ଭୁବନେଶ୍ବର : ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ ହୋଇଥିବା କାରଣରୁ ନବୀନଙ୍କୁ ଭୁବନେଶ୍ବରର ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଜି ସନ୍ଧ୍ୟା ୫ଟା ୧୫ରେ ଭର୍ତ୍ତି କରାଯାଇଛି। ଡାକ୍ତର ଆଲୋକ ପାଣିଗ୍ରାହୀ ତାଙ୍କର ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ମନ୍ତ୍ରୀ, ବିଧାୟକ, ନେତା ଓ ସମର୍ଥକ ଭେଟୁଛନ୍ତି। ନବୀନ ଶୀଘ୍ର ଆରୋଗ୍ୟଲାଭ କରନ୍ତୁ ବୋଲି ତାଙ୍କର ସମର୍ଥକ ଓ ପ୍ରଶଂସକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ସୋସିଆଲ ମିଡିଆରେ ନବୀନଙ୍କ ଆରୋଗ୍ୟ କାମନା କରି ଫଲୋଅର୍ସମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ନବୀନ ମେଡିକାଲରେ ଭର୍ତ୍ତି ହେବା ନେଇ ଖବର ପ୍ରସାରଣ ପରେ ମନ୍ତ୍ରୀ, ବିଧାୟକ, ନେତା, ସମର୍ଥକ ଓ ପ୍ରଶଂସକମାନେ ହସ୍ପିଟାଲକୁ ଯାଇ ନବୀନଙ୍କୁ ଭେଟିଛନ୍ତି। । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେବା ସହ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଛନ୍ତି।
ସେପଟେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ବରି ବିଧାୟକ ବିଶ୍ବରଂଜନ ମଲ୍ଲିକ, ସ୍ବରୂପ ଦାସ, ପ୍ରଣବ ବଳବନ୍ତ ରାୟ, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ପ୍ରମୁଖ ନବୀନଙ୍କୁ ଭେଟିଛନ୍ତି।