୬ ମାସ ଧରି ନିର୍ଯ୍ୟାତିତ, ଏବିଭିପି ନେତ୍ରୀ ହୋଇ ମଧ୍ୟ କେହି ଶୁଣିଲେନି….ପଢନ୍ତୁ ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମର ପୁରା ଘଟଣା……

ରାଜ୍ୟରେ ବଢ଼ି ଚାଲିଛି ନାରୀ ନିର୍ଯାତନା। ଘରେ-ବାହାରେ, ମନ୍ଦିର, ସ୍କୁଲ, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ; କେଉଁଠି ବି ନାରୀ ସୁରକ୍ଷିତ ନୁହନ୍ତି। ଉତ୍ତର-ଦକ୍ଷିଣ, ପୂର୍ବ-ପଶ୍ଚିମ, ଏପରିକି କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଥିବା ରାଜଧାନୀ ଭୁବନେଶ୍ବର‌ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛି। ବିଗତ କିଛି ମାସର ଘଟଣାବଳୀ ଉପରେ ନଜର ପକାଇ‌ଲେ ଏହା ସ୍ପଷ୍ଟ ହେଉଛି। ଦୁର୍ବ୍ୟବହାରଠାରୁ ଆରମ୍ଭ କରି ଅସଦାଚରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ ନାରୀ ବିରୋଧୀ ଅପରାଧ ରାଜ୍ୟରେ ବଢ଼ିବାରେ ଲାଗିଛି। କିଛି ଦିନ ତଳେ […]

ରାଜ୍ୟରେ ବଢ଼ି ଚାଲିଛି ନାରୀ ନିର୍ଯାତନା। ଘରେ-ବାହାରେ, ମନ୍ଦିର, ସ୍କୁଲ, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ; କେଉଁଠି ବି ନାରୀ ସୁରକ୍ଷିତ ନୁହନ୍ତି। ଉତ୍ତର-ଦକ୍ଷିଣ, ପୂର୍ବ-ପଶ୍ଚିମ, ଏପରିକି କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଥିବା ରାଜଧାନୀ ଭୁବନେଶ୍ବର‌ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛି। ବିଗତ କିଛି ମାସର ଘଟଣାବଳୀ ଉପରେ ନଜର ପକାଇ‌ଲେ ଏହା ସ୍ପଷ୍ଟ ହେଉଛି। ଦୁର୍ବ୍ୟବହାରଠାରୁ ଆରମ୍ଭ କରି ଅସଦାଚରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ ନାରୀ ବିରୋଧୀ ଅପରାଧ ରାଜ୍ୟରେ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଏହାର ଜ୍ବଳନ୍ତ ଉଦାହରଣ। ଅବସ୍ଥା ଏପରି ଯେ ଆମେରିକା ମଧ୍ୟ ତା’ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶା ବୁଲି ନ ଯିବାକୁ କିଛି ଦିନ ତଳେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଏହିକ୍ରମରେ ଶନିବାର ବାଲେଶ୍ବରରେ ନାରୀ ନିର୍ଯାତନାର ଆଉ ଏକ ନଗ୍ନ ରୂପ ଦେଖିବାକୁ ମିଳିଛି। ରାଜ୍ୟର ଅନ୍ୟତମ ନାମକରା ଶିକ୍ଷାନୁଷ୍ଠାନ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ନିର୍ଯାତନାରେ ଅତିଷ୍ଠ ଜଣେ ଛାତ୍ରୀ କଲେଜ କର୍ତ୍ତୃପକ୍ଷ, ପୁଲିସ, ସାଂସଦଙ୍କୁ ଗୁହାରି କରି କରି ନିରାଶ ହେବା ପରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ।

