ଯାଜପୁରରେ ଅଘଟଣ: ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଖୋଜାଖୋଜି ଜାରି

ଯାଜପୁର: ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଯାଜପୁର ଜିଲ୍ଲା ଖରସ୍ରୋତା ନଦୀରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଖରସ୍ରୋତା ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ପାଣିକୋଇଲି ଥାନା ଅନ୍ତର୍ଗତ ବରେଇ ଗ୍ରାମ ନିକଟରେ ଘଟିଛି। ନିଖୋଜ ବୃଦ୍ଧ ଜଣକ ସେହି ଗ୍ରାମର ଗଜେନ୍ଦ୍ର ମାଝୀ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଗଜେନ୍ଦ୍ର ମାଝୀ ଶୌଚ ପାଇଁ ନଦୀ କୂଳକୁ ଯାଇଥିଲେ। ସେଠାରେ ଛପି ରହିଥିବା ଏକ ବିଶାଳକାୟ କୁମ୍ଭୀର ହଠାତ୍ ତାଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କୁ ଗଭୀର ଜଳ ଭିତରକୁ ଟାଣି ନେଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଭୟଭୀତ ହୋଇପଡ଼ିଥିଲେ ଏବଂ ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ।

ଗ୍ରାମବାସୀଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସହିତ ବନ ବିଭାଗ ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ପାଇଁ ସାଧାରଣ ଲୋକଙ୍କୁ ନଦୀ ଭିତରକୁ ଯିବା ଉପରେ କଟକଣା ଲଗାଯାଇଛି। ଖବର ଲେଖାହେବା ସୁଦ୍ଧା ବୃଦ୍ଧଙ୍କର କୌଣସି ପତ୍ତା ମିଳିପାରି ନାହିଁ।

About The Author: Madhusudan Das