ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା: ପ୍ରବଳ ବର୍ଷା ଯୋଗୁଁ ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା...

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା କାରଣରୁ ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ଦିନ ୬ଟି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ଯେଉଁ ଜିଲ୍ଲାଗୁଡ଼ିକରେ ସ୍କୁଲ ବନ୍ଦ ରହିଛି, ସେଗୁଡ଼ିକ ହେଲା ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର। ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କାରଣରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୌଦ୍ଧ ଜିଲ୍ଲାପାଳ ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା କରିବା ସହ ନିରନ୍ତର ବର୍ଷା ଯୋଗୁଁ ନିର୍ଦ୍ଧାରିତ ମିଳିତ ଜନଶୁଣାଣି ଶିବିରକୁ ମଧ୍ୟ ବାତିଲ କରିଛନ୍ତି।

ସମ୍ବଲପୁରରେ ରାତି ତମାମ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମ୍ବଲପୁର ମହାନଗର ନିଗମ (SMC) ଏବଂ ଧାନକଉଡ଼ା ବ୍ଲକ ଅଧୀନରେ ଥିବା ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଅନେକ ଘରେ ପାଣି ପଶିଯାଇଥିବା ବେଳେ ଜିଲ୍ଲାପାଳ ଏବଂ କମିଶନର ବିଳମ୍ବିତ ରାତିରେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ ଧାନକଉଡ଼ା ବ୍ଲକରେ ୧୫୮.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଦୁର୍ଗାପାଲି ସ୍ଥିତ ଏସଏମସି ନୂଆ ବିଲ୍ଡିଂ ଅଞ୍ଚଳରେ ସର୍ବାଧିକ ୧୮୦.୫ ମିମି ବର୍ଷା ହୋଇଛି। ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଯୋଗୁଁ ଜୟଗୁରୁ ଛକଠାରୁ କଚେରୀ ଛକ ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁଁ ରାଜ୍ୟର ପଶ୍ଚିମ ଓ ଉତ୍ତରାଞ୍ଚଳରେ କ୍ରମାଗତ ତୃତୀୟ ଦିନ ପାଇଁ ବ୍ୟାପକ ବର୍ଷା ଜାରି ରହିଛି।

About The Author: Madhusudan Das