ଗଞ୍ଜାମ: ଦାଦନ ଚାଲାଣ ବେଳେ ୪ ନାବାଳକ ଉଦ୍ଧାର । ସୁରଟ ଚାଲାଣ ବେଳେ ଛତ୍ରପୁର ରେଳ ଷ୍ଟେସନରୁ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନରୁ ଏକ ମିଳିତ ଚଢ଼ାଉରେ ୪ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅପରେସନ କରାଯାଇ ଶିଶୁ ଚାଲାଣ ସନ୍ଦେହରେ ୨ ଦଲାଲ୍ ଙ୍କୁ ଅଟକ ରଖାଯାଇଛି।
ଏହି ଅପରେସନ ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ଶିଶୁ କଲ୍ୟାଣ ସମିତି (CWC), ରେଳ ସୁରକ୍ଷା ବଳ (RPF) ଏବଂ ପୋଲିସର ମିଳିତ ଆନୁକୂଲ୍ୟରେ କରାଯାଇଥିଲା। ଗୁପ୍ତ ସୂଚନା ଆଧାରରେ ଟିମ୍ ରେଳ ଷ୍ଟେସନରେ ପହଞ୍ଚି ନାବାଳକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖାଯିବା ସହ ପିଲାମାନଙ୍କୁ ନେବା ପାଇଁ ବ୍ୟବହୃତ ହୋଇଥିବା ଗାଡ଼ିକୁ ମଧ୍ୟ ଜବତ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ନାବାଳକମାନେ ମୁଖ୍ୟତଃ ଛତ୍ରପୁର ଏବଂ ପୁରୁଷୋତ୍ତମପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କୁ ଛତ୍ରପୁର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ଗୁଜରାଟର ସୁରତକୁ ଚାଲାଣ କରିବା ପାଇଁ ଯୋଜନା କରାଯାଇଥିଲା। ତେବେ ଠିକ୍ ସମୟରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲେ।
ଉଦ୍ଧାର ହୋଇଥିବା ପିଲାମାନଙ୍କୁ ଉପଯୁକ୍ତ ଯତ୍ନ, କାଉନସେଲିଂ ଏବଂ ଥଇଥାନ ପାଇଁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯିବ। ଅନ୍ୟପକ୍ଷରେ, ଅଟକ ଥିବା ଦୁଇ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରୁଛି ଯାହା ଦ୍ୱାରା ଏହି ଶିଶୁ ଚାଲାଣ ନେଟୱାର୍କ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିବିଶେଷଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ।