ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ ଜଣଙ୍କର ଜୀବନ। ବିବାହ ଉତ୍ସବର ଘଣ୍ଟାଏ ପରେ ଦୁର୍ଘଟଣା ଖବର ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଭଉଣୀ ବିବାହରେ ଯୋଗଦେବା ପାଇଁ ବହୁ ଖୁସିରେ ଯାଇଥିଲେ, ହେଲେ କିଏ ଜାଣିଥିଲା ଭଉଣୀଙ୍କ ବିବାହ ସାନ ଭଉଣୀ ରୂପାଲିଙ୍କ ପାଇଁ ଶେଷ ଖୁସି ହେବ । ଭଉଣୀ ବିବାହରେ ହାତଗଣ୍ଠି ଫିଟାଇଥିଲେ ସୋନାଲିଙ୍କ ସାନ ଭଉଣୀ ରୂପାଲି ପ୍ରଧାନ। ହେଲେ ବସ ଦୁର୍ଘଟଣାରେ ତାଙ୍କ ପ୍ରାଣ ଚାଲି ଯାଇଛି।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେବଳ ରୂପାଲି ନୁହେଁ ବଡ଼ ଭଉଣୀ ଶିବାନୀ ପ୍ରଧାନଙ୍କର ବି ମୃତ୍ୟୁ ହୋଇଛି। ଶିବାନୀ ଶିକ୍ଷକତା କରୁଥିଲେ । ଭଉଣୀ ବିବାହ ରିସେପସନରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ। ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କର ମଧ୍ୟ ଜୀବନ ଯାଇଛି। ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନ, ୩ବର୍ଷର ପୁତୁରା ଦେବାଂଶୁ ଓ ବର୍ଷକର ଆଦ୍ବିକଙ୍କର ବି ମୃତ୍ୟୁ ହୋଇଛି । ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।
ସୂଚନାଯୋଗ୍ୟ, ବ୍ରହ୍ମପୁର ବ୍ରହ୍ମାନଗରରେ ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ କନ୍ୟାଯାତ୍ରୀ । ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ କନ୍ୟାଯାତ୍ରୀ ଦଳ ଯାଇଥିଲେ । କନ୍ୟାକୁ ଛାଡିବା ପରେ ଭୋଜି ଖାଇ ଏକ ମିନି ବସରେ ପ୍ରାୟ ୩୦ ଜଣ ଫେରୁଥିଲେ ।ରାତି ପ୍ରାୟ ସାଢେ ଗୋଟାଏ ବେଳେ ମଳାଭଂଜା ନିକଟରେ ମିନି ବସଟି ପହଞ୍ଚିଥିଲା । ବିପରୀତ ଦିଗରୁ ଆସୁଥିବା ଓଏସଆରଟିସି ବସ୍ ଦ୍ରୁତ ଗତିରେ ମିନି ବସକୁ ଧକ୍କା ଦେଇଥିଲା ।