ବିରୋଧୀଙ୍କ ସ୍ୱାର୍ଥ ଯଜ୍ଞ: ବଳି ପଡୁଛି ମେଧାବୀଙ୍କ ଭବିଷ୍ୟତ

ଭୁବନେଶ୍ୱର: ଯୁବ ପିଢିହେଉଛନ୍ତି ଦେଶର ଭବିଷ୍ୟତ। ସେମାନେ ଦମ୍ଭ ହୋଇ ଠିଆ ହେଲେ ଦେଶ, ରାଜ୍ୟ, ଗ୍ରାମ ସମୃଦ୍ଧ ହେବ। ଆଉ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣରେ ସରକାରୀ ନିଯୁକ୍ତି ପରୀକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ; କିନ୍ତୁ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବେ ରାଜ୍ୟର ବିରୋଧୀ ଦଳଙ୍କ ପାଇଁ ହୀନ ରାଜନୀତିର ବଳି ଯଜ୍ଞ ପାଲଟିଛି। ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରହସ୍ୟମୟ ନିରବତା ଅବଲମ୍ବନ କରୁଥିବା ବିଜେପି ନେତାମାନେ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି […]

ଭୁବନେଶ୍ୱର: ଯୁବ ପିଢିହେଉଛନ୍ତି ଦେଶର ଭବିଷ୍ୟତ। ସେମାନେ ଦମ୍ଭ ହୋଇ ଠିଆ ହେଲେ ଦେଶ, ରାଜ୍ୟ, ଗ୍ରାମ ସମୃଦ୍ଧ ହେବ। ଆଉ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣରେ ସରକାରୀ ନିଯୁକ୍ତି ପରୀକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ; କିନ୍ତୁ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବେ ରାଜ୍ୟର ବିରୋଧୀ ଦଳଙ୍କ ପାଇଁ ହୀନ ରାଜନୀତିର ବଳି ଯଜ୍ଞ ପାଲଟିଛି। ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରହସ୍ୟମୟ ନିରବତା ଅବଲମ୍ବନ କରୁଥିବା ବିଜେପି ନେତାମାନେ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେବା ଲାଗି ବାହାରି ପଡୁଛନ୍ତି। ଓଡ଼ିଶା ଷ୍ଟାଫ୍‌‌ ସିଲେକ୍ସନ୍‌‌ କମିଶନର ପ୍ରଶ୍ନ ପତ୍ର ଲିକ୍‌‌ ମାମଲାରେ ପୁଲିସ ଯେପରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମାଳ ମାଳ ଅଭିଯୁକ୍ତ ଗିରଫ ହୋଇ ଜେଲ୍‌‌ ଯାଇଛନ୍ତି, ସମ୍ପୃକ୍ତ ଥିବା ପରୀକ୍ଷାର୍ଥୀଙ୍କୁ ସରକାରୀ ନିଯୁକ୍ତି ପରୀକ୍ଷାରୁ ଆଜୀବନ ବାସନ୍ଦ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି।

ମାତ୍ର ସବୁ କଥାରୁ ରାଜନୈତିକ ଲାଭ ପାଇଁ ଲାଳାୟିତ ବିରୋଧୀଙ୍କୁ ଏଥିରେ ରାଜନୀତି କରିବାକୁ ବାହାରି ପଡ଼ିଛନ୍ତି। ବିଜେପି ଓ କଂଗ୍ରେସ୍‌‌ ଦଳ ଯେପରି ଭାବେ ନିଜର ଛାତ୍ର ସଂଗଠନ ଆୟୁଧ କରି ଆନ୍ଦୋଳନ ରାଜନୀତି ଚଳାଇଛନ୍ତି ତାହା ରାଜ୍ୟ ତଥା ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ପ୍ରଶ୍ନପତ୍ର ଲିକ୍‌‌ ଘଟଣା ପ୍ରଚାର ହେବାର ତୁରନ୍ତ ପରେ ତ୍ୱରିତ ପଦକ୍ଷେପ ନେଇଥିଲା ରାଜ୍ୟ ପୁଲିସ। ସଦଳବଳେ ଚଢ଼ଉ କରି ଅଭିଯୁକ୍ତଙ୍କୁ ପ୍ରମାଣ ସହିତ ଗିରଫ କରିଛି। ସେମାନଙ୍କ ବୟାନ ଏବଂ ଅନ୍ୟ ପ୍ରମାଣ ଆଧାରରେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଓ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ନୋଟିସ ସହ ଅଭିଯୁକ୍ତଙ୍କ ବିରୋଧରେ ଆହୁରି କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ରହୁଥିବା ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଲୋକଙ୍କୁ ବିରୋଧରେ ରାଜ୍ୟ ସରକାର ଏବଂ ପୁଲିସର ଏତାଦୃଶ କାର୍ଯ୍ୟାନୁଷ୍ଠାନୁ ସବୁ ମହଲାରେ ସ୍ୱାଗତ କରାଯାଇଛି।

