ଧରାକୋଟ : ଅନ୍ଧବିଶ୍ବାସ ପୁଣି ୩ ଜଣଙ୍କ ମୁଣ୍ଡ ନେଇଛି। ଗୁଣିଗାରେଡ଼ିକୁ ନେଇ ୫ ବର୍ଷ ତଳର ଗାଁ ବିବାଦରୁ ଏହି ଛାତିଥରା ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ତଥା ଧରାକୋଟ ବ୍ଲକ୍ର ବାହାରପୁର ପଞ୍ଚାୟତ ଅଧୀନ ଖାରିପଲ୍ଲୀ ଗ୍ରାମରେ ଏହି ଆପରାଧିକ ଘଟଣା ଘଟିଛି। ଦୁଇ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ, ଖଦାଳ ବେହେରା(୬୫) ଓ ରତ୍ନାକର ବେହେରା(୪୦) ଏବଂ ରମେଶ ବେହେରା(୪୫)। ଗୁରୁତର ଆହତମାନେ ହେଲେ, ଅରୁଣ ବେହେରା(୩୦), ଭିକାରୀ ବେହେରା(୧୮), ଜଗା ବେହେରା(୧୮)। ଗୁରୁତରଙ୍କୁ ଧରାକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ପରେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ୫ବର୍ଷ ତଳେ ଖାରିପଲ୍ଲୀ ଗାଁରେ ଏକା ସମୟରେ ପ୍ରାୟ ୭/୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁଣିଗାରେଡ଼ି ବିଦ୍ୟା ଓ ଖଟ ସାହାରା ନେଇଥିଲେ ଗ୍ରାମବାସୀ। ଯାହାକୁ କେନ୍ଦ୍ର କରି ବଡ଼ଧରଣର ଏକ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ତେବେ ପୁଲିସ୍ ହସ୍ତକ୍ଷେପ ପରେ ସେତେବେଳେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଘଟଣାରେ ଖଦାଳ ଓ ବନବାସ ବେହେରାର ପରିବାରକୁ ପ୍ରାୟ ଏକ ମାସ ସୁରକ୍ଷା ଦେଇଥିଲା ପୁଲିସ୍। ଏହାକୁ କେନ୍ଦ୍ର କରି ଗତ ପ୍ରାୟ ୫ ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।
ମଙ୍ଗଳବାର ସନ୍ଧ୍ୟାରେ ପୋଖରୀରୁ ସ୍ନାନ କରି ଉଭୟ ଗୋଷ୍ଠୀର ଲୋକେ ଘରକୁ ଫେରୁଥିବା ସମୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରି ହଣାହଣି ପର୍ଯ୍ୟନ୍ତ କଥା ଯାଇଥିଲା। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ଖଦାଳ ଓ ତାଙ୍କ ପୁଅ ରତ୍ନାକରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗାଁ ଦାଣ୍ଡରେ ଉଭୟଙ୍କ ଶବ ପଡ଼ିଥିବା ବେଳେ ଅନ୍ୟ ଗୋଷ୍ଠୀର ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଧରାକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ ରମେଶ ବେହେରାଙ୍କ ଧରାକୋଟ ମେଡିକାଲରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଆସିକା ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଓ ବଡ଼ଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା,ଶେରଗଡ଼ ଥାନା ଅଧିକାରୀ ବୀରେନ୍ଦ୍ର ଶିଅଳ ଓ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପ୍ରମୁଖ ପୁଲିସ୍ ଫୋର୍ସ ସହ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ହତ୍ୟାକାଣ୍ଡକୁ କେନ୍ଦ୍ର କରି ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ବିଳମ୍ବିତ ରାତିରେ ଗାଁର କିଛି ଲୋକଙ୍କୁ ଅଟକ ରଖିଛି। ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ପୁଲିସ୍ ତୀକ୍ଷ୍ଣ ନଜର ରଖିଛି। ଅପରପକ୍ଷେ ଘଟଣାସ୍ଥଳରେ ଧରାକୋଟ ତହସିଲଦାର ଲମ୍ୱୋଦର ମାରାଣ୍ଡି ଓ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।