‘ମାଟି’, ‘ପାର୍ଟି’ ମିଛ; ‘ବ୍ୟକ୍ତିଗତ ସ୍ୱାର୍ଥ’ ଆଗ

ସତ୍ୟ ସର୍ବଦା କଠୋର, ପୀଡ଼ାଦାୟକ। ସତ୍ୟକୁ ଜୀବନର ବ୍ରତ କରିଥିବା ମଣିଷ ପାଇଁ ପ୍ରତି ପଦପାତ କଣ୍ଟକିତ। ସେଇଥିପାଇଁ ବୋଧହୁଏ ସତ୍‍ପଥରେ ଚାଲୁଥିବା ମଣିଷଙ୍କ ସଂଖ୍ୟା କମ୍‍ ଓ ଯେଉଁମାନେ ଏହି ପଥରେ ଚାଲିପାରନ୍ତି ସେମାନେ ପାଲଟିଯାଆନ୍ତି ‘ମହାତ୍ମା’। ମୋହନଦାସ କରମଚାନ୍ଦ ଗାନ୍ଧୀ ହିଁ ଥିଲେ ସେହି ପଥର ପଥିକ। ସାମ୍ପ୍ରତିକ ସମୟରେ ସମସାମୟିକ ଗଣମାଧ୍ୟମର ଦୃଶ୍ୟ ଯେତେବେଳେ ଧୂମ୍ରାଭ, ତଥାକଥିତ ଅନୁସନ୍ଧାନମୂଳକ ସାମ୍ବାଦିକତା ଯେତେବେଳେ ପକ୍ଷଭୁକ୍ତ ଓ ପକ୍ଷପାତର ସନ୍ଧିକ୍ଷଣରେ ଠିଆ ହୋଇଛି, ସେଲିବ୍ରିଟି ଓ […]

ସତ୍ୟ ସର୍ବଦା କଠୋର, ପୀଡ଼ାଦାୟକ। ସତ୍ୟକୁ ଜୀବନର ବ୍ରତ କରିଥିବା ମଣିଷ ପାଇଁ ପ୍ରତି ପଦପାତ କଣ୍ଟକିତ। ସେଇଥିପାଇଁ ବୋଧହୁଏ ସତ୍‍ପଥରେ ଚାଲୁଥିବା ମଣିଷଙ୍କ ସଂଖ୍ୟା କମ୍‍ ଓ ଯେଉଁମାନେ ଏହି ପଥରେ ଚାଲିପାରନ୍ତି ସେମାନେ ପାଲଟିଯାଆନ୍ତି ‘ମହାତ୍ମା’। ମୋହନଦାସ କରମଚାନ୍ଦ ଗାନ୍ଧୀ ହିଁ ଥିଲେ ସେହି ପଥର ପଥିକ। ସାମ୍ପ୍ରତିକ ସମୟରେ ସମସାମୟିକ ଗଣମାଧ୍ୟମର ଦୃଶ୍ୟ ଯେତେବେଳେ ଧୂମ୍ରାଭ, ତଥାକଥିତ ଅନୁସନ୍ଧାନମୂଳକ ସାମ୍ବାଦିକତା ଯେତେବେଳେ ପକ୍ଷଭୁକ୍ତ ଓ ପକ୍ଷପାତର ସନ୍ଧିକ୍ଷଣରେ ଠିଆ ହୋଇଛି, ସେଲିବ୍ରିଟି ଓ ମଡ଼େଲମାନଙ୍କୁ ଆଧୁନିକ ସମାଜର ଆଦର୍ଶ ବୋଲି ପ୍ରଚାର କରୁଛି; ଗଣମାଧ୍ୟମ ସ୍ବାର୍ଥ ସାଧନର ମାଧ୍ୟମ ହୋଇଛି; ସେତେବେଳେ ସ୍ୱାଭାବିକ ଭାବରେ ମହାତ୍ମା ମନେ ପଡ଼ନ୍ତି। ସେଇଥିପାଇଁ ବିଶିଷ୍ଟ ସମ୍ବାଦପତ୍ର ସମ୍ପାଦକ ଚଲାପଥି ରାଜୁଙ୍କ ’ମହାତ୍ମା ବୋଧହୁଏ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ସାମ୍ବାଦିକ ଓ ଶ୍ରେଷ୍ଠ ସମ୍ପାଦକ’ ମନ୍ତବ୍ୟ ଯଥାର୍ଥ ମନେହୁଏ। ସାମ୍ବାଦିକ ଭାବରେ ମହାତ୍ମା କେବେହେଲେ ସାଲିସ କରି ନ ଥିଲେ କିମ୍ବା ସମ୍ପାଦକ ଭାବରେ କେବେ ମୁହଁ ଉପରେ ମୁଖା ବାନ୍ଧି ନ ଥିଲେ।

୧୯୦୪ ମସିହାରେ ମହାତ୍ମା ପ୍ରକାଶ କରିଥିଲେ ‘ଇଣ୍ଡିଆନ ଓପିନିୟନ’। ଇଂରାଜୀ, ତାମିଲ ଓ ଗୁଜରାଟୀରେ ଏହା ପ୍ରକାଶ ପାଉଥିଲା। ତାଙ୍କ ସମ୍ବାଦପତ୍ରରେ କୌଣସି ବିଜ୍ଞାପନ ପ୍ରକାଶ ପାଉ ନ ଥିଲା, ଅର୍ଥାତ୍‍ ସେ କୌଣସି ବିଜ୍ଞାପନ ଛାପିବାକୁ ଦେଉ ନ ଥିଲେ। ସାମ୍ପ୍ରତିକ ପ୍ରସଙ୍ଗ ସହ ସାଧାରଣ ଲୋକଙ୍କ ସହ ଜଡ଼ିତ ବିଷୟ ଏଥିରେ ପ୍ରକାଶ ପାଉଥିଲା। ଅତ୍ୟନ୍ତ ସଂକ୍ଷିପ୍ତ ଓ ସରଳ ଭାବରେ ଅଥଚ ଶକ୍ତିଶାଳୀ ଢ଼ଙ୍ଗରେ ଏହା ସମ୍ବାଦପତ୍ରରେ ପ୍ରତିଫଳିତ ହେଉଥିଲା। ତାଙ୍କ ପାଇଁ ସାମ୍ବାଦିକତା ବା ଗଣମାଧ୍ୟମ ରୋଜଗାରର ବୃତ୍ତି ନ ଥିଲା। ଏହା ଥିଲା ଲୋକମାନଙ୍କ ସେବା କରିବାର ଏକ ମାଧ୍ୟମ। ୧୯୨୫ ଜୁଲାଇ ୨ ତାରିଖ ସଂଖ୍ୟାରେ ଗାନ୍ଧୀ ତାଙ୍କ ସମ୍ପାଦକୀୟରେ ଲେଖିଥିଲେ – “ ମୁଁ ସାମ୍ବାଦିକତାକୁ କୌଣସି ଉଦ୍ଦେଶ୍ୟରେ ନୁହେଁ, ମୋର ମିଶନ ବୋଲି ଭାବିଛି।” ଅନୁରୂପ ଭାବରେ ନିଜ ଆତ୍ମଜୀବନୀରେ ଗାନ୍ଧୀ ଲେଖିଛନ୍ତି – “ସାମ୍ବାଦିକତାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସେବା। ଖବରକାଗଜ ଏକ ମହାନ ଶକ୍ତି, ମାତ୍ର ଯେମିତି ଅନିୟନ୍ତ୍ରିତ ଜଳରାଶି ଚତୁର୍ଦ୍ଦିଗ ଜଳମଗ୍ନ କରି ଫସଲ ନଷ୍ଟ କରିଦିଏ, ସେପରି ଅନିୟନ୍ତ୍ରିତ କଲମ ସମାଜକୁ ବିଷାକ୍ତ କରିଦିଏ….”

ମାତ୍ର ଏବେ ସମୟ ବଦଳିଛି। ଗଣମାଧ୍ୟମ କେବଳ ବ୍ୟକ୍ତିଗତ ଆକାଂକ୍ଷା ପୂରଣ ଓ ସ୍ୱାର୍ଥସାଧନର ମାଧ୍ୟମ ହୋଇଛି। ସାରା ବିଶ୍ୱର ଅଧିକାଂଶ ଗଣମାଧ୍ୟମ ଏହି ଛଦ୍ମ ମାନସିକତାରେ ପୀଡ଼ିତ। ସତ୍ୟ ଉନ୍ମୋଚନ, ସମାଜର ସେବା, ଜନଗଣଙ୍କ ସ୍ୱର ଆଦି ପ୍ରତାରଣାର ମୁଖା ପିନ୍ଧି ପ୍ରଚାର କରୁଥିବା ଆଦର୍ଶ ପଛରେ ରହିଛି ଆଉ ଏକ ଚେହେରା। ସେ ଚେହେରା ନିଜସ୍ୱ ସ୍ୱାର୍ଥର ପରିପୂରଣ। ଆଉ ସେଇଥିପାଇଁ ସୃଷ୍ଟି ହୁଏ ‘ବିଚାର ବିଭ୍ରାଟ’। ସମାଜର ସେବା ଲକ୍ଷ୍ୟ ରଖୁଥିବା ମଣିଷ ଲୋଭର ବଶୀଭୂତ ହୁଏ ନାହିଁ, ସ୍ୱାର୍ଥ ସାଧନ ପାଇଁ ସାଲିସ କରେ ନାହିଁ, କେବେହେଲେ ଦ୍ୱନ୍ଦ୍ୱର ଶିକାର ହୁଏ ନାହିଁ; ତେଣୁ ବିଚାର ବିଭ୍ରାଟର ପ୍ରଶ୍ନ ଉଠେ ନାହିଁ। ମାତ୍ର ଯେତେବେଳେ ଜନସେବା ଆଢ଼ୁଆଳରେ ପଦପଦବୀ, ପଇସା ଓ ପ୍ରତିପତ୍ତିର ଆଶା ଥାଏ ଓ ତାହା ପୂରଣ ହୋଇପାରେ ନାହିଁ ସେତେବେଳେ ସୃଷ୍ଟି ହୁଏ ବିଭ୍ରାନ୍ତି, କ୍ଷୋଭ, ଆକ୍ରୋଶ ଓ ଅସୂୟା।

ତାହା ହିଁ ସାମ୍ପ୍ରତିକ ସମୟର ବଡ଼ ବିଡ଼ମ୍ବନା। ସାମ୍ପ୍ରତିକ ସମୟରେ ଏକ ଗଣମାଧ୍ୟମ ନିରପେକ୍ଷ ରହିବା ହୁଏତ କଷ୍ଟକର, ମାତ୍ର ପୃଷ୍ଠପୋଷକତା ବିନା ସମ୍ବାଦପତ୍ର ବଞ୍ଚି ରହିବା ଅସମ୍ଭବ ବୋଲି କଦାପି କୁହାଯାଇ ପାରିବ ନାହିଁ । ମାତ୍ର ଏହାର ଅର୍ଥ ନୁହେଁ ଯେ ସମ୍ବେଦନଶୀଳ ପ୍ରସଙ୍ଗରେ ଗଣମାଧ୍ୟମ ତାର ‘ବୃତ୍ତିଗତ କୌଳିନ୍ୟ’ରୁ ବିରତ ରହିବ । ସତକୁ ମୋଡ଼ିମକଚି ନିଜକୁ ସୁହାଇବା ପରି, ନିଜ ସ୍ୱାର୍ଥ ପୂରଣ ପାଇଁ ବ୍ୟବହାର କରିବ। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କି ନୁହେଁ ସେ ସଂକ୍ରାନ୍ତ ବିତର୍କର ଶେଷ ହୋଇ ନାହିଁ, ଜନଗଣଙ୍କ ସ୍ୱାର୍ଥ ଓ ସ୍ୱାଭିମାନର ପକ୍ଷଧର ବୋଲାଉଥିବା ତଥାକଥିତ ଗଣମାଧ୍ୟମଗୁଡ଼ିକ କେତେ ସତ୍ୟାଗ୍ରହୀ, ତାହା ପରବର୍ତ୍ତୀ ସମୟ କହିବ। ମାତ୍ର ଦିଶୁଥିବା ମୁହଁଗୁଡ଼ିକ ଯେ ମୁଖାର ଉପରିଭାଗ ପରି ଚିକ୍କଣ ଓ ନିରପେକ୍ଷ, ତାହା ସତ୍ୟ ବୋଲି ବିଶ୍ୱାସ କରିହେଉନାହିଁ।

ସତ କହିବା, ସତ ଲେଖିବା, ସତ୍ୟକୁ ଜୀବନର ବ୍ରତ କରିବା ମଣିଷ ଆଜିକାଲି ଅତ୍ୟନ୍ତ ବିରଳ। ‘ଇଣ୍ଡିଆନ ଏକ୍ସପ୍ରେସ’ର ପ୍ରତିଷ୍ଠାତା ରାମନାଥ ଗୋଏଙ୍କା ତାଙ୍କ ଜୀବନରେ କେବେ ସାଲିସ କରିଥିବାର ଦୃଷ୍ଟାନ୍ତ ନାହିଁ। ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କୁ ରାଜରୋଷର ଶିକାର ହେବାକୁ ପଡ଼ିଥିଲା। ମାତ୍ର ସେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ନ ଥିଲେ। ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଗୋପବନ୍ଧୁ ଦାସ ‘ସମାଜ’କୁ କେବଳ ସମାଜ ସେବା ନିମନ୍ତେ ନିୟୋଜିତ କରିଥିଲେ। କାଳେ ‘ସମାଜ’ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହେବ ସେଥିଲାଗି ତାହାକୁ ଲାଲା ଲଜପତ ରାୟଙ୍କ ‘ଲୋକ ସେବକ ମଣ୍ଡଳ’କୁ ହସ୍ତାନ୍ତର କରିଥିଲେ। ସେଇଥିପାଇଁ ସେହି ସମ୍ବାଦପତ୍ରଗୁଡ଼ିକ ଶହଶହ ବର୍ଷ ଧରି ନିଜର ପରିଚୟ ଜିଆଇଁ ରଖିଛନ୍ତି। ଅବଶ୍ୟ ରାମନାଥ ଗୋଏଙ୍କା ଗୋପବନ୍ଧୁଙ୍କ ସହ ତୁଳନୀୟ ନୁହନ୍ତି। କେବଳ ଏକ ଉଦାହରଣରେ ଦୁହିଁଙ୍କ ମଧ୍ୟରେ ଥିବା ଏକ ସାମଞ୍ଜସ୍ୟ ଏଠାରେ ଉଲ୍ଲେଖ କରାଯାଇଛି। ଏବେ ରାଜନୀତି ଓ ନିଜ ପ୍ରତିପତ୍ତି ଲାଗି କିଛି ସମ୍ବାଦପତ୍ରର ସମ୍ପାଦକ ଗଣମାଧ୍ୟମକୁ ଅସ୍ତ୍ର ପରି ବ୍ୟବହାର କରୁଛନ୍ତି। ‘ସତ୍ୟାଗ୍ରହୀ’ ବୋଲାଇ ସତ୍ୟ ଉନ୍ମୋଚନ ନାଁରେ ପାଠକଙ୍କୁ ବିଭ୍ରାନ୍ତ କରିବା ପାଇଁ ରୀତିମତ କସରତ କରୁଛନ୍ତି। ଏହାକୁ କୁହାଯାଏ ଆତ୍ମ ପ୍ରତାରଣା। ଯେଉଁଥିପାଇଁ ସୃଷ୍ଟି ହୁଏ ବିଚାର ବିଭ୍ରାଟ ଓ ବୈଚାରିକ ଦ୍ୱନ୍ଦ୍ୱ।

