ଭୁବନେଶ୍ୱର: ପରୀକ୍ଷା ଚାପ ଏବଂ ଫଳାଫଳ ନେଉଛି ଛାତ୍ରଛାତ୍ରୀଙ୍କ ଜୀବନ। ପରୀକ୍ଷାରେ ବିଫଳ ହେଲେ କ’ଣ କରିବି, ପରିବାରଲୋକ, ସାଇପଡ଼ିଶା ଓ ସାଙ୍ଗସାଥୀ କ’ଣ କହିବେ; ଏହି କଥା ଭାବି ଭାବି ଅନେକ ବିଦ୍ୟାର୍ଥୀ ନିଜ ଜୀବନ ହାରୁଛନ୍ତି। ଗତ ସପ୍ତାହକ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏପରି ଅଘଟଣ ଦେଖିବାକୁ ମିଳିଛି। ଆଜିକୁ ମିଶାଇ ସପ୍ତାହକ ଭିତରେ ୩ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। କପି କରି ଧରାପଡ଼ିବାରୁ ଆଜି ବ୍ରହ୍ମପୁରର ଜଣେ +୨ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେହିପରି ଇଂରାଜୀ ପରୀକ୍ଷା ଦେବା ପୂର୍ବରୁ ଆଜି ଭଦ୍ରକ ଜିଲ୍ଲା ଧାମନଗରର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷେ ଦୁଇ ଦିନ ତଳେ ମୟୂରଭଞ୍ଜ ଜିଲ୍ଲାରେ ଦଶମ ପରୀକ୍ଷା ଦେଉଥିବା ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ। ପରୀକ୍ଷାରେ ଫେଲ ହୋଇଯିବା ଭୟରେ ସେ ଆତ୍ମହତ୍ୟା କରିଥିବା ପରିବାରଲୋକେ କହିଛନ୍ତି। ଏଭଳି ଘଟଣା ଅଭିଭାବକ ତଥା ଶିକ୍ଷକମହଲରେ ଚିନ୍ତା ବଢ଼ାଇଛି।
ଅନ୍ୟପକ୍ଷରେ ଏନ୍ସିଆରବି ରିପୋର୍ଟ ଉପରେ ନଜର ପକାଇଲେ, ଏଭଳି ଘଟଣା ରାଜ୍ୟରେ ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି। ଗତ ୫ ବର୍ଷରେ ରାଜ୍ୟରେ ୩୭୭ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୨୦୨୧ରେ ସର୍ବାଧିକ ୧୩୫ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ କୋଭିଡ୍ ସମୟରେ ୨୦୨୦ ଏବଂ୨୦୨୨ରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ୨୪୧ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୧୩୪ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି।
୨୦୧୮ ମସିହାରେ ୧୧୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ସେଥିରୁ ୫୬ଜଣ ଛାତ୍ର ଓ ୫୮ଜଣ ଛାତ୍ରୀ ଥିଲେ। ସେହିପରି ୨୦୧୯ରେ ୭୪ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ସେଥିେର ୫୬ ଛାତ୍ର ଓ ୧୮ ଛାତ୍ରୀ ଥିଲେ। ୨୦୨୦ ମସିହାରେ ୧୭ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ସେଥିେର ୯ ଜଣ ଛାତ୍ର ଥିବା ବେଳେ ୮ଜଣ ଛାତ୍ରୀ ଥିଲେ। ସେହିପରି ୨୦୨୧ରେ ୧୩୫ଜଣ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ୧୦୨ଜଣ ଛାତ୍ର ଥିବା ବେଳେ ୩୩ଜଣ ଛାତ୍ରୀ ଥିଲେ। ୨୦୨୨ରେ ୧୮ ଛାତ୍ର ଓ ୧୯ ଛାତ୍ରୀ ମିଶାଇ ମୋଟ ୩୭ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଥିଲେ।
