କାମ କରୁନି କ୍ୟାପିଟାଲ୍‌‌ ହସ୍ପିଟାଲର ‘ଇ-ଟିକଟ୍‌‌’ ବ୍ୟବସ୍ଥା; କାଉଣ୍ଟରରେ ଲମ୍ବା ଧାଡ଼ି, ଦହଗଞ୍ଜ ବରିଷ୍ଠ ନାଗରିକ ଓ ମହିଳା

ଭୁବନେଶ୍ୱର: କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌ରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଗତ ଜାନୁୟାରୀ ୯ରୁ ଇ-ଟିକଟ୍‌‌ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଗତ କିଛିଦିନ ଧରି ଇ-ଟିକ୍‌‌ଟ ବ୍ୟବସ୍ଥା କାମ କରୁନି। ଫଳରେ ରୋଗୀ ନିରାଶ ହୋଇ ଫେରୁଛନ୍ତି। ଅନେକ ହଇରାଣ ହରକତ ହେଉଛନ୍ତି। କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌କୁ ରାଜଧାନୀ ଏବଂ ଏହାର ଉପକଣ୍ଠ ଅଞ୍ଚଳରୁ ହଜାର ହଜାର ରୋଗୀ ଆସୁଛନ୍ତି। ଦୂରରୁ ଆସିଥିବା ଅନେକ ରୋଗୀ ଡାକ୍ତରଙ୍କୁ ଦେଖାଇବା ପାଇଁ ଭୋର ୪ଟାରୁ ଧାଡ଼ିରେ ରହି ଟିକଟ୍‌‌ […]

ଭୁବନେଶ୍ୱର: କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌ରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଗତ ଜାନୁୟାରୀ ୯ରୁ ଇ-ଟିକଟ୍‌‌ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଗତ କିଛିଦିନ ଧରି ଇ-ଟିକ୍‌‌ଟ ବ୍ୟବସ୍ଥା କାମ କରୁନି। ଫଳରେ ରୋଗୀ ନିରାଶ ହୋଇ ଫେରୁଛନ୍ତି। ଅନେକ ହଇରାଣ ହରକତ ହେଉଛନ୍ତି।

କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌କୁ ରାଜଧାନୀ ଏବଂ ଏହାର ଉପକଣ୍ଠ ଅଞ୍ଚଳରୁ ହଜାର ହଜାର ରୋଗୀ ଆସୁଛନ୍ତି। ଦୂରରୁ ଆସିଥିବା ଅନେକ ରୋଗୀ ଡାକ୍ତରଙ୍କୁ ଦେଖାଇବା ପାଇଁ ଭୋର ୪ଟାରୁ ଧାଡ଼ିରେ ରହି ଟିକଟ୍‌‌ କରୁଛନ୍ତି। ଯେଉଁଥି ପାଇଁ ବିଭିନ୍ନ ବିଭାଗ ଆଗରେ ଭିଡ଼ ରହିବା ସହ କାଉଣ୍ଟରରେ ବି ଭିଡ଼ ରହୁଛି। ତେଣୁ ଭିଡ଼କୁ ଦୂରେଇବା ପାଇଁ ଗତ ଜାନୁଆରୀ ୯ ତାରିଖରୁ ଇ-ଟିକଟ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଯାହାଦ୍ୱାରା ଜଣେ ବ୍ୟକ୍ତି ଘରେ ବସି ଓପିଡି ପାଇଁ ଟିକଟ୍‌‌ ବୁକ୍‌‌ କରି ପାରିବ। ଇ-ଟିକଟ୍‌‌ ବ୍ୟବସ୍ଥା ଲାଗୁ ହେବା ପରେ ଲୋକେ ରାତି ଅଧରୁ ଆସି ଧାଡ଼ିରେ ରହିବାକୁ ପଡୁ ନ ଥିଲା। ରୋଗୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ୱେବ୍‌‌ସାଇଟ୍‌‌କୁ ଯାଇ ଓପିଡି ଟିକଟ୍‌‌ ବୁକ୍‌‌ କରିବାକୁ ପଡୁଥିଲା। ଦିନ ୧୨ଟାରୁ ରାତି ୧୧.୫୯ ଭିତରେ ବୁକ୍‌‌ କରିପାରିବେ। ୱେବ୍‌‌ସାଇଟ୍‌‌କୁ ଯାଇ ବୁକ୍‌‌ କରିବା ପରେ ଏକ କ୍ୟୁଆର୍‌‌ କୋଡ୍‌‌ ଦିଆଯାଉଥିଲା। ଏହାକୁ ସ୍କ୍ରିନ୍‌‌ ସଟ୍‌‌ ରଖିବାକୁ ପଡ଼ିବ। ପରେ ଏହାକୁ ହସ୍ପିଟାଲରେ ଲାଗିଥିବା କିଓସ୍କୋ ମେସିନ୍‌‌ରେ ସ୍କାନ୍‌‌ କରି ଟିକଟ୍‌‌ର ପ୍ରିଣ୍ଟ୍‌‌ ବାହାର କରିପାରୁ ଥିଲେ। ଏଥିରେ କେଉଁ ବିଭାଗର ଡାକ୍ତରଙ୍କୁ କେତେ ସମୟରେ ଭେଟିବେ, ସେଥିରେ ତାରିଖ ଏବଂ ସମୟ ଦିଆଯାଇଥିଲା। ଆହୁରି ମଧ୍ୟ ଦିଆଯାଇଥିବା ସମୟର ଏକ ଘଣ୍ଟା ପୂର୍ବରୁ ଉକ୍ତ ବିଭାଗକୁ ଯିବାକୁ ହେବ ବୋଲି ଉଲ୍ଲେଖ ରହୁଥିଲା।

