ବରଗଡ଼: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦାୟର ହୋଇଥିବା ଏକ ଲାଞ୍ଚ ମାମଲାରେ ବରଗଡ଼ ସଦର ରେଞ୍ଜର ପୂର୍ବତନ ଅବକାରୀ ଇନ୍ସପେକ୍ଟର ଇନ୍ଦ୍ରଜିତ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଏହି ଦୁର୍ନୀତି ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ତାଙ୍କୁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଣେ ଅଭିଯୋଗକାରୀ ନିଜ ତେଜରାତି ଦୋକାନରେ ବିନା ଲାଇସେନ୍ସରେ ମହୁଲ ଫୁଲ ବିକ୍ରି କରୁଥିଲେ। ଏହି ଘଟଣାରେ ଅଭିଯୋଗକାରୀଙ୍କ ବିରୋଧରେ କୌଣସି ଅବକାରୀ ମାମଲା ରୁଜୁ ନକରିବା ପାଇଁ ଇନ୍ଦ୍ରଜିତ ସାହୁ ଲାଞ୍ଚ ମାଗିବା ସହ ଗ୍ରହଣ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨), ୧୩(୧)(ଡି) ଏବଂ ଧାରା ୭ ଅନୁଯାୟୀ ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।
ଅବକାରୀ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ଇନ୍ଦ୍ରଜିତ ସାହୁ ବର୍ତ୍ତମାନ ଅବସର ଗ୍ରହଣ କରିସାରିଛନ୍ତି। ତେବେ କୋର୍ଟଙ୍କ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ଅବସରକାଳୀନ ପେନସନ୍ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।