ଭୁବନେଶ୍ୱର : ମୌସୁମୀର ଆଗମନରେ ଚାରିଆଡ଼େ ବର୍ଷା ଛିଟା। କେତେବେଳେ ଅସରାଏ ଦି ଅସରା ବର୍ଷୁଛି ତ ଆଉ କେତେବେଳେ ୨ରୁ ୩ ଦିନ ଯାଏଁ ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି। ପୁଣି କେତେବେଳେ ଅଧା ରାସ୍ତା ଯାଏଁ ବର୍ଷୁଛି ତ ଆଉ ଅଧା ହାଲ୍କା ଖରାରେ ହସୁଛି। ଏସବୁ ସତ୍ତ୍ବେ କିନ୍ତୁ ବର୍ଷା ଦିନେ ବିନା ରେନ୍ କୋଟ୍ ରେ ଘରୁ ବାହାରିବା କାଠିକର ପାଠ। ଏସବୁକୁ ଆଖି ଆଗରେ ରଖି ଚଳିତବର୍ଷ ବଜାରକୁ ଆସିଛି ହୁଡେଡ୍ ଫୁଲ୍ ବଡି ସୁଟ୍, ସ୍କର୍ଟ-ବ୍ଲାଉଜ୍ ଓ ପରିବେଶ ଅନୁକୂଳ ରେନ୍ କୋଟ୍ । ହୁଡେଡ୍ ଡିଜାଇନ୍ ରେ ମିଳୁଥିବା ରେନ୍ କୋଟ୍ କୁ କେହିକେହି ମୋଟରସାଇକେଲ ସ୍କୁଟର ରେନ୍ କୋଟ୍ ବୋଲି ମଧ୍ୟ କହୁଛନ୍ତି। ବଜାରରେ ମିଳୁଥିବା ଏହି ପ୍ରକାର ରେନ୍ କୋଟ୍ ଶରୀର ସହ ନିଜ ଗାଡ଼ିକୁ ବି ବର୍ଷା ଦାଉରୁ ରକ୍ଷା କରିପାରୁଛି।
ବିଶେଷ କରି ମହିଳାମାନଙ୍କ ପାଇଁ ଏହି ପ୍ରକାର ଡିଜାଇନ୍ ବାହାରିଥିବା ବେଳେ ଜଣେ ସ୍କୁଟିରେ ଏହାକୁ ପିନ୍ଧି ସହଜରେ ଗାଡ଼ି ଚଳାଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ପାରିବ। ଏଭଳି ରେନ୍ କୋଟ୍ କୁ ଗାଡିରେ ବସିଥିବା ଚାଳକ ସମେତ ଗାଡି ପଛରେ ବସିଥିବା ବ୍ୟକ୍ତିବି ଏକାଥରରେ ପିନ୍ଧିପାରିବେ। ଏହି ରେନ୍ କୋଟ୍ ର ମୁଣ୍ଡରେ ଥିବା ଟୋପି ବି ହେଲ୍ମେଟ୍ ଡିଜାଇନ୍ର ରହିଛି। ଏହାଛଡା ହୁଡେଡ ଟି-ସର୍ଟ ଓ ପ୍ୟାଣ୍ଟଥିବା ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ବି ଏଭଳି ରେନ୍ କୋଟ୍ ମିଳୁଛି। କରୋନା ଯୋଗୁଁ ଦୋକାନ ବଜାର ବନ୍ଦ ଥିବା ବେଳେ ସାଧାରଣତଃ ଅନ୍ଲାଇନ୍ ରେ ଏହି ପ୍ରକାର ନୂଆ ଡିଜାଇନ୍ର ରେନ୍ କୋଟ୍ ମିଳୁଛି। ଏସବୁର ଦାମ୍ ଏକ ହଜାର ଟଙ୍କାରୁ ୧୩୦୦ ଟଙ୍କା ମଧ୍ୟରେ ରହିଛି। ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ଫେଶନ୍କୁ ଆଖି ଆଗରେ ରଖି ପ୍ରଥମ କରି ବଜାରରେ ସ୍କର୍ଟ ଥିବା ରେନ୍ କୋଟ୍ ଆସିଛି।
