ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ, ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ । ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଛତିଶଗଡ଼ ଉପରେ ଥିବା ଗଭୀର ଅବପାତ ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ତେବେ ଏହାର ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ଆଜି ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ଏହି ଅବପାତଟି ନୂଆପଡ଼ା ନିକଟରେ ଏବଂ ଟିଟିଲାଗଡ଼ ଠାରୁ ୯୦ କିମି ପଶ୍ଚିମ-ଉତ୍ତରପଶ୍ଚିମ ତଥା ଭବାନୀପାଟଣା ଠାରୁ ୧୦୦ କିମି ଉତ୍ତର-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଅବପାତ ରୂପେ ରହିବା ସହ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହି ସିଷ୍ଟମ ଉପରେ ସମ୍ବଲପୁର ଓ ରାଇପୁର ସ୍ଥିତ ଡପଲର ରାଡାର ମାଧ୍ୟମରେ ନିରନ୍ତର ନଜର ରଖାଯାଇଛି।

ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି। ସକାଳ ୮:୩୦ ଯାଏଁ ନବରଙ୍ଗପୁର, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା, ଯାହା ପରେ ବର୍ଷାର ତୀବ୍ରତା କମିବ ବୋଲି ଆକଳନ କରାଯାଇଛି। ଏହାଛଡ଼ା ୭ଟି ଜିଲ୍ଲା ଯଥା ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗୁରୁବାର ତୁଳନାରେ ଆଜି ବର୍ଷାର ପରିମାଣ କମିବ। ତେବେ ରାଜଧାନୀ ଭୁବନେଶ୍ୱର ଏବଂ କଟକ ରେ ଆକାଶ ଆଂଶିକ ମେଘୁଆ ରହିବା ସହ ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜଧାନୀର ତାପମାତ୍ରା ସର୍ବନିମ୍ନ ୨୩ ଡିଗ୍ରୀ ରୁ ସର୍ବାଧିକ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବଙ୍ଗୋପସାଗରରୁ ପର୍ଯ୍ୟାପ୍ତ ଜଳୀୟ ବାଷ୍ପ ଆସୁଥିବାରୁ ରାଜ୍ୟରେ ଏହି ବର୍ଷା ଜାରି ରହିଛି।

About The Author: Madhusudan Das