ଗତକାଲି ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଅଧ୍ୟାପକଙ୍କ ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମାହୂତି ଉଦ୍ୟମ କରିଥିଲେ। ଏହାପରେ କଲେଜର କିଛି ଛାତ୍ର ସେମାନଙ୍କ ଜୀବନକୁ ବାଜିରେ ଲଗାଇ ଝିଅଟିକୁ ଉଦ୍ଧାର କରିଥିଲେ। ଝିଅଟିକୁ ଉଦ୍ଧାର କରୁଥିବା ପିଲାମାନେ ମଧ୍ୟ ନିଆଁ କବଳକୁ ଆସିଯାଇଥିଲେ। ସେମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଝିଅଟିକୁ ଉଦ୍ଧାର କରିବା ପରେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରଯାଇଥିଲା। ହେଲେ ତାର ଅବସ୍ଥା ଗୁରୁତର ଥିବାରୁ ତାକୁ ସିଧା ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ଏହାପରେ ଗଣମାଧ୍ୟମରେ ଖବର ବାଜିବା ସହ ସାରା ରାଜ୍ୟରେ ଘଟଣାଟି ବିଜୁଳିବେଗରେ ଖେଳିଯାଇଥିଲା। ମହାବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରୀ ଅଧ୍ୟାପକଙ୍କ ନିର୍ଯାତନା ପାଇଁ ଆତ୍ମାହୂତି ପରି ଚରମ ପଦକ୍ଷେପ କଣ ପାଇଁ ନେଲା ? ତା’ଙ୍କୁ କଣ ପାଇଁ ନ୍ୟାୟ ମିଳିନଥିଲା? ସବୁଠୁ ବଡ଼ କଥା ହେଉଛି ଏହି ଘଟଣା ବାବଦରେ କଲେଜ,ପୁଲିସ ଓ ସାଂସଦ ସବୁ ଅବଗତ ଥିବା ସତ୍ତ୍ବେ ବି କିଛି ପଦକ୍ଷେପ କଣ ପାଇଁ ନିଆ ଗଲାନି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘଟଣାଥିଲା କିଛି ଏମିତି…..

ଅଭିଯୋଗ ଅନୁସାରେ, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷା (ଇଣ୍ଟିଗ୍ରେଟେଡ୍‌ ବିଏଡ୍‌) ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତଥା ଏବିଭିପି ନେତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି, ମହାବିଦ୍ୟାଳୟର ଏଜୁକେସନ୍‌ ବିଭାଗର ଏଚ୍‌ଓଡି ସମୀର କୁମାର ସାହୁଙ୍କ ନାଁରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ୬ମାସ ତଳେ ଅଧ୍ୟାପକଜଣଙ୍କ ଛାତ୍ରୀଙ୍କଠାରୁ ଶାରୀରିକ ପ୍ରାପ୍ୟ ଆଶା କରିଥିଲେ। ‘ମୋତେ ଟିକେ ଫେଭର୍‌ କର, ମୁଁ ତୁମର ସବୁ କଥା ବୁଝିଦେବି’। ଛାତ୍ରୀଜଣଙ୍କୁ ଏପରି କହୁଥିଲେ ଏଚ୍‌ଓଡି ସମୀର କୁମାର ସାହୁ। ମାତ୍ର ଛାତ୍ରୀଜଣଙ୍କ ଅଧ୍ୟାପକଙ୍କ ପ୍ରସ୍ତାବରେ ରାଜି ନହେବାରୁ ଶ୍ରୀ ସାହୁ ତାଙ୍କୁ ପ୍ରଥମେ କ୍ଲାସ୍‌ରେ ଅନୁପସ୍ଥିିତିକୁ କେନ୍ଦ୍ର କରି ଫେଲ୍‌ କରିଦେବାର ଧମକ ଦେଇଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନର କିଛି ଘଟଣାବଳୀକୁ ତାଙ୍କ ପିତାମାତାଙ୍କୁ ଫୋନ୍ କରି ଜଣାଇଥିଲେ।

