ଚାଉଳିଆଗଞ୍ଜ ଏଟିଏମ୍‍ ଲୁଟ୍‍ ଘଟଣାକୁ ୫ବର୍ଷ ବିତିଲା , ଚିହ୍ନଟ ହୋଇ ଉଭେଇଗଲେ ୯ ମୋଷ୍ଟୱାଣ୍ଟେଡ !

କଟକ : ଏଟିଏମ୍‍ ଲୁଟ୍‍ କରିବା ପାଇଁ ଦିଆଯାଉଛି ପ୍ରଶିକ୍ଷଣ। ପୂର୍ବରୁ ଲକର୍‌ ଭାଙ୍ଗି ଲୁଟ୍‍ ହେଉଥିବା ବେଳେ ଏବେ ମେସିନ୍‍ ହ୍ୟାକିଂ କରି ଭିନ୍ନ ଭିନ୍ନ ଉପାୟରେ ଟଙ୍କା ଲୁଟ୍‍ ହେଉଛି। ହରିୟାଣା ଓ ରାଜସ୍ଥାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବହୁ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଲୁଟେରାମାନେ ଏଭଳି ନୂତନ ତରିକା ଅାପଣେଇ ନେଇ ଦେଶର ବିଭିନ୍ନସ୍ଥାନ ବୁଲି ଖୁବ୍‍ ଚତୁରତାର ସହ ଲୁଟ୍‍ପାଟ କରୁଛନ୍ତି। ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାକୁ କମିସନରେଟ୍‍ ପୁଲିସ ଯୋଜନା ପ୍ରସ୍ତୁତ […]

କଟକ : ଏଟିଏମ୍‍ ଲୁଟ୍‍ କରିବା ପାଇଁ ଦିଆଯାଉଛି ପ୍ରଶିକ୍ଷଣ। ପୂର୍ବରୁ ଲକର୍‌ ଭାଙ୍ଗି ଲୁଟ୍‍ ହେଉଥିବା ବେଳେ ଏବେ ମେସିନ୍‍ ହ୍ୟାକିଂ କରି ଭିନ୍ନ ଭିନ୍ନ ଉପାୟରେ ଟଙ୍କା ଲୁଟ୍‍ ହେଉଛି। ହରିୟାଣା ଓ ରାଜସ୍ଥାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବହୁ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଲୁଟେରାମାନେ ଏଭଳି ନୂତନ ତରିକା ଅାପଣେଇ ନେଇ ଦେଶର ବିଭିନ୍ନସ୍ଥାନ ବୁଲି ଖୁବ୍‍ ଚତୁରତାର ସହ ଲୁଟ୍‍ପାଟ କରୁଛନ୍ତି। ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାକୁ କମିସନରେଟ୍‍ ପୁଲିସ ଯୋଜନା ପ୍ରସ୍ତୁତ କରିଛି। ଗତ ସପ୍ତାହରେ ଭୁବନେଶ୍ୱର ପୁଲିସ ଦୁଇ ଜଣ ଏଟିଏମ୍‍ ଲୁଟେରାକୁ ଧରିଥିଲା। ସେମାନେ ଏଟିଏମ୍‍ ମେସିନ୍‍ରେ ଏକ ଡିଭାଇସ୍‍ ଖଞ୍ଜି ଅତ୍ୟାଧୁନିକ ଉପାୟରେ ଟଙ୍କା ଲୁଟ୍‍ କରୁଥିଲେ। ଏପରିକି କଟକରେ ଏକାଧିକ ଏଟିଏମ୍‍ରୁ ଲୁଟ୍‍ କରିଥିବା ପୁଲିସ ଜାଣିବାକୁ ପାଇଥିଲା।

ତେବେ ଏହି ଲୁଟ୍‍ ପଛରେ ଅନ୍ୟ କେଉଁମାନଙ୍କ ହାତ ରହିଛି କମିସନରେଟ୍‍ ପୁଲିସ ଏହାର ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷେ ଚାଉଳିଆଗଞ୍ଜ ଏଟିଏମ୍‍ ଲୁଟ୍‍ ଘଟଣାକୁ ଇତିମଧ୍ୟରେ ୫ବର୍ଷ ବିତିଗଲାଣି। ଲୁଟେରାମାନେ ଗଣ୍ଡରପୁରସ୍ଥିତ ଏକ ଏଟିଏମ୍‍କୁ ତାଡି ପ୍ରାୟ ୨୦ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହି ଲୁଟ୍‍ ପଛରେ ରାଜ୍ୟ ବାହାର ଲୁଟେରାଙ୍କ ସମ୍ପୃକ୍ତି ରହିଥିଲା। ଏପରିକି ଅଭିଯୁକ୍ତଙ୍କ ପରିଚୟ ମିଳିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ। ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଅଭିଯୁକ୍ତମାନେ ଏବେ କେତେକ ଯୁବକଙ୍କୁ ଲୁଟ୍‍ ସଂକ୍ରାନ୍ତ ତାଲିମ୍‍ ଦେଉଥିବା ନେଇ ପୁଲିସ ଜାଣିବାକୁ ପାଇଛି। ୨୦୧୬ ସେପ୍ଟେମ୍ବରରେ ଦୁର୍ବୃତ୍ତମାନେ ଗଣ୍ଡରପୁରସ୍ଥିତ ଏସ୍‍ବିଆଇ ଏଟିଏମକୁ ଗ୍ୟାସ କଟର୍‌ରେ କାଟି ଲକ୍ଷାଧିକ ଟଙ୍କା ଲୁଟିଥିଲେ। ଚାଉଳିଆଗଞ୍ଜ ଥାନା ଠାରୁ ମାତ୍ର ୩ ଶହ ମିଟର ଦୂରରେ ଏହି ଘଟଣା ଘଟିଥିଲା।