ୱାଟର୍ ପ୍ରୁଫ୍ ଓ ଷ୍ଟାଇଲିସ୍ ଏହି ରେନ୍ କୋଟ୍ ୨୧ ପ୍ରକାର ନୂଆ ଡିଜାଇନ୍ରେ ବଜାରରେ ମିଳୁଛି। ବେଲ୍ଟେଡ ହୁଡେଡ ସେଲ୍ଫ କୋଟ, ୟୁଭି ପ୍ରୋଟେକ୍ସନ୍ ରେନ୍ କୋଟ୍, ହ୍ୱାଇଟ ଲେବେଲ୍ ଲେୟର୍ଡ ବେଲ୍ଟେଡ ରେନ୍ କୋଟ୍, ୱାଟର ରେପିଲାଣ୍ଟ ରେନ୍ କୋଟ୍, ହଣ୍ଟର ୱିମେନ୍ ରେନ୍ କୋଟ୍, କର୍ଟନ୍ ଆଣ୍ଡ ଲିନେନ୍ ବେଣ୍ଡ, ନାଇଲନ୍ ରେନ୍ କୋଟ୍ ବି ବଜାରରେ ମିଳୁଛି। କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ପାଇଁ ଭିନ୍ନଭିନ୍ନ ଧରଣର ରେନ୍ କୋଟ୍ ବି ଏବେ ବଜାରରେ ଉପଲବ୍ଧ ହେଉଛି। କୁହୁଡ଼ିଆ ପାଗ ସହ ହାଲୁକା ବର୍ଷା ପାଇଁ ବିଭିନ୍ନ ବ୍ରାଣ୍ଡର ୱିିଣ୍ଡ ଚିଟର ବଜାରରେ ଉପଲବ୍ଧ ହେଉଛି। ଶରୀରକୁ ହାଲୁକା ଲାଗୁଥିବା ଏହି ୱିଣ୍ଡ ଚିଟର ଓ ରେନ୍ ଚିଟର ରେନ୍ କୋଟ୍ କୁ ପିନ୍ଧି ଜଣେ ହାଇକିଂ ଓ ସାଇକଲିଂ କରିପାରିବ। ହଳଦିଆ ଓ ନାରଙ୍ଗୀ ଭଳି ଗାଢ଼ ରଙ୍ଗରେ ମିଳୁଥିବା ଏହି ରେନ୍ କୋଟ୍ ଜୋର୍ ବର୍ଷାରେ ବି ଦୂରରୁ ଦୃଶ୍ୟମାନ ହୋଇ ପାରୁଛି।
ଏହାବାଦ୍ ବଜାରରେ ଏବେ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଇକୋ ଫ୍ରେଣ୍ଡଲି ଜ୍ୟାକେଟ୍। ୱାଟର ପ୍ରୁଫ୍ ସାଙ୍ଗକୁ ଏହା ପିଏଫ୍ସି ମୁକ୍ତ ଥିବାରୁ ଏହାକୁ ପିନ୍ଧିବାରେ ଲୋକ ଆଗ୍ରହ ଦେଖାଉଛନ୍ତି। ସବୁପ୍ରକାର ଋତୁରେ ଜଣେ ଏହାକୁ ପିନ୍ଧିପାରିବ। ସବୁଠାରୁ ଖୁସିର କଥା ଏଥିରେ ଗୁଳୁଗୁଳି ଅନୁଭୂତ ହେବନି। ଏସବୁର ଦାମ୍ ୧୩୦୦ରୁ ୨ ହଜାର ଟଙ୍କା ମଧ୍ୟରେ ରହିଛି।