ଛାତ୍ରୀଜଣଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମପ୍ରାପ୍ତ ଟ୍ରେନର୍‌। ସରକାରୀ ପ୍ରଶିକ୍ଷଣ ଶିବିର କାରଣରୁ ବହୁ ସମୟରେ କଲେଜରେ ଅନୁପସ୍ଥିତ ରୁହନ୍ତି। ଏହି ସୁଯୋଗର ଫାଇଦା ନେଇ ବାରମ୍ବାର ଛାତ୍ରୀଜଣଙ୍କୁ ଅଧ୍ୟାପକ ଶ୍ରୀ ସାହୁ ଅପମାନିତ କରିବା ସହ ଦୀର୍ଘ ମାସ ଧରି ନିର୍ଯାତନା ଦେଇଆସୁଥିଲେ। ଏ ସଂପର୍କରେ ସୌମ୍ୟାଶ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କଠାରେ ଅଭିଯୋଗ କରିଥିଲେ। ଏପରିକି, ସଂପୃକ୍ତ ଅଧ୍ୟାପକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଥିଲେ। କଲେଜ କର୍ତ୍ତୃପକ୍ଷ ଏ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଅତିରିକ୍ତ ଏସ୍‌ପି ନିରଞ୍ଜନ ବେହେରା, ସହଦେବଖୁଣ୍ଟା ଥାନା ଅଧିକାରୀ ଅଜୟ କୁମାର ମୁର୍ମୁଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହାର ଦିନକ ପରେ ହିଁ ଅଧ୍ୟାପକଜଣଙ୍କ ନିଜ ସହକର୍ମୀ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇ ମାନସିକ ଚାପ ପକାଉଛନ୍ତି ବୋଲି ପୁଣି ସୌମ୍ୟାଶ୍ରୀ ଅଭିଯୋଗ କରିଥିଲେ।

ଏଥି ସହିତ ବିଭାଗୀୟ ମୁଖ୍ୟ ଅଧ୍ୟାପକଙ୍କ ଏପରି ଆଚରଣ ବିରୋଧରେ କଲେଜ ଅଧ୍ୟକ୍ଷ, ଜିଲ୍ଲା ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଏବଂ ସାଂସଦଙ୍କୁ ଜଣାଇ ନ୍ୟାୟ ମାଗିଲେ। କିନ୍ତୁ କେହି ଶୁଣିଲେନି। କଲେଜ ଆଭ୍ୟନ୍ତରୀଣ କମିଟି ବି ତା’ର ରିପୋର୍ଟରେ ଅଧ୍ୟାପକଙ୍କୁ କ୍ଲିନ୍‌ଚିଟ୍‌ ଦେଲା। ଏହାପରେ ଅଧ୍ୟକ୍ଷ ଅଭିଯୋଗର ବଳିଷ୍ଠ ପ୍ରମାଣ ମାଗିଲେ। ଶେଷରେ ନିରାଶ ହୋଇ ଜଣେ ଛାତ୍ରୀ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଆଗରେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇଦେଲେ।

ଏବିଭିପିର ନେତ୍ରୀ ହୋଇ ମଧ୍ୟ ନ୍ୟାୟ ପାଇଲେନି

ଗତକାଲିଠୁ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏହି ଖବର ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି କି ରାଜ୍ୟରେ ବିଜେପି ସରକାର ଥିବା ସମୟରେ ତାଙ୍କ ସମର୍ଥିତ ଏକ ଛାତ୍ର ସଙ୍ଗଠନର ନେତ୍ରୀ ନ୍ୟାୟ ନପାଇ ଆତ୍ମହୂତି ଭଳି ଚରମ ପଦକ୍ଷେପ ନେଉଛି। ପୀଡିତା ଝିଅଟି ପ୍ରାୟ ୪ ବର୍ଷ ହେବ ABVPର କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଛି। ଭୋଗରାଇରେ ଯୁକ୍ତ ଦୁଇ ପଢିବା ସମୟରୁ ସେ ABVP ଛାତ୍ର ସଙ୍ଗଠନ ସହ ଯୋଡିହୋଇ ରହିଛି। ଏଥି ସହିତ ABVPର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସକ୍ରୀୟ ଭୂମିକା ଗ୍ରହଣ କରନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ଛାତ୍ରୀ ଜଣଙ୍କ ପୂର୍ବରୁ ତା ଉପରେ ହେଉଥିବା ଅତ୍ୟାଚାର ନେଇ ABVP ଲେଟର ପ୍ୟାଡରେ ମଧ୍ୟ ଅଭିଯୋଗ କରିଛି। ଖାଲି ସେତିକି ନୁହେଁ ABVP ଛାତ୍ର ସଙ୍ଗଠନ ମଧ୍ୟ ଛାତ୍ରୀ ଜଣଙ୍କୁ ଅଧ୍ୟାପକ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ କଲେଜରେ ଆନ୍ଦୋଳନ କରିଥିବା ଶୁଣିବାକୁ ମିଳୁଛି। ହେଲେ ତାହା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା କାହିଁକି?

