ଭୁବନେଶ୍ବର: ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର-୧ ରେ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ଧିରେଧିରେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନା ରହିଛି। ଏହି ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହାର ସ୍ପଷ୍ଟ ଚିତ୍ର ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ଜଣାପଡ଼ିବ। ଏହା ଉପରେ ଆମେ ନଜର ରଖିଛୁ ବୋଲି IMD ଡିଜି କହିଛନ୍ତି ।
ଘୂର୍ଣି ବଳୟ ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ। ବର୍ତ୍ତମାନ ପାଇଁ ଆମେ କୌଣସି ରାଜ୍ୟ ପାଇଁ ବାତ୍ୟା ସତର୍କ ସୂଚନା ଦେଇନାହୁଁ । ବାତ୍ୟା ହେବ ବୋଲି ମଧ୍ୟ କୌଣସି ପୂର୍ବାନୁମାନ ପ୍ରକାଶ କରିନାହୁଁ । ଲୋକମାନେ ଗୁଜବ ଠାରୁ ଦୂରରେ ରୁହନ୍ତୁ । ବର୍ତ୍ତମାନ ପାଇଁ କେବଳ ଅକ୍ଟୋବର ମାସରେ ପହିଲାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛୁ । ଏହା ଅବପାତ ରେ ପରିଣତ ହେବାର କମ ସମ୍ଭାବନା ରହିଛି ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।