ସରକାର ସମୟୋଚିତ ପଦକ୍ଷେପ ନେଇ ଦୁର୍ନୀତି ଏବଂ ଅନିୟମିତତା ବିରୋଧରେ ନିଜ ପ୍ରତିବଦ୍ଧତାକୁ ପ୍ରତିପାଦନ କଲେ। କିନ୍ତୁ ସ୍ପର୍ଶର୍କାତର ମାମଲାରେ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ରାଜନୀତି କରିବାରେ ଅବହେଳା କରି ନାହାନ୍ତି ବିରୋଧୀ ରାଜନୈତିକ ଦଳ। ପ୍ରଥମେ ଅବାନ୍ତର ବୟାନବାଜି ଆଉ ଏବେ ଛାତ୍ର ସଂଗଠନ ଜରିଆରେ ଆନ୍ଦୋଳନ ରାଜନୀତି ଆରମ୍ଭ କରିଛନ୍ତି। ପିଲାଙ୍କ ଭବିଷ୍ୟତ ଚୁଲିକୁ ଯାଉ, ସେମାନଙ୍କ ପାଇଁ ରାଜନୀତି ଗୁରୁତ୍ୱପୂର୍ଣ୍ଣ ହୋଇଛି। ପିଲାମାନଙ୍କ କାନ୍ଧରେ ରାଜନୈତିକ ବନ୍ଧୁକ ଫୁଟାଇବା ଉଦ୍ୟମରେ ବ୍ୟସ୍ତ। ସରକାରଙ୍କୁ ବଦନାମ କରିବା ପାଇଁ ନିରୀହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାକୁ ବିରୋଧୀ ପଛାଉ ନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ଓଡ଼ିଶାର ପିଲାମାନେ ଏବେ ଦେଶ ବିଦେଶରେ ନିଜ ଦକ୍ଷତା ସାବ୍ୟସ୍ତ କରୁଛନ୍ତି। ଦେଶ ତଥା ଓଡ଼ିଶା ମାଟି ପାଇଁ ଗୌରବ ଆଣୁଛନ୍ତି। ସେମାନେ କିପରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ସେଥିପାଇଁ ରାଜ୍ୟ ସରକାର ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଭିତ୍ତିଭୂମି ସୁଦୃଢ଼ କରିଛନ୍ତି। ଓଡ଼ିଶା ଆଗକୁ ବଢ଼଼ୁଛି, ଏକ ରୂପାନ୍ତରିତ ଓଡ଼ିଶା ସମସ୍ତଙ୍କ ଆଗରେ ରହିଛି। ହେଲେ ନିଜ ରାଜ୍ୟର ରାଜନେତା ପିଲାଙ୍କ ଭବିଷ୍ୟତରେ ନିଆଁ ଲଗାଇ ସେଥିରେ ରାଜନୈତିକ ଫାଇଦା ହାସଲ ଅଭ୍ୟାସରୁ ବିରତ ହୋଇପାରୁ ନାହାନ୍ତି।

ରାଜ୍ୟର ପ୍ରମୁଖ ଶିକ୍ଷାବିତମାନେଙ୍କ ମତରେ ପ୍ରଶ୍ନପତ୍ର ଲିକ୍‌‌ ଘଟଣା ଜଣାପଡ଼ିବା ପରେ ରାଜ୍ୟ ସରକାର ଅପରାଧୀଙ୍କ ବିରୋଧରେ ଯେପରି ରାତିଅଧିଆ କାର୍ଯ୍ୟାନୁଷ୍ଠାନ ନେଲେ ତାହା ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତ୍ତା ଓ ସ୍ୱଚ୍ଛତାକୁ ସ୍ପଷ୍ଟ କରୁଛି। ଆଗକୁ ଏପରି ଘଟଣାର ଯେପରି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରାଯାଉଛି। କିନ୍ତୁ ପିଲାମାନଙ୍କୁ ମତେଇ ରାଜରାସ୍ତାରେ ଆନ୍ଦୋଳନ ରାଜନୀତି କରିବା ଆଦୌ ଶୁଭଙ୍କର ନୁହେଁ। ଶାନ୍ତିପୂର୍ଣ୍ଣ ଓଡ଼ିଶାରେ ପିଲାମାନଙ୍କୁ ନେଇ ରାଜନୈତିକ ଅଭିସନ୍ଧି ପୂରଣ ଉଦ୍ୟମ ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଏହି ଘଟଣାରେ ସରକାର ଯାହା ସବୁ ପଦକ୍ଷେପ ନେଲେ ତା ଠାରୁ ଅଧକ ଆଉ କ’ଣ କରାଯାଇ ପାରିଥାନ୍ତା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏତେ ସବୁ କରିବା ପରେ ଯଦି ପ୍ରଶ୍ନପତ୍ର ଲିକ୍‌‌ ଘଟଣାକୁ ନେଇ ରାଜନୀତି ଜାରି ରୁହେ ତା ହେଲେ ରାଜ୍ୟର ବିକାଶ ପଥକୁ ତାହା ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି।

About The Author: The Sakala