ସବୁ ଜାଣିଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ 

ଗତକାଲି ଛାତ୍ରୀ ଜଣଙ୍କ ଆତ୍ମାହୂତି ଉଦ୍ୟମ କରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଗଣମାଧ୍ୟମକୁ ଦେଇଥିବା ଏକ ବାଇଟ୍‌ ରାଜ୍ୟବାସୀକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଯେଉଁ ବାଇଟ୍‌ରେ ସାଂସଦ କହୁଛନ୍ତି ଛାତ୍ରୀଜଣଙ୍କ କିଛି ପିଲାଙ୍କ ସହ ୭ରୁ ୮ ଦିନ ତଳେ ମୋ ପାଖକୁ ଅଭିଯୋଗ ନେଇ ଆସିଥିଲେ। ଜଣେ ଅଧ୍ୟାପକ ତାଙ୍କୁ ନିର୍ଯ୍ୟାତନା ଦେଉଥିବା କହିଥିଲେ। ଆଉ ଏହାପରେ ସାଂସଦ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଏଥି ସହିତ ସେହି ଦିନ ବାଲେଶ୍ବର ଏସ୍‌ପିଙ୍କୁ ମଧ୍ୟ ଜଣାଇଥିବା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଇଟ୍‌ରେ କହିଛନ୍ତି।

https://twitter.com/the_subhrasn29/status/1940096534634537198?ref_src=twsrc%5Etfw

ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ସାଂସଦ ଏନେଇ କଲେଜ ଅଧ୍ୟକ୍ଷ ଏବଂ ପୁଲିସ ବିଭାଗର ଜିଲ୍ଳା ମୁଖ୍ୟଙ୍କୁ ଜଣାଇବା ପରେ ମଧ୍ୟ କିଛି ପଦକ୍ଷେପ କଣ ପାଇଁ ନିଆଗଲା ନାହିଁ। ସାଂସଦଙ୍କ କହିବା ଅନୁସାରେ ଛାତ୍ରୀ ଜଣଙ୍କ ୭ରୁ ୮ ଦିନ ତଳେ ତାଙ୍କ ପାଖକୁ ଅଭିଯୋଗ ନେଇ ଯାଇଥିଲେ। ତା ପରେ ବି କିଛି ନ୍ୟାୟ ମିଳିଲା ନାହିଁ। ଆଉ ସେହି ଛାତ୍ରୀ ଜଣଙ୍କ ଜଣେ ସାଧାରଣ ଛାତ୍ରୀ ନୁହେଁ, ସେ ABVP ଛାତ୍ର ସଙ୍ଗଠନର ନେତ୍ରୀ।

ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାବିଭାଗକୁ ଟ୍ବିଟ୍‌ କରିଛି ପୀଡିତା

ଗତକାଲି ଛାତ୍ରୀ ଆତ୍ମାହୂତି ଉଦ୍ୟମ ପରେ ଆଉ ଗୋଟିଏ ବଡ଼ କଥା ସାମ୍ନାକୁ ଆସିଛି ଯେ ପୀଡିତା ଜଣଙ୍କ ଗତ ଜୁଲାଇ ୧ ତାରିଖରୁ ତା’ ଉପରେ ହେଉଥିବା ଅତ୍ୟାଚାର ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛି। ଏଥି ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିକ୍ଷା ବିଭାଗ, ବାଲେଶ୍ବର ବିଧାୟକ ମାନସ ଦତ୍ତ, ଜାତୀୟ ମହିଳା କମିଶନ, ବାଲେଶ୍ବର ଜିଲ୍ଲାପାଳଙ୍କୁ ମଧ୍ୟ ଟ୍ୟାଗ୍‌ କରିଛି। କିନ୍ତୁ କାଲି ଅର୍ଥାତ ୧୨ ତାରିଖରେ ଛାତ୍ରୀ ଜଣଙ୍କ ଆତ୍ମାହୂତ ଉଦ୍ୟମ କରିବା ପର୍ଯ୍ୟନ୍ତ କେହି ତାର ଟ୍ବିଟରେ ଉତ୍ତର ଦେଲେନି। ଡିଜିଟାଲ ଇଣ୍ଡିଆର ସୂନେଲି ସ୍ବପ୍ନ ଦେଖାଉଥିବା ବିଜେପି ସରକାରର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅଫିସର ଛାତ୍ରୀ ଜଣଙ୍କ ଟ୍ବିଟରେ ନ୍ୟାୟ ଭିକ୍ଷା କରିବା ପରେ ମଧ୍ୟ ନ୍ୟାୟ ଦେଇ ପାରିଲେ ନାହିଁ।

