ଭୁବନେଶ୍ୱର: ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଖୋଲାଯାଇଛି ହେଲପଲାଇନ ନମ୍ବର ୧୦୪ ଓ ୧୦୮ । ଏଥିପାଇଁ କର୍ମଚାରୀମାନେ ୨୪ ଘଣ୍ଟା କାମ କରୁଛନ୍ତି। ଗୁରୁତର ରୋଗୀଙ୍କୁ କିଭଳି ହସପିଟାଲ ପଠାଯିବ, ଶାରୀରିକ ସମସ୍ୟା ଥିଲେ ତୁରନ୍ତ କିଭଳି ଆମ୍ବୁଲାନ୍ସ ସେବା ମିଳିବ, ସେ ସବୁ ପରାମର୍ଶ ଏହି ନମ୍ବରରୁ ମିଳିଥାଏ । କିନ୍ତୁ କିଛି ବଦମାସ ଏହାର ମୂଲ୍ୟ ନ ବୁଝି ଟାଇମ ପାସ କରୁଛନ୍ତି । କଲ ସେଂଟରରେ ବସିଥିବା କର୍ମଚାରୀଙ୍କୁ ଫୋନ କରି ହଇରାଣ କରୁଛନ୍ତି । ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଲି ଗୁଲଜ୍ କରି ମଜା ନେଉଛନ୍ତି । ଗୋଟିଏ କି ଦୁଇଟି ନୁହେଁ ପ୍ରତିଦିନ ଥରକୁ ଥର ଏପରି ଘଟଣା ଘଟୁଛି । ଏପରି ଦ୍ୱାରା ମୁଖ୍ୟତଃ ଲାଇନ୍ ବ୍ୟସ୍ତ ରହୁଥିବା ବେଳେ ଯେଉଁମାନେ ସେବା ପାଇବାକୁ ହକଦାର ସେମାନେ ଏଥିରୁ ବଞ୍ଚିତ ରହୁଛନ୍ତି।
୧୦୮କୁ ଫୋନ କରି କିଛି ଲୋକ ଅଜବ ପ୍ରକାର ହରକତ କରୁଛନ୍ତି । ପ୍ରତିଦିନ ଫେକ୍ କଲ୍ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଅବାନ୍ତର ପ୍ରଶ୍ନ କରିବା ସହ ଅଶ୍ଳୀଳ ପ୍ରଶ୍ନ କରୁଛନ୍ତି । ଅଯଥାରେ ଫୋନ୍ କରି ଅନେକ ସମୟ ପର୍ଯ୍ୟନ୍ତ ଲାଇନ୍ ବ୍ୟବସ୍ତ ରଖୁଛନ୍ତି। ଏହିପରି କିଛି ବଦମାସଙ୍କ ଫୋନ ଯୋଗୁଁ ପ୍ରକୃତ ରୋଗୀ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପାଇ ପାରୁନାହାନ୍ତି । ଏପରିକି ବହୁ ସମୟରେ ଆମ୍ବୁଲାନ୍ସ ଯାଇ ଫେରିକି ଆସୁଛି ।
ଚଳିତ ବର୍ଷ ୧୦୮ ଓ ୧୦୪ କଲ ସେଣ୍ଟରକୁ ୫ ଲକ୍ଷ ମିଛ କଲ୍ ଆସିଥିବା ଜଣାପଡିଛି । ଏହା ଜାନୁଆରୀ ଏବଂ ଅକ୍ଟୋବର ମାସ ମଧ୍ୟରେ କଲ୍ ଆସିଥିବା ତଥ୍ୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ଏପରି କଲକୁ ସାମ୍ନା କରି କରି ନୟାନ୍ତ ହେଲେଣି । ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ପୁଲିସ୍ କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନି।