ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଓଡ଼ିଶାରେ କଳା ଓ ସଂସ୍କୃତିର ବଡ଼ ଗବେଷକ ଭାବେ ସେ ସୁପରଚିତ ଥିଲେ । ବିଶିଷ୍ଟ ଓଡ଼ିଆ କବି, ନାଟ୍ୟକାର, କଳା ଐତିହାସିକ ତଥା ପୂର୍ବତନ ଆଇଏଏସ୍ (IAS) ଅଧିକାରୀ ଥିଲେ ଡ. ଜଗନ୍ନାଥ ପ୍ରସାଦ ଦାସ । ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ଲେଖି ଖ୍ୟାତି ଅର୍ଜନ କରିଛନ୍ତି ସେ । ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। 

ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ରଚିତ କବିତା ସଂକଳନ ମଧ୍ୟରେ ‘ପ୍ରଥମ ପୁରୁଷ’, ‘ଆହ୍ନିକ’ ଏବଂ ‘ପରିକ୍ରମା’ ଆଦି ପାଠକୀୟ ଆଦୃତି ଲାଭ କରିଛି। ନାଟକ କ୍ଷେତ୍ରରେ ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଓ ‘ସୁନ୍ଦର ଦାସ’ ଏବଂ ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ତାଙ୍କର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ସାହିତ୍ୟିକ ଅବଦାନ ପାଇଁ ତାଙ୍କୁ ୨୦୦୬ ମସିହାରେ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ତେବେ ନିଜ ନୀତିଗତ ଆଦର୍ଶ କାରଣରୁ ସେ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ। ଜଣେ ଦ୍ୱିଭାଷୀ ଲେଖକ ତଥା ଅନୁବାଦକ ଭାବରେ ସେ ସୁଇଡିସ୍, ଉର୍ଦ୍ଦୁ, ଫରାସୀ ଏବଂ ଇଂରାଜୀ ଭାଷାରେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ। 

About The Author: Madhusudan Das