ସରିଲା ଝାମୁ; ଆଜିଠୁ ଝାଞ୍ଜି

ଭୁବନେଶ୍ୱର: ବସନ୍ତର ଶେଷ ମାସ ଚୈତ୍ରର କଠିନ ମାନସିକର ପର୍ବ ଝାମୁ ଯାତ୍ରା ଶେଷ ହୋଇଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ତତଲା ବୈଶାଖ। ଏହା ସାଙ୍ଗକୁ ତାଳ ଦେଇ ବସନ୍ତର ମନ୍ଦ ମନ୍ଦ ପବନ ବନ୍ଦ ହୋଇ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ। ଆଜି ପହିଲି ବୈଶାଖରୁ ତାତି ତା’ର ତାଉ ଦେଖାଇଥିବାବେଳେ ଆସନ୍ତାକାଲି(ସୋମବାର)ଠାରୁ ଆହୁରି କଲବଲ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଝାଞ୍ଜି ମାଡ଼ ସାଙ୍ଗକୁ ଅନୁଭୂତ ହେବ ମୁଣ୍ଡ ଫଟା […]

ଭୁବନେଶ୍ୱର: ବସନ୍ତର ଶେଷ ମାସ ଚୈତ୍ରର କଠିନ ମାନସିକର ପର୍ବ ଝାମୁ ଯାତ୍ରା ଶେଷ ହୋଇଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ତତଲା ବୈଶାଖ। ଏହା ସାଙ୍ଗକୁ ତାଳ ଦେଇ ବସନ୍ତର ମନ୍ଦ ମନ୍ଦ ପବନ ବନ୍ଦ ହୋଇ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ। ଆଜି ପହିଲି ବୈଶାଖରୁ ତାତି ତା’ର ତାଉ ଦେଖାଇଥିବାବେଳେ ଆସନ୍ତାକାଲି(ସୋମବାର)ଠାରୁ ଆହୁରି କଲବଲ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଝାଞ୍ଜି ମାଡ଼ ସାଙ୍ଗକୁ ଅନୁଭୂତ ହେବ ମୁଣ୍ଡ ଫଟା ଖରା। ବର୍ତ୍ତମାନ ତୁଳନାରେ ଖରାର ପ୍ରକୋପ ବଢ଼ିବ ହେତୁ ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବା ସହ ସ୍ୱାଭାବିକ ତୁଳନାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ଖରା ଦାଉରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାମ ନ ଥିଲେ ବାହାରକୁ ଯିବାକୁ ବାରଣ କରାଯାଇଛି।

ଗତ କିଛି ଦିନ ହେବ ଲଗାତର କାଳବୈଶାଖୀଜନିତ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଥିଲା। ମାତ୍ର କାଳବୈଶାଖୀ ପ୍ରଭାବ କମିବା ସହ ରାଜ୍ୟକୁ ପୁଣି ଥରେ ଶୁଷ୍କ ବାୟୁର ପ୍ରବେଶ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟର ୧୦ସହରରେ ତାପମାତ୍ରା ୩୯ ଡିଗ୍ରୀ କିମ୍ୱା ଅଧିକ ରେକର୍ଡ କରାଯାଇଛି। ପ୍ରାୟ ସପ୍ତାହକ ପରେ ପୁଣି ଥରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ତାପମାତ୍ରା ୪୦.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଛି। ଏଥିପାଇଁ ରାଜ୍ୟରେ ଦିନ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ଘଟୁଛି। ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଆଗାମୀ ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ ୪ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସହ କିଛି ଅଂଚଳରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଆସନ୍ତାକାଲି କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ପୂର୍ବକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାରଠାରୁ ଖରାର ପ୍ରକୋପ ଆହୁରି ବଢ଼ିବ ସହିତ ଅଧିକ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ୍ନ ହେବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୬ ତାରିଖରେ କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ କନ୍ଧମାଳରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ ବୋଲି କେନ୍ଦ୍ର କହିଛି।

About The Author: The Sakala