 

କେବଳ ସେତିକି ନୁହେଁ ଛାତ୍ରୀ ଜଣଙ୍କ ମଧ୍ୟ ବିଭିନ୍ନ ଗଣମାଧ୍ୟମକୁ ଦେଇଥିବା ବାଇଟ୍‌ରେ ଏନେଇ ସବୁ ତଥ୍ୟ ଦେଇଥିଲେ। ଯାହା ଜୁନ୍‌ ୩୦ ତାରିଖରେ ପ୍ରସାରଣ ହୋଇଛି। ଏଥି ସହିତ ଜୁଲାଇ ୧ ତାରିଖରେ ରାଜ୍ୟର ପ୍ରମୁଖ ଖବର କାଗଜରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। ହେଲେ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଚକିତ କରୁଛି।

https://twitter.com/the_subhrasn29/status/1940215572215865364?ref_src=twsrc%5Etfw

ଏମ୍‌ସରେ ସଙ୍କଟାପନ୍ନ ରହିଛି ଛାତ୍ରୀଙ୍କ ଅବସ୍ଥା

ଭୁବନେଶ୍ବର ଏମ୍‌ସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି ବାଲେଶ୍ବର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର କଲେଜ ଛାତ୍ରୀ। ଗତକାଲି ତାଙ୍କୁ ବାଲେଶ୍ଵରରୁ ଆଣି ଏମସରେ ଭର୍ତ୍ତି କରାଯାଇଥିଲା। ଗତକାଲିଠୁ ଏମ୍‌ସରେ ଚିକିତ୍ସାଚାଲିଥିଲେ ବି ଛାତ୍ରୀ ଜଣଙ୍କର ଅବସ୍ଥାରେ କିଛି ସୁଧାର ଆସିନି। ଆଜି ସକାଳେ ଏମ୍‌ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ଦେଇଥିବା ସୂଚନାରେ କହିଛନ୍ତି ଯେ ଛାତ୍ରୀ ଜଣଙ୍କ ଅତି ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି।ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ପୀତିଡ଼ାଙ୍କୁ ଆଇସିୟୁ ଭେଣ୍ଟିଲେଟର୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ୯୫%ରୁ ଅଧିକ ପୋଡ଼ିଛି, ସ୍ଥିତିରେ କିଛି ସୁଧାର ଆସିନି। ଇଣ୍ଟରନାଲ୍‌ ଆଘାତ ହେବା ସହ କିଡ୍‌ନୀ ବି ପ୍ରଭାବିତ ହୋଇଛି। ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାରେ ଲାଗିଛନ୍ତି।

ଅଧ୍ୟାପକ ଗିରଫ, କଲେଜ ଅଧ୍ୟକ୍ଷ ନିଲମ୍ବିତ, ଗଠନ ହୋଇଛି କମିଟି

ଗତକାଲିର ଏହି ସମ୍ବେଦନଶୀଳ ଘଟଣାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ଯ୍ୟରେ ଅବହେଳା ତଥା ଏହି ଘଟଣାକୁ ସଠିକ୍‌ ଭାବେ ପରିଚାଳନା କରି ନଥିବା ହେତୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଅଭିଯୁକ୍ତ ଅଧ୍ୟାପକ ତଥା ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ସମୀର କୁମାର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ପରେ  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏଥି ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଯୁଗ୍ମ ସଚିବ ରାଙ୍କର ମହିଳା ଅଧିକାରୀ, ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

About The Author: The Sakala