କୋମନା: ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ। ଫଳରେ ସିଏସ୍ଓ ଅଫିସ ସମ୍ମୁଖରେ ଅନୁଷ୍ଠିତ ଆନ୍ଦୋଳନରେ ସାମିଲ ହୋଇ ନିରାଶରେ ଫେରିବା ପରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଜଣେ ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ । ମୃତ ଚାଷୀ ହେଲେ କୋମନା ବ୍ଲକ ଜଡାମୁଣ୍ଡା ଗାଁର ନେପାଳ ମାଝୀ । ଧାନ ବିକି ନପାରି ସେ ଜୀବନ ହାରିଥିବା ଆଲୋଚନା ହେଉଛି। ପ୍ରକାଶ ଯେ, ଜଡ଼ାମୁଣ୍ଡା ରବି ଧାନ ମଣ୍ଡିରେ ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ୩୬ କ୍ୱିଣ୍ଟାଲ ୯୬ କିଲୋଗ୍ରାମ ଧାନ ବିକିବାକୁ ନେପାଳଙ୍କ ପାଖକୁ ଟୋକନ୍ ଆସିଥିଲା । ମଣ୍ଡିରୁ ଧାନ ଉଠୁନଥିବାରୁ ଗତକାଲି ଗାଁର ଶତାଧିକ ଚାଷୀଙ୍କ ସହ ନେପାଳ ସିଏସ୍ଓ ଅଫିସ ଆଗରେ ବିକ୍ଷୋଭରେ ସାମିଲ ହୋଇଥିଲେ। ସେଠାରୁ ଘରକୁ ଫେରି କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।
ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଆଜି ଦିନ ୧୧ଟାରେ ନେପାଳଙ୍କ ଶବ ଗାଁରେ ପହଞ୍ଚି ଥିଲା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ସରକାରୀ ଚାକିରି ଦାବିରେ ଗାଁ ଲୋକେ ଶ୍ମଶାନରୁ ଶବକୁ ଆଣି ଜାତୀୟ ରାଜପଥ ନଂ.୩୫୩ ଉପରେ ରଖି ଅବରୋଧ କରିଥିଲେ। ପରେ ନୂଆପଡ଼ା ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି, କୋମନା ତହସିଲଦାର ପ୍ରମୁଖ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଘଟଣା ସ୍ଥଳରେ ମୃତକଙ୍କ ପରିବାରକୁ ରେଡ୍କ୍ରସ ଫଣ୍ଡରୁ ୫୦ ହଜାର ଟଙ୍କା ସହାୟତା ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।