ବଳୟ ମଧ୍ୟରେ ଫଟୋକୁ ବନେ୍ଧଇ କରିଥାନ୍ତି ସୌରୀ।
ସୌରୀ ଫଟୋଫ୍ରେମ୍ ବନ୍ଧେଇ କରି ନିଜର ୫ ପ୍ରାଣୀକୁଟୁମ୍ୱର ଗୁଜୁରାଣ ମେଣ୍ଟାନ୍ତି। ହେଲେ ବିଗତ ଦିନରେ ଘଟିଯାଇଥିବା ଅତୀତର ପ୍ରତିଟି ଛବିର ଚିତ୍କାର ଆଜିବି ସୌରୀଙ୍କ ହୃଦୟକୁ ଆନ୍ଦୋଳିତ କରୁଛି। ଜୀବନ କ’ଣ ଜାଣିବା ଆଗରୁ ୧୨ବର୍ଷ ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରିଥିଲେ ସୌରୀ। ଘରର ଆର୍ଥିକ ଅନାଟନ ଯୋଗୁଁ ପାଠପଢ଼ିବା ପାଇଁ ଆଗ୍ରହ ଥିଲେ ମଧ୍ୟ ସ୍କୁଲ ବାରଣ୍ଡା ଛାଇରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗକୁ ହାତଛଡା କରି ନ ଥିଲେ ସେ। ୧୨ବର୍ଷ ବୟସରେ ନିଜର ପୁଙ୍ଗୁଳା ଦେହକୁ ଚିରାଫଟା କପଡ଼ାରେ ଢାଙ୍କି ପେଟର ଭୋକକୁ ହାତରେ ଜାବୁଡି ଧରି ଗାଁର ସାହୁକାର ପାଖରେ ମାସିକ ୧୫ ଟଙ୍କାରେ ହଳିଆ ଲାଗିଥିଲେ ସୌରୀ। ଶିଖିବା ଓ ଜାଣିବାର ଇଛାଶକ୍ତିର ଉଦ୍ୟମକୁ ନେଇ ଆଜି ସମାଜର ପ୍ରତିଟି ସୁନ୍ଦର ଛବିକୁ ନିଜ ଫଟୋ ଫ୍ରେମରେ ସେ ବାନ୍ଧି ରଖିଛନ୍ତି। ହେଲେ ଆଗଭଳି ଆଉ ସେ କାଚର ଫଟୋ ଫ୍ରେମକୁ ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି ଗ୍ରାହକ। ତଥାପି ହଜିଲା ଦିନର ପୁରୁଣା ସ୍ମୃତିକୁ ମନେପକାଇ ନିର୍ଦ୍ଦିଷ୍ଟ କିଛି ଗ୍ରାହକଙ୍କ ସେବାରେ ଆଜି ବି ସମ୍ମାନର ସହ ଫଟୋଫ୍ରେମ କାର୍ଯ୍ୟକୁ ନେଇ ବଞ୍ଚିବାର ଉଦ୍ୟମ ଜାରି ରଖିଛନ୍ତି ସୌରୀ।