ଭୁବନେଶ୍ବର: ପରଲୋକରେ ଅନ୍ତର୍ଜାତୀୟ ସ୍ତରର ଲେଖିକା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟା । ୮୦ ବର୍ଷ ବୟସରେ ଗତକାଲି ନୂଆଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି । ଗୀତାଙ୍କର ସ୍ବାମୀ ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ଘଟିଥିଲା । ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଶୋକ
ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଟୁଇଟ କରି କହିଛନ୍ତି ଯେ ଗୀତା ମେହେଟ୍ଟା ଏକ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ନିଜର ବୁଦ୍ଧିମତା, ଲେଖନୀ ସହ ଚଳଚ୍ଚିତ୍ର ନିର୍ମାଣ ପ୍ରତି ତାଙ୍କର ଆଗ୍ରହ ପାଇଁ ସେ ବେଶ ଜଣାଶୁଣା ଥିଲେ। ସେହିପରି ପ୍ରକୃତି ତଥା ଜଳ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ୍ ଋଚି ରହିଥିଲା। ଏପରି ଦୁଃଖଦ ସମୟରେ ନବୀନ ବାବୁଙ୍କ ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ରାଜ୍ୟପାଳଙ୍କ ଶୋକ
ପ୍ରଥିତଯଶା ଅନ୍ତର୍ଜାତୀୟ ଲେଖିକା ଗୀତା ମେହେଟ୍ଟାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ଶୋକସନ୍ତପ୍ତ ପରିବାର ତଥା ଆତ୍ମୀୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଶୋକ
ଗୀତାଙ୍କ ପରଲୋକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ସ୍ୱନାମଧନ୍ୟା ଲେଖିକା, ଚଳଚ୍ଚିତ୍ର ନିର୍ମାତା ଗୀତା ମେହେଟ୍ଟାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉଭୟ କେନ୍ଦ୍ରମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀମତୀ ମେହେଟ୍ଟାଙ୍କ ପରଲୋକରେ ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ଏପରି ଦୁଃଖଦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛୁ। ସେହିପରି ବିଜେପିର ରାଷ୍ଟୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ସାଂସଦ ମାନସ ମଙ୍ଗରାଜଙ୍କ ଶୋକ
ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଲେଖିଛନ୍ତି ଯେ ବିଶିଷ୍ଟ ଲେଖିକା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଏବଂ ସାମ୍ୱାଦିକ ଗୀତା ମେହେଟ୍ଟାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ କ୍ଷତି। ବିଶେଷକରି ବିଜୁ ପରିବାର ପାଇଁ ଏହା ଏକ ବ୍ୟକ୍ତିଗତ ତଥା ଅପୂରଣୀୟ କ୍ଷତି। କିଂବଦନ୍ତି ନେତା ସ୍ୱର୍ଗତଃ ବିଜୁ ପଟ୍ଟନାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ତାଙ୍କ ଲେଖା ପାଇଁ ବହୁ ପ୍ରଶଂସା ଅର୍ଜନ କରିଥିଲେ। ସେ ଭାରତ ଏବଂ ୟୁକେସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ। ଜଣେ ଖ୍ୟାତନାମା ଲେଖକ ଭାବେ ପରିଚିତ ଶ୍ରୀମତୀ ମେହଟ୍ଟା କର୍ମକୋଲା, ସ୍ନେକ ଆଣ୍ଡ ଲେଡରର୍ସ, ଏ ରିଭର ସୂତ୍ର, ରାଜ ଆଣ୍ଡ ଦି ଏଟରନାଲ୍ ଗଣେଶା ପରି ୫ ଟି ପୁସ୍ତକ ଲେଖିଥିଲେ। ତାଙ୍କ ବିୟୋଗରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତଃ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ରାଜସ୍ୱ ମନ୍ତ୍ରୀଙ୍କ ଶୋକ
ଗୀତା ମେହେଟ୍ଟାଙ୍କ ବିୟୋଗରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ନିଜ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ସ୍ୱନାମଧନ୍ୟ ଲେଖିକା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ବିୟୋଗ ଖବର ପାଇଁ ମୁଁ ମର୍ମାହତ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ସେ କହିଛନ୍ତି।
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଶୋକ
ସେହିପରି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଏନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ବିୟୋଗ ସମଗ୍ର ସାହିତ୍ୟ, ଚଳଚ୍ଚିତ୍ର ତଥା ସାମ୍ବାଦିକ ଜଗତ ଲାଗି ଏକ ଅପୂରଣୀୟ କ୍ଷତି। ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସେହିପରି ବିଜେଡି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ମଧ୍ୟ ଶ୍ରୀମତୀ ମେହେଟ୍ଟାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ସେହିପରି ଗୀତାଙ୍କ ପରଲୋକରେ ସାଂସଦ ମୁନ୍ନା ଖାଁ, ସାଂସଦ ସୁଜିତ କୁମାର, ସାଂସଦ ଶର୍ମିଷ୍ଠା ସେଠୀ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଗୀତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।