ସରକାରଙ୍କ ସ୍ମାର୍ଟ ମିଟର ପ୍ରୋତ୍ସାହନକୁ ଉପଭୋକ୍ତା ମହାସଂଘର ବିରୋଧ, ସ୍ମାର୍ଟ ମିଟର ବସାଇବା ବନ୍ଦ କରିବାକୁ ଦାବି…

ଭୁବନେଶ୍ବର : ଗତକାଲି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି  ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଥିଲା। ଏନେଇ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଥିଲେ ଯେ ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବିଦ୍ୟୁତ ବିଲ୍ ବଢିବନି। ଆଉ ଗୋଟେ ଘୋଷଣା ହୋଇଥିଲା ଯେ ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ତେବେ ମିଟର ରେଣ୍ଟ୍ ଛାଡ କରାଯିବ । […]

ଭୁବନେଶ୍ବର : ଗତକାଲି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି  ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଥିଲା। ଏନେଇ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଥିଲେ ଯେ ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବିଦ୍ୟୁତ ବିଲ୍ ବଢିବନି। ଆଉ ଗୋଟେ ଘୋଷଣା ହୋଇଥିଲା ଯେ ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ତେବେ ମିଟର ରେଣ୍ଟ୍ ଛାଡ କରାଯିବ । ପ୍ରତ୍ୟେକ ମାସ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଦେବେ ।

ସ୍ମାର୍ଟ ମିଟରକୁ ନେଇ ସରକାରଙ୍କ ଏହି ଘୋଷଣା ଦର୍ଶାଇଲା ଯେ ସରକାର ସ୍ମାର୍ଟ ମିଟର ଲଗାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ଘୋର ବିରୋଧ କରିଛି ରାଜ୍ୟ ଉପଭୋକ୍ତା ମହାସଂଘ। ଉପଭୋକ୍ତା ମହାସଂଘ ପ୍ରଥମରୁ ସ୍ମାର୍ଟ ମିଟର ଲଗାଇବାକୁ ବିରୋଧ କରି ଆସୁଛି, ହେଲେ ସରକାର ସ୍ମାର୍ଟ ମିଟର ଲଗାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖିଛି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ରାଜ୍ୟର ଏକ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ମାର୍ଟ ମିଟର ବସାଇବା ତୁରନ୍ତ ବନ୍ଦ କରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ମହାସଂଘର ଆବାହକ ରବି ବେହେରା ।

ସରକାର ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଦିନରେ ଲୁଟିବାକୁ ବଡ଼ ଚକ୍ରାନ୍ତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ମିଟରରେ ଯାହାର ଏବେ ବିଲ ୧ ହଜାର ଆସୁଛି ସେମାନଙ୍କର ୧୮୦୦ ଟଙ୍କା ଆସିବ । ଏପରିକି ପ୍ରିପେଡ ରିଚାର୍ଜ ସରିଗଲେ ରାତି ଅଧରେ ବିଦ୍ୟୁତ କଟିଯିବ । ଏପରିକି ଲୋକଙ୍କୁ ରିକନେକ୍ସନ ଚାର୍ଜ ଦେବାକୁ ପଡିବ । କମ୍ପାନୀର ଲୁଟ ପାଇଁ ଏହି ରେଣ୍ଟ ଛାଡ ନିଷ୍ପତ୍ତି ଉଦ୍ଦିଷ୍ଟ । ତୁରନ୍ତ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ ବୋଲି ଦାବି କରିଛି ମହାସଂଘ ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ମଧ୍ୟ ଏହାକୁ କଡ଼଼ା ସମାଲୋଚନା କରିଛନ୍ତି । ଲୋକଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ଯୋଜନା କରାଯାଇଛି ବୋଲି ସେ ବଡ଼ ଅଭିଯୋଗ କରିଛନ୍ତି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ଏହା ପ୍ରୟାସ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିରୋଧ ହୋଇଛି, ହେଉଛି ଓ ଆଗକୁ ଜୋରଦାର ବିରୋଧ ହେବ ବୋଲି ସେ ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି । ଦେଶର ସାମ୍ବିଧାନିକ ସଂସ୍ଥାକୁ ବିଜେପି ସରକାର ଦୁର୍ବଳ କରିଦେଇଛନ୍ତି। ବିଭିନ୍ନ ବାଟରେ ପ୍ରଭାବ ପକାଇ ସଂସ୍ଥା ଗୁଡିକୁ ନିଜ ଅଧୀନକୁ ନେଇ ଜନବିରୋଧୀ ନିଷ୍ପତ୍ତି ନେଉଛି ବିଜେପି ସରକାର। ଏବେ ରାଜ୍ୟରେ ଏକ ଅଘୋଷିତ ଇମରଜେନସି ବୋଲି କହିଛି କଂଗ୍ରେସ। ଲୋକଙ୍କ ସ୍ୱାର୍ଥ କହିବା ପାଇଁ କଂଗ୍ରେସ ଆନ୍ଦୋଳନ ଜୋରଦାର କରିବାର ଚେତାବନୀ ଦେଲେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ।

ଅନ୍ୟପଟେ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ନୁହେଁ ତୁରନ୍ତ ପ୍ରିପେଡ଼ ସ୍ମାର୍ଟ ମିଟର ବନ୍ଦ ଦାବି କରିଛି ସିପିଆଇଏମ। ଜନ ଆନ୍ଦୋଳନ ଜୋରଦାର ହେବା ପରେ ବାଧ୍ୟ ହୋଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ତାରିଫ ବଢ଼ାଇ ନାହାନ୍ତି। କିନ୍ତୁ ସବୁଠୁ ବଡ଼ ବିପଦ ଏବେ ଲୋକଙ୍କ ପାଇଁ ପ୍ରିପେଡ଼ ସ୍ମାର୍ଟ ମିଟର। ଏହି ମିଟର ଲଗାଗଲେ ରୋଷେଇ ଅଧା ରହିଯିବ, ହସ୍ପିଟାଲ ଅପରେସନ ଅଧା, ଚତୁର୍ଦିଗ ଅନ୍ଧାର ହୋଇଯିବ। ତେଣୁ ଏହା ଏକ ମାନବ ବିରୋଧୀ ନିଷ୍ଠୁର ପଦକ୍ଷେପ। ଭଡା ରିହାତି କହି ଲୋକଙ୍କୁ ଭୂତେଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଏହାକୁ ପ୍ରତ୍ୟାହାର ଓ ରଦ୍ଦ କରାଯିବାକୁ ଜୋରଦାର ଦାବି କରିବା ସହ ପ୍ରିପେଡ଼ ସ୍ମାର୍ଟ ମିଟରକୁ ଗ୍ରହଣ କରାଯିବ ନାହିଁ ବୋଲି ଚେତାଇ ଦେଇଛି ସିପିଆଇଏମ। ଗୁଣାତ୍ମକ ବିଜୁଳି ଦେବା ସହ ଅଘୋଷିତ ବିଜୁଳି କାଟ ବନ୍ଦ କରିବାକୁ ଦାବି କରିବା ସହ କୃଷି କ୍ଷେତ୍ରକୁ ବିଜୁଳି ଛାଡ଼ କରିବା ସହ ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ମାଗଣା ବିଜୁଳି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ସିପିଆଇଏମ।

About The Author: The Sakala