ଏ ସଂପର୍କରେ ମାନସିକ ରୋଗ ବିଶେଷଜ୍ଞ ରାଜେଶ ବେହେରା କହିଛନ୍ତି ଯେ ପରୀକ୍ଷା ଚାପ ପରିଚାଳନାରେ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଏକ ବଡ଼ ଭୂମିକା ରହିଛି। ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ହୋଇ ପରୀକ୍ଷା ଦେବେ, ସେ ସଂପର୍କରେ ତାଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସହ ଆବଶ୍ୟକସ୍ଥଳେ କାଉନସେଲିଂ କରିବା ଆବଶ୍ୟକ। ସେହିପରି ପରୀକ୍ଷା ଫଳାଫଳରେ ବ୍ୟସ୍ତବିବ୍ରତ ନହେବାକୁ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ଆବଶ୍ୟକ ବୋଲି ସେ କହିଛନ୍ତି।
ପରୀକ୍ଷା ଖରାପ ହେବାରୁ +୨ ଛାତ୍ରଙ୍କ ଆତ୍ମହତ୍ୟା
ପରୀକ୍ଷାରେ କପି କରି ଧରାପଡ଼ିବା ଓ ଏମ୍ପି ହେବା ପରେ ମାନସିକ ଚାପଗ୍ରସ୍ତ ହୋଇ +୨ର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସୂର୍ଯ୍ୟନଗର ଅଞ୍ଚଳରେ। ସୂର୍ଯ୍ୟନଗର ଚତୁର୍ଥ ଲାଇନ୍ ନିବାସୀ ତଥା ମାଲକାନଗିରି ପୁଲିସ ଜିଲ୍ଲାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ସେଠୀଙ୍କ ପୁଅ ଦେବାଶିଷ ସେଠୀ(୧୮) ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିରର ଯୁକ୍ତଦୁଇ ଶ୍ରେଣୀର ବିଜ୍ଞାନ ଛାତ୍ର। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଦେବାଶିଷ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଥିଲେ। ପୂର୍ବରୁ ସାହିତ୍ୟ ଓ ଇଂରାଜୀ ଭଳି ଦୁଇଟି ବିଷୟ ପରୀକ୍ଷା ଭଲ ହୋଇଥିବା ବେଳେ ଗୁରୁବାର ଦିନ ପଦାର୍ଥ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ଦେବାଶିଷ ସ୍କ୍ୱାଡ୍ ହାତରେ ଧରାପଡ଼ି ଏମ୍ପି ବା (ମାଲ ପ୍ରାକ୍ଟିସ)ରେ ବୁକ୍ ହୋଇଥିଲେ।
ମଉସା ଘରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା
ରାତି ପାହିଥିଲେ ଇଂରାଜୀ ପରୀକ୍ଷା ଦେବାକୁ ନଦିଗାଁ ପରୀକ୍ଷା କେନ୍ଦ୍ରକୁ ଯାଇଥାଆନ୍ତା ଛାତ୍ର। ହେଲେ ରାତି ପାହିବା ପୂର୍ବରୁ ସବୁ ସରିଗଲା। ନିଜ ବେକରେ ମାଉସୀର ଲୁଗାକୁ ବାନ୍ଧି ପଙ୍ଖାରେ ଝୁଲିପଡ଼ିଲା ମାଟ୍ରିକ୍ ପରୀକ୍ଷାର୍ଥୀ। ଏମିତି ଏକ ଘଟଣା ଘଟିଛି ଧାମନଗର ଥାନା ଦୋବଲ ଜୋନ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗୀର ଶାସନ ଗ୍ରାମରେ। ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ଘରେ ଏପରି ଅଘଟଣ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଡ ଗ୍ରାମର ଅଭୟ ପଣ୍ଡାଙ୍କ ପୁଅ ଅଭିଷେକ ପଣ୍ଡା ତାଙ୍କ ମଉସା ଲକ୍ଷ୍ମୀଧର ଦାଶଙ୍କ ଘରେ ରହି ପାଠ ପଢ଼଼ୁଥିଲେ। ଅଭିଷେକ ଏବେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଗୁରୁବାର ବିଳମ୍ୱିତ ରାତିରେ ଅଭିଷେକ ନିଜ ଶୋଇବା ଘରେ ବେକରେ ଶାଢ଼ି ବାନ୍ଧି ପଙ୍ଖାରେ ଝୁଲି ପଡ଼ିଥିଲେ।