ଘଟଣାର ପୂର୍ବଦିନ ସନ୍ଧ୍ୟାରେ ଉକ୍ତ ଏଟିଏମରେ ୨୦ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା ବୋଲି ବ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଲୁଟ୍‍ ପଛରେ ରାଜସ୍ଥାନର ଲୁଟେରା ଗ୍ୟାଙ୍ଗର ସମ୍ପୃକ୍ତି ମିଳିଥିଲା। ଏହି ଲୁଟେରା ଦଳ ସେହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଟିଏମ୍‍ ଳୁଟ୍‍ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ଚାଉଳିଅଗାଞ୍ଜ ସମେତ ବାଦାମବାଡି, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ବାରିପଦାରେ ଥିବା ବିଭିନ୍ନ ଏଟିଏମ୍‍ କାଉଣ୍ଟରରୁ ଲୁଟ୍‍ ଘଟାଇଥିଲେ। ପୁଲିସ ଏହି ମାମଲାର ତଦନ୍ତ କରି ରାଜସ୍ଥାନ-ହରିଆଣା ସୀମାର ଏକ ଦୁର୍ଗମ ଅଞ୍ଚଳରେ ଚଢଉ କରି ହରିଆଣା ଗୁରୁଗାଁଓରେ ରହୁଥିବା ମହମ୍ମଦ ସହିଦ ଓ ମହମ୍ମଦ ଜାହିଦକୁ ଗିରଫ କରିଥିଲା।

ଏହି ଲୁଟେରା ଦଳ ପୂର୍ବରୁ ଓଡ଼ିଶା ସମେତ ହରିଆଣା, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜୁରାଟ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଟିଏମ ତାଡ଼ି ପ୍ରାୟ ୬୦ କୋଟି ଟଙ୍କା ଲୁଟିଥିଲେ ବୋଲି ଅଭିଯୁକ୍ତଦ୍ୱୟ ମାନିଥିଲେ। ଏହି ଗ୍ୟାଙ୍ଗରେ ହରିଆଣା ନୁହୁ ଜିଲ୍ଲାର ମହମ୍ମଦ ଫାରୁକ, ଏମଡି ଇକ୍ରାମ, ମହମ୍ମଦ ସମିମ, ଏସ. ମୁସ୍ତାକ, ଦକ୍ଷିଣ ଦିଲ୍ଲୀ ଅଞ୍ଚଳର ଜୁଲ୍ଲା ଓ ଜୁଲଫିକର, ନୁହୁ କୋହିରୀ, ଏମଡି ଅକତାର, ଏମ.ଡି ଆଜାଦ, ଏମଡି ୱାହିଦ ଓ ଗୁରୁଗାଁଓ ମଦନପୁରୀର ଆନସ ଖାନଙ୍କ ସଂପୃକ୍ତି ଥିବା ପୁଲିସ ତଦନ୍ତରୁ ଜାଣିପାରିଥିଲା। ପୁଲିସ ସେମାନଙ୍କ ନାଁ ଜାଣିବା ପରେ ମଧ୍ୟ ଗିରଫ କରିବାରେ ସଫଳ ହୋଇପାରିନାହିଁ। ଇତିମଧ୍ୟରେ ଚାଉଳିଆଗଞ୍ଜ ଏଟିଏମ୍‍ ଲୁଟ୍‍ ଘଟଣାକୁ ୫ବର୍ଷ ବିତି ଯାଇଥିବା ବେଳେ ପୁଲିସ ଏହି ଅଭିଯୁକ୍ତଙ୍କୁ ମୋଷ୍ଟ ୱାଣ୍ଟେଡ ତାଲିକାରେ ନାମ ଯୋଡ଼ିଛି।

ତେବେ ସେମାନେ ଏବେ ଏଟିଏମ୍‍ ଓ ବଡ଼ ବଡ଼ ଲୁଟ୍‍ ପାଇଁ ସ୍ଥାନୀୟ ଯୁବକଙ୍କୁ ପ୍ରଶିକ୍ଷଣ ଦେଉଥିବା ସୂଚନା ମିଳିଛି। କମିସନରେଟ୍‍ ପୁଲିସ ଏକ ରାଜ୍ୟ ବାହାରର ୱାଣ୍ଟେଡ୍‍ ତାଲିକାରେ ଥିବା ଏହି ଲୁଟେରାକୁ ଟ୍ରାକ୍‍ କରିବା ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହନ୍ତି, ବିଭିନ୍ନ ରାଜ୍ୟରେ ଏଟିଏମ୍‍ ଲୁଟେରା ଗ୍ୟାଙ୍ଗ ରହିଛନ୍ତି। ଆମେ ଭଲ ଭାବେ ଏହି ଗ୍ୟାଙ୍ଗଗୁଡ଼ିକ ସଂକ୍ରାନ୍ତରେ ଅନୁଧ୍ୟାନ କରୁଛୁ। ଗ୍ୟାଙ୍ଗ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ଓ ସେମାନଙ୍କ ଲୋକେସନ ଟ୍ରେସ୍‍ କରାଯାଉଛି। ଆବଶ୍ୟକ ପଡ଼ିଲେ ପୁଲିସ ଟିମ୍‍ ରାଜ୍ୟ ବହାରକୁ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

About The Author: The Sakala