ବାରିପଦା: ଅଟୋକୁ ଧକା ଦେଲା ଟ୍ରକ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ମାଆ ଗୁରୁତର । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କାଳିକାପୁର ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ହେଲେ ଗାନସା କିସ୍କୁ ଓ ୮ ବର୍ଷର ପୁଅ ରାମରାଜ କିସ୍କୁ । ସୂଚନା ଅନୁସାରେ, କରଞ୍ଜିଆ ହସ୍ପିଟାଲରୁ ପୁଅକୁ ଡାକ୍ତରଙ୍କୁ ଦେଖାଇ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗାଁରେ ବୋଲି ସୂଚନା । ଘରକୁ ଯିବା ବେଳେ କାଳିକାପୁର ନିକଟରେ ଅଟୋକୁ ଧକ୍କା ଦେଇଥିଲା ଟ୍ରକ । ଅଟୋରେ ବାପ, ମା ଓ ପୁଅ ବସିଥିଲେ । ଦୁର୍ଘଟଣାରେ ଅଟୋ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ମହିଳାଙ୍କୁ କେନ୍ଦୁଝର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।