ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ

କେନ୍ଦ୍ରାପଡ଼ା: ବନ୍ୟାଞ୍ଚଳ ବୁଲୁଥିଲେ ନେତା, କାମୁଡ଼ି ଦେଲା ସାପ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀକୁ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି। ଗୁରୁବାର ଦିନ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିବା ବେଳେ ସେ ଏହି ଅଘଟଣର ଶିକାର ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା କାରଣରୁ ରାଜନଗର ବିଧାନସଭା କ୍ଷେତ୍ରର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି ବନ୍ୟା ପ୍ରଭାବିତ ବାଚ୍ଛରା ମଣ୍ଡପଡ଼ା ଅଞ୍ଚଳ ଗସ୍ତରେ ଯାଇଥିଲେ। ସେଠାରେ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା।

ସାପ କାମୁଡ଼ିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଡାକ୍ତରମାନେ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଏବଂ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

About The Author: Madhusudan Das