ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୬ ବେଳକୁ ବାତ୍ୟା ରୂପ ନେବ । ଯାହା ୨୮ ତାରିଖରେ ସକାଳେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏ ନେଇ ବଡ଼ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଆସନ୍ତା ଅକ୍ଟୋବର ୨୮ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। 

ଗଣମାଧ୍ୟମକୁ ସୂଚନା ଦେଇ ଆଇଏମଡି ଡିଜି କହିଛନ୍ତି ଯେ, ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅବପାତ (ଡିପ୍ରେସନ୍) ରୂପ ନେବ ଏବଂ ଅକ୍ଟୋବର ୨୫ ସୁଦ୍ଧା ଏକ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୬ ସୁଦ୍ଧା ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ। ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ଉପକୂଳ ଆଡ଼କୁ ଅଗ୍ରସର ହେବ ଏବଂ ଅକ୍ଟୋବର ୨୮ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହେବାର ଆଶଙ୍କା କରାଯାଉଛି।

ବର୍ତ୍ତମାନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିଛି ଏବଂ ସମୁଦ୍ର ଅଶାନ୍ତ ରହିଛି। ଆସନ୍ତାକାଲି ସୁଦ୍ଧା ପବନର ବେଗ ୪୫ରୁ ୫୫ କି.ମି. କୁ ବୃଦ୍ଧି ପାଇବ। ସେହିପରି ଅକ୍ଟୋବର ୨୫ ବେଳକୁ ପବନର ଝଟକା ୫୫ରୁ ୬୫ କି.ମି. ଏବଂ ସର୍ବାଧିକ ୭୫ କି.ମି. ଛୁଇଁପାରେ। ଅକ୍ଟୋବର ୨୬ ବେଳକୁ ପବନର ବେଗ ଘଣ୍ଟାପ୍ରତି ୯୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏହା ଅବପାତରେ ପରିଣତ ହେବା ପରେ ପବନର ସର୍ବୋଚ୍ଚ ବେଗ କେତେ ରହିବ, ତାହାର ଆକଳନ ପରେ କରାଯିବ। ବାତ୍ୟାର ଶୀର୍ଷ ସମୟରେ ପବନର ବେଗ କେତେ ହେବ, ସେନେଇ ଆମେ ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରିନାହୁଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି। ତେବେ ପାଣିପାଗ ବିଭାଗ ପକ୍ଷରୁ ଏହି ପାଣିପାଗ ପ୍ରଣାଳୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଆଗାମୀ ଦିନରେ ଅଧିକ ସୂଚନା ଜାରି କରାଯିବ।

About The Author: Madhusudan Das