ଘରୋଇ ସଂସ୍ଥାକୁ କଟକ ସହରର ପରିମଳ ଦାୟିତ୍ୱ, ୫ ବର୍ଷ ପାଇଁ ୫୩୪ କୋଟି

କଟକ : ଆସନ୍ତା ୫ ବର୍ଷ ପାଇଁ ୩ଟି ଘରୋଇ ସଂସ୍ଥାକୁ ସହରର ପରିମଳ ଦାୟିତ୍ୱ ଦିଆଯାଇଛି। ରାସ୍ତା ସଫେଇ, ଡ୍ରେନରୁ ପଙ୍କୋଦ୍ଧାର, ବୁଦା କାଟିବା ଭଳି ସମସ୍ତ କାର୍ଯ୍ୟ ଏହି ଘରୋଇ ସଂସ୍ଥା ପରିଚାଳନା କରିବ। ଏଥିପାଇଁ କଟକ ମହାନଗର ନିଗମ(ସିଏମସି)ପକ୍ଷରୁ କାଉନସିଲ ବୈଠକରେ ୫୪୩ କୋଟି ଟଙ୍କାର ପରିମଳ ଟେଣ୍ଡର ଅନୁମୋଦିତ ହୋଇଛି। ରାଜ୍ୟ ସରାକାରଙ୍କ ନିକଟକୁ ଏହି ଟେଣ୍ଡରର ଅନୁମୋଦନ ପାଇଁ ପଠାଯିବ। ଏହା ପରେ ସହରରେ ଘରୋଇ ସଂସ୍ଥାମାନଙ୍କ ଦ୍ୱାରା ସଫେଇ […]

କଟକ : ଆସନ୍ତା ୫ ବର୍ଷ ପାଇଁ ୩ଟି ଘରୋଇ ସଂସ୍ଥାକୁ ସହରର ପରିମଳ ଦାୟିତ୍ୱ ଦିଆଯାଇଛି। ରାସ୍ତା ସଫେଇ, ଡ୍ରେନରୁ ପଙ୍କୋଦ୍ଧାର, ବୁଦା କାଟିବା ଭଳି ସମସ୍ତ କାର୍ଯ୍ୟ ଏହି ଘରୋଇ ସଂସ୍ଥା ପରିଚାଳନା କରିବ। ଏଥିପାଇଁ କଟକ ମହାନଗର ନିଗମ(ସିଏମସି)ପକ୍ଷରୁ କାଉନସିଲ ବୈଠକରେ ୫୪୩ କୋଟି ଟଙ୍କାର ପରିମଳ ଟେଣ୍ଡର ଅନୁମୋଦିତ ହୋଇଛି। ରାଜ୍ୟ ସରାକାରଙ୍କ ନିକଟକୁ ଏହି ଟେଣ୍ଡରର ଅନୁମୋଦନ ପାଇଁ ପଠାଯିବ। ଏହା ପରେ ସହରରେ ଘରୋଇ ସଂସ୍ଥାମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ପରିମଳ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ଜାଗୃତି, ପ୍ରତ୍ୟୁଷ ଓ ମଞ୍ଜୁ ସର୍ଭିସ ଘରୋଇ ସଂସ୍ଥା ମଧ୍ୟରୁ କେବଳ ମଞ୍ଜୁ ସଂସ୍ଥାର ଟେଣ୍ଡରକୁ କର୍ପୋରେଟରଙ୍କ ବିରୋଧକ୍ରମେ ସ୍ଥଗିତ ରଖାଯାଇଛି।

ସମ୍ପୃକ୍ତ ସଂସ୍ଥାର ଡକ୍ୟୁମେଣ୍ଟ ପୁଣି ଥରେ ଯାଞ୍ଚ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି। ପରିମଳ ଟେଣ୍ଡରରେ କୌଣସି ତ୍ରୁଟି ନାହିଁ। ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିଛି। କଳାତାଲିକାଭୂକ୍ତ ସଂସ୍ଥାକୁ ବାଦ ଦିଆଯାଇ ଯୋଗ୍ୟ ସଂସ୍ଥାଗୁଡିକୁ ଟେଣ୍ଡରରେ ସାମିଲ କରାଯାଇଛି। ପ୍ରତିବର୍ଷ ସମ୍ପୃକ୍ତ ସଂସ୍ଥାମାନେ ଠିକ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାକୁ ସିଏମସି ପକ୍ଷରୁ ତର୍ଜମା କରାଯିବ। ଯଦି ଠିକ ଭାବେ ସଫେଇ କାର୍ଯ୍ୟ ନ ହୁଏ, ତାହେଲେ ଚୁକ୍ତିକୁ ବାତିଲ କରିଦିