ବଲିଉଡର ବର୍ଷିଆନ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗ: ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

ଭୁବନେଶ୍ବର: ବଲିଉଡର ବର୍ଷିଆନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତାଙ୍କର ଏହି ଅକାଳ ବିୟୋଗ ଭାରତୀୟ ସିନେମା ଜଗତରେ ଏକ ଅଭୁଲା ଯୁଗର ଅନ୍ତ ଘଟିଛି। ସେ କେବଳ ତାଙ୍କର ଆଇକନିକ୍ ଚଳଚ୍ଚିତ୍ର ଓ ସ୍ମରଣୀୟ ଭୂମିକା ମାଧ୍ୟମରେ ଏକ ଉଜ୍ଜ୍ୱଳ ଐତିହ୍ୟ ଛାଡି ଯାଇନାହାଁନ୍ତି, ବରଂ ଜୀବନସାରା ସ୍ନେହ, ସୌଜନ୍ୟ ଏବଂ ପ୍ରେରଣା ମଧ୍ୟ ଦେଇଯାଇଛନ୍ତି। ତାଙ୍କର ଦେହାନ୍ତ ଭାରତୀୟ ସିନେମା ଏବଂ ତାଙ୍କୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ପରିବାର, ବନ୍ଧୁ ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ହୃଦୟରୁ ସମବେଦନା। ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ ବୋଲି ନବୀନ କହିଛନ୍ତି।

ସେହିପରି, ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ଦେହାନ୍ତରେ ନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ମୁଁ ମର୍ମାହତ। ଦଶନ୍ଧି ଧରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଆଗାମୀ ପିଢ଼ିର କଳାକାର ଓ ସିନେପ୍ରେମୀଙ୍କୁ ତାଙ୍କର ବଳିଷ୍ଠ ଅଭିନୟ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

About The Author: Deviprasad Mohanty