ଗଞ୍ଜାମ: ଓଡ଼ିଶା ଉପକୂଳ ମୁହାଁ ହେଉଛି ବାତ୍ୟା ‘ଅକୱାନ’। ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର କୂଳରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ବୁଧବାର ରାତିରୁ ଗଞ୍ଜାମର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ସମ୍ଭାବ୍ୟ ବାତ୍ୟା ବିପଦକୁ ଏଡାଇବା ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୧୪,୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ୧୦୮ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି ଗୋପାଳପୁର ନିକଟସ୍ଥ ନୂଆ ଗୋଳାବନ୍ଧ ଗ୍ରାମର ସମସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୧୨ଟି ODRAF, ୩ଟି NDRF ଏବଂ ୨୪ଟି ଅଗ୍ନିଶମ ବାହିନୀ ୟୁନିଟକୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ଏହାବ୍ୟତୀତ ଉଦ୍ଧାର କାର୍ଯ୍ୟ ପାଇଁ ୨୫ଟି ଦେଶୀ ଡଙ୍ଗା ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ବାତ୍ୟା ‘ଅକୱାନ’ର ଗତିପଥ ୨୦୧୩ ମସିହାର ବିନାଶକାରୀ ବାତ୍ୟା ‘ଫାଇଲିନ’ କଥା ମନେ ପକାଇ ଦେଇଛି, ଯାହା ଗୋପାଳପୁର ନିକଟରେ ହିଁ ସ୍ଥଳଭାଗ ଅତିକ୍ରମ କରିଥିଲା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅକୱାନ ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ। ଚିକିଟି ଠାରୁ ଖଲ୍ଲିକୋଟ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଉପକୂଳରେ ପରିସ୍ଥିତି ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି।