ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ, ଅଲିଭ୍‌ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ୭ ମାସ କଟକଣା ଜାରି

ପୁରୀ: ପୁରୀ ଜିଲ୍ଲା ଉପକୂଳରେ ଅଲିଭ୍‌ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ଶନିବାରଠାରୁ ସାମୁଦ୍ରିକ କଟକଣା ଜାରି ହେବ। ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ଲାଗୁ ହେଉଥିବା ଏହି କଟକଣା ଆସନ୍ତା ମେ’ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଓଡ଼ିଶା ମେରାଇନ୍‌ ଫିସିଙ୍ଗ୍‌ ରେଗୁଲେସନ୍‌ ଆକ୍ଟ ବା ଓମ୍‌ଫ୍ରା ଅନୁଯାୟୀ ମତ୍ସ୍ୟଜୀବୀମାନଙ୍କ ପାଇଁ ପୁରୀ ଉପକୂଳରୁ ସମୁଦ୍ର ମଧ୍ୟକୁ ପ୍ରବେଶ ଏବଂ ମାଛ ଧରିବା ଉପରେ କଟକଣା ଲଗାଯିବ। କେଳୁଣୀ ମୁହାଣରୁ ଦେବୀନାସୀ ସମୁଦ୍ର କୂଳରୁ ୨୦କିମି ପର୍ଯ୍ୟନ୍ତ ଅଞ୍ଚଳ ନୋ-ଫିସିଂ ଜୋନ୍‌ ରହିବ। ଅର୍ଥାତ୍‌ ଏହି ଅଞ୍ଚଳ ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲର୍‌ ମାଛ ଧରିପାରିବେ ନାହିଁ। ଏଥିସହ ଫାଶି ଜାଲ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯିବ। 

ଅଲିଭରିଡ୍‌ଲେ କଇଁଛଙ୍କ ସୁରକ୍ଷା ଏବଂ ପ୍ରଜନନକୁ ଗୁରୁତ୍ୱ ଦିଆଯାଇ ଏହି କଟକଣା ଲାଗୁ ହେବ। ତେବେ ବନ ବିଭାଗ ଏବଂ ମତ୍ସ୍ୟ ବିଭାଗ ପକ୍ଷରୁ ଅଲିଭ୍‌ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଯେଉଁସବୁ ପ୍ରସ୍ତୁତି କରାଯିବା କଥା, ତାହା ଅଧାପନ୍ତରିଆ ରହିଛି। ଫଳରେ କଇଁଛଙ୍କ ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରକୃତିବନ୍ଧୁ ସରୋଜ କୁମାର ଜେନା। ଏ ସମ୍ପର୍କରେ ସହକାରୀ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ କହିଛନ୍ତି, ଏଫ୍‌ଏଲ୍‌ସି କର୍ମଚାରୀଙ୍କର ବୈଠକ ପ୍ରତିବର୍ଷ ହେଉଛି। ଏବର୍ଷ ମଧ୍ୟ କରାଯିବ। ସେହିପରି ବିଭାଗ ପକ୍ଷରୁ କଇଁଛଙ୍କ ସୁରକ୍ଷା ପାଇଁ ଅନ୍ୟାନ୍ୟ ପ୍ରସ୍ତୁତି କରାଯାଇଛି।

About The Author: Madhusudan Das