ଭୁବନେଶ୍ୱର : ଜେଲ୍ ବିଭାଗ ‘୫-ଟି’ରେ ଯୋଡ଼ିହେବା ପରେ ଝାରପଡ଼ା ଜେଲ୍ରେ କାରଗାର ସଂସ୍କାର କାର୍ଯ୍ୟକ୍ରମ ଆଉ ପାଦେ ଆଗେଇଛି। ଖାଦ୍ୟ ପ୍ରସ୍ତୁତ ଶିକ୍ଷା, କୁଟୀରଶିଳ୍ପ ଭଳି ଅନେକ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଅନ୍ତେବାସୀଙ୍କୁ ପାଠୁଆ କରିବା ଲାଗି ଜେଲ୍ ବିଭାଗ ଗୁରୁତ୍ୱ ଦେଇଛି। ଏଣିକି ଝାରପଡ଼ା ଜେଲରେ ରହୁଥିବା କଏଦୀ ଜେଲ ପରିସରରେ ହିଁ ପଢ଼଼ିବେ ପାଠ। ତେଣୁ ଅନ୍ତେବାସୀଙ୍କ ଲାଗି ଖୁବ୍ଶୀଘ୍ର ଖୋଲିବ ଇ-ପାଠାଗାର। ଉକ୍ତ ପାଠାଗାରରେ କମ୍ପ୍ୟୁଟରରେ ରହିବ। ସେଠାରେ ରହୁଥିବା ଅନ୍ତେବାସୀ ସ୍ମାର୍ଟ ହେବା ସହ ବିଭିନ୍ନ ବିଷୟରେ ଡାଉନ୍ଲୋଡ୍ କରି ପାଠ ପଢ଼଼ିବେ। ଏହାଦ୍ୱାରା ସେମାନେ ଅଧିକ ଜ୍ଞାନ ଆହରଣ କରିବା ସହ ଆବଶ୍ୟକ ପଡ଼ିଲେ ଉକ୍ତ ଜ୍ଞାନକୁ କାମରେ ଲଗାଇବେ। କିନ୍ତୁ ପୂର୍ବରୁ ଜେଲ ଭିତରେ କମ୍ପ୍ୟୁଟର ଶିକ୍ଷା ଦିଆଯାଉ ନ ଥିଲା।
କିନ୍ତୁ ଜେଲ ମାନୁଆଲ ପରିବର୍ତ୍ତନ ହେବା ପରେ ଆଗକୁ ଜେଲ ଥିବା କଏଦୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଉଛି। ସେମାନଙ୍କ ଲାଗି ପ୍ରାଥମିକ ପର୍ଯ୍ୟାୟରେ ୩୦ଟି କମ୍ପ୍ୟୁଟର ଅଣାଯିବା ଯୋଜନା କରାଯାଇଛି। ଏଥିଲାଗି ଜଣେ କମ୍ପ୍ୟୁଟର ଶିକ୍ଷକ ନିୟୋଜିତ ହେବେ। ସେମାନେ ଇଚ୍ଛୁକ କଏଦୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବେ। ଏହାସହ କଏଦୀ କମ୍ପ୍ୟୁଟର ଶିକ୍ଷା ନେବା ପରେ ସେମାନଙ୍କୁ ଏକ ସିର୍ଟିଫିକେଟ୍ ପ୍ରଦାନ କରାଯିବ। ଯାହାକି ସେମାନେ ମୁକୁଳିବା ପରେ କାମରେ ଲାଗିବ। ସେହିପରି ଜେଲ୍ ଭିତରେ ଥିବା ପାଠାଗାରରେ ସଦ୍ଗ୍ରନ୍ଥ, ଉପନ୍ୟାସ, ରାମାୟଣ, ମହାଭାରତ, ପୋଥି, ବିଭିନ୍ନ ପତ୍ରିକା ଆଦି ରହିବ। ଅନ୍ତେବାସୀଙ୍କୁ ଓଳିଏ ଲେଖାଏଁ ପାଠ ପଢ଼଼ିବା ଲାଗି ସୁଯୋଗ ଦିଆଯିବ। ଏହାସହ ପ୍ରତିଦିନ ଏକାଠି ୫୦ରୁ ଊର୍ଦ୍ଧ୍ବ ଅନ୍ତେବାସୀ ବସି ପାଠ ପଢ଼଼ିବାର ବ୍ୟବସ୍ଥା କରାଯାଉଛି।
ଅନ୍ତେବାସୀମାନେ ଲାଇବ୍ରେରୀରେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଖବରକାଗଜ ମଧ୍ୟ ପଢ଼଼ି ପାରିବେ। ସଦ୍ଗ୍ରନ୍ଥ, ପୋଥି ଆଦି ପଢ଼଼ିବା ଦ୍ୱାରା ସେମାନଙ୍କ ମାନସିକ ସ୍ଥିତିରେ ସୁଧାର ଆସିବ। ଏହାସହ ଘର ଓ ନିଜର ଅସୁବିଧା ବିଷୟରେ କିଛି ପୁସ୍ତକ ମଧ୍ୟ ନିଜେ ଲେଖିପାରିବା ସହ ଅନ୍ୟ ସହଯୋଗୀଙ୍କୁ ମଧ୍ୟ କହିବାର ସୁଯୋଗ ଦିଆଯିବ। ଅନେକ ଶିକ୍ଷିତ କଏଦୀ ପରିସ୍ଥିତିରେ ପଡ଼ି ଅପରାଧ ଦୁନିଆରେ ପାଦ ଦେଇଥାନ୍ତି। ସେମାନେ ଗିରଫ ହୋଇ ଜେଲ ଭିତରକୁ ଗଲେ ପାଠପଢ଼଼ାରେ ଡୋରି ଲାଗିଥାଏ। ତେଣୁ ସେମାନଙ୍କ ସମସ୍ୟା ଦୂର କରିବା ଲାଗି ଝାରପଡ଼ା ଜେଲ କର୍ତ୍ତୃପକ୍ଷ ଇ-ପାଠାଗାର ଖୋଲିବା ଲାଗି ନୂଆ ଯୋଜନା କରିଛନ୍ତି। ୪କିମ୍ବା ୫ଦିନ ଭିତରେ ଏହି ଇ-ପାଠାଗାର କାର୍ଯ୍ୟକ୍ଷମ ହେବ ବୋଲି ଏକ ବିଶେଷସୂତ୍ରରୁ ଜଣାପଡ଼ିଛି।
ସେପଟେ ପୁରୁଣା ବହି ଦାନ କରିବା ଲାଗି ସାଧାରଣଲୋକେ ଚାହୁଥିଲେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ବହି ଦାନ କରିପାରିବେ। ପୂର୍ବରୁ କିଛି ବହି ବି ଝାରପଡ଼ା ଜେଲରେ ରହିଛି। ପାଠାଗାର ଖୋଲିବା ପରେ ଆହୁରି ବହିର ଆବଶ୍ୟକତା ରହିଛି। ତେଣୁ କିଛି ଘରୋଇ ସଂସ୍ଥା ଜେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସହ ବହି ଯୋଗାଇଦେବା ଲାଗି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।