ଦେବଗଡ଼: ଗତକାଲି ଦେବଗଡ଼ରୁ ଅପହୃତ ହୋଇଥିବା ୬ ବର୍ଷର ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ବଡ଼ ଗାଁ ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଆଜି ସକାଳେ ଉଦ୍ଧାର କରିଛନ୍ତି। ଏହା ପରେ ସେମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି। ଝିଅକୁ ଆଣିବା ପାଇଁ ସୁନ୍ଦରଗଡ଼ ବାହାରିଛନ୍ତି ପରିବାର ଲୋକେ।
ସୂଚନାଯୋଗ୍ୟ, ଦେବଗଡ଼ ମୁଖ୍ୟ ବଜାର ଠାରେ ଘର ସମ୍ମୁଖରୁ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ ଝାମ୍ପିନେଇଥିଲେ ଦୁର୍ବୁତ୍ତ। ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ସହରରେ ଚଞ୍ଚଲ୍ୟ ଖେଳି ଯାଇଥିଲା। ପୁଲିସ ଶିଶୁକନ୍ୟା ଖୋଜାଖୋଜି କରିଥିଲା। ଆଜି ସକାଳେ ଝିଅଟି ସୁନ୍ଦରଗଡ଼ର ବଡ଼ ଗାଁ ରାସ୍ତା କଡ଼ରୁ ମିଳିଥିବା ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ। ଝିଅଟି ମଧ୍ୟ ଭିଡିଓ କଲରେ ପରିବାର ଲୋକଙ୍କ ସହ କଥା ହୋଇଥିଲା। କେଉଁ କାରଣକୁ ନେଇ ଝିଅଟିକୁ ଦୁର୍ବୃତ୍ତମାନେ ଅପହରଣ କରିଥିଲେ ତାର କାରଣ ଅସ୍ପଷ୍ଟ ରହିଛି।