କିନ୍ତୁ ଗତ କିଛିଦିନ ହେବ କ୍ୟାପିଟାଲ ହସ୍ପିଟାଲରେ ଏହି ଇ-ଟିକଟ୍‌‌ ବ୍ୟବସ୍ଥା କାମ କରୁନି। ଯେଉଁଥି ପାଇଁ ରୋଗୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସେମାନେ ପୂର୍ବଭଳି ଧାଡ଼ିରେ ଠିଆ ହେବାକୁ ପଡୁଛି। ଲୋକେ ଏହି ୱେବ୍‌‌ସାଇଟ୍‌‌କୁ ଯାଇ ସମସ୍ତ ତଥ୍ୟ ଦେଇ ବୁକ୍‌‌ କଲେ ତୁରନ୍ତ କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌ର ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ ୱେବ୍‌‌ସାଇଟ୍‌‌ରେ ନିର୍ଦ୍ଦେଶକଙ୍କ ଫୋନ୍‌‌ ନମ୍ବର ନ ଥିବା ସହ ଦିଆଯାଇଥିବା ଲ୍ୟାଣ୍ଡ ଲାଇନ୍‌‌ ମଧ୍ୟ ସଠିକ୍‌‌ ଭାବେ କାମ କରୁନି। ଦୂରରେ ରହୁଥିବା ରୋଗୀ ବୁକ୍‌‌ କରି ନ ପାରି ନିରାଶ ହେଉଛନ୍ତି। ଏହି ବ୍ୟବସ୍ଥା କାମ କରୁ ନ ଥିବାରୁ ଏହାର ସୁଯୋଗ ନେଉଛନ୍ତି ଦଲାଲ। ସେମାନେ ଲୋକଙ୍କୁ କମ୍‌‌ ସମୟରେ ଟିକଟ୍‌‌ କରାଇ ଦେବାକୁ କହି ଟଙ୍କା ନେଉଛନ୍ତି। ଏଥିରେ ବିଭାଗ ଆଗରେ ଜଗୁଥିବା ସିକ୍ୟୁରିଟ୍‌‌ ଗାର୍ଡ ମଧ୍ୟ ମାଲେମାଲ୍‌‌ ହେଉଥିଲା। ଦଲାଲ ନିଜେ ଟଙ୍କା ନେବା ସହ ବିଭାଗର ଗେଟ୍‌‌ ଜଗିଥିବା ସିକ୍ୟୁରିଟି ଗାର୍ଡ ମଧ୍ୟ ଟଙ୍କା ନେଉଛି। କିନ୍ତୁ ଗରିବ ଶ୍ରେଣୀର ଲୋକେ ଟଙ୍କା ଦେଇ ନ ପାରି ଲାଇନ୍‌‌ରେ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି।

ଏହି ବ୍ୟବସ୍ଥା ଫେଲ୍‌‌ ହେବା ପରେ ଓପିଡି ଟିକଟ୍‌‌ କାଉଣ୍ଟ ରରେ ଭିଡ୍‌‌ ଥିବା ଦେଖିବାକୁ ମିଳୁଛି। ଲୋକେ ଖରା ଆଉ ଗୁଳୁଗୁଳିରେ ଲମ୍ବା ଧାଡ଼ିରେ ରହିବାକୁ ପଡୁଛି। ବିଶେଷ କରି ବରିଷ୍ଠ ନାଗରିକ ଅଧିକ ହଇରାଣ ହେଉଛନ୍ତି। ସେମାନେ ଲାଇନ୍‌‌ରେ ରହିବା ସମ୍ଭବ ହେଉ ନ ଥିବାରୁ ତଳେ ବସି ରହୁଛନ୍ତି। ମାଧବ ବେହେରା ନିଜର ପୁଅକୁ ଶିଶୁ ବିଭାଗରେ ଦେଖାଇବା ପାଇଁ ଅନ୍‌‌ଲାଇନ୍‌‌ରେ ବୁକ୍‌‌ କରିଥିଲେ। ଦିଆଯାଇଥିବା ଅପ୍‌‌ସନ୍‌‌ ପୂରଣ କରିବା ପରେ ସ୍ଲଟ୍‌‌ ବୁକ୍‌‌ କରିଥିଲେ। ହେଲେ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଥିଲା। କେବଳ ମାଧବ ନୁହେଁ ଏହିଭଳି ଅନେକ ଲୋକେ ଶିକାର ହେଉଛନ୍ତି। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ୱେବ୍‌‌ସାଇଟ୍‌‌ରେ ଟେକ୍ନିକାଲ ସମସ୍ୟା ଥିବାରୁ ଏହା ହେଉଛି। ଖୁବ୍‌‌ଶୀଘ୍ର ଠିକ୍‌‌ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ।

About The Author: The Sakala