କଟକ: କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଦକ୍ଷିଣ କୋଲକାତା ସ୍ଥିତ ଆଲି ପୁର ପାଣିପାଗ ବିଭାଗ ପକ୍ଷରୁ ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏନେଇ IMD ପକ୍ଷରୁ ସୂଚନା ଜାରି ହୋଇଛି । ୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ତେବେ ଏହା ୨୩ ସୁଦ୍ଧା ବାତ୍ୟା ରୂପ ନେବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ। ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ ।
ସେପଟେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ବଳ ଗୋଟାଇ ଅଧିକ ଘନୀଭୂତ ହେଉଛି। ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି। ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ପରାମର୍ଶ ଦେଇଛି ପାଣିପାଗ ବିଭାଗ। ପଶ୍ଚିମ ବଙ୍ଗ ଓ ବଙ୍ଗଳାଦେଶ ସୀମାନ୍ତ ଅଞ୍ଚଳ ସୁନ୍ଦର୍ ବନ ସମୁଦ୍ର , ଗଙ୍ଗା ସାଗର ସହିତ ପୂର୍ବ ପଶ୍ଚିମ ମେଦିନୀପୁର ଦୁଇ ଜିଲ୍ଲା ସ୍ଥିତ ସମୁଦ୍ରରେ ମତ୍ସ୍ୟଜୀବି ମାନଙ୍କୁ ମନା କରା ଯାଇଛି ସମୁଦ୍ରରେ ମାଛ ଧରିବା ପାଇଁ।