ଏହି ଧରଣର ବ୍ୟକ୍ତିବିଶେଷ ସବୁବେଳେ ଦ୍ବନ୍ଦ୍ବାତ୍ମକ ସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତି। ଲକ୍ଷ୍ୟହୀନ କ୍ଷେପଣାସ୍ତ୍ର ପରି ମହାକାଶରେ ଏଣେତେଣେ ଗତି କରନ୍ତି । ନିଜ ସ୍ବାର୍ଥ ଲାଗି ଆପଣାର ଲୋକମାନଙ୍କୁ ବି ପର କରିବାରେ ସେମାନଙ୍କୁ ମୁହୂର୍ତ୍ତଟିଏ ଲାଗେ ନାହିଁ । ବିଶ୍ବସନୀୟତା ସେମାନଙ୍କଠାରୁ ଆଶା କରିବା ବୃଥା । ଗରିବ ଚିଟଫଣ୍ଡ ଜମାକାରୀଙ୍କ ବିଶ୍ବାସକୁ ଭାଙ୍ଗି, ଚାଷୀଙ୍କ ପ୍ରେଷ୍ଟିଜ୍- ପ୍ରାଇସ-ପେନସନକୁ ଶିଡ଼ି କରି କ୍ଷମତା ଅଳିନ୍ଦର ନିକଟବର୍ତ୍ତୀ ହେବା ବା ରାଜନୈତିକ ସ୍ବାର୍ଥ ହାସଲ କରିବା ସେମାନଙ୍କ ପାଇଁ ଅତି ସାଧାରଣ ଘଟଣା । ଏହି ଧରଣର ବ୍ୟକ୍ତିମାନଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏକଦା ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ବହୁବାର ଯଥାର୍ଥ ପ୍ରମାଣିତ ହୋଇ ସାରିଛି । ଥରେ ବ୍ୟକ୍ତିଗତ ଆଲୋଚନା ପ୍ରସଙ୍ଗରେ ଜାନକୀ କହିଥିଲେ ଯେ ‘ଯେଉଁ ବ୍ୟକ୍ତି ଗୋଟିଏ କୋଠରି ମଧ୍ୟରେ ସ୍ଥିର ଭାବରେ ବସି ପାରୁନାହିଁ, ଘଡ଼ିକି ଘଡ଼ି ଚଉକିର ମୁହଁ ବଦଳାଉଛି, ସେ ଜୀବନରେ ନିଜ ଲକ୍ଷ୍ୟସ୍ଥଳରେ କେବେ ବି ପହଞ୍ଚି ପାରିବ ନାହିଁ ।

ଅତୀତରେ ରାଜ୍ୟରେ ‘ମାଟି’ ଓ ‘ପାର୍ଟି’କୁ ନେଇ ଅନେକବାର ପ୍ରଶ୍ନ ଉଠିଛି। ଏବେ ଏହାମଧ୍ୟରେ ଆଉ ଏକ ପ୍ରସଙ୍ଗ ଯୋଡ଼ି ହୋଇ ଯାଇଛି। ତାହା ହେଉଛି ‘ବୃତ୍ତି’। ସ୍ୱାଭିମାନ ଓ ସମର୍ପଣ ମଧ୍ୟରେ ରହିଥିବା ବିଭେଦ ପରି ‘ମାଟି’ ଓ ‘ପାର୍ଟି’ ମଧ୍ୟରେ କେବେ ବିଚାରଗତ ସନ୍ଦେହ ରହିବା ଉଚିତ ନୁହେଁ। ମାତ୍ର ‘ମାଟି’, ‘ପାର୍ଟି’ ନେଇ ଦ୍ୱନ୍ଦ୍ୱାତ୍ମକ ମନୋଭାବ ରଖିଥିବା ରାଜନୈତିକ ବ୍ୟକ୍ତିମାନେ ଯେ କେବେ ନିଷ୍ଠାପର ବୃତ୍ତିଧାରୀ ହୋଇପାରି ନାହାନ୍ତି ତାହାର ଉଦାହରଣ ସୂଚୀ ବେଶ୍‍ ଦୀର୍ଘ। ଏହି ବର୍ଗର ବିରଳ ମଣିଷ ନା ‘ପାର୍ଟି’ର ହୋଇ ପାରିଛନ୍ତି ନା ‘ମାଟି’ର; ବରଂ ବୃତ୍ତି ମୁଖା ତଳେ ବ୍ୟକ୍ତିଗତ ସ୍ୱାର୍ଥସାଧନର ଲକ୍ଷ୍ୟ ସେମାନଙ୍କୁ ଚିରକାଳ ନିନ୍ଦିତ କରିଛି। ଦ୍ୱନ୍ଦ୍ୱାତ୍ମକ ବିଚାରଧାରାର ଏହି ମଣିଷମାନଙ୍କୁ ସମୟ ‘ସ୍ୱାର୍ଥପର’, ‘କ୍ଷମତାଲୋଭୀ’ ପରିଚୟ ଦେଇଛି। ଇତିହାସ ସେମାନଙ୍କୁ କ୍ଷମା ଦେଇନାହିଁ।

About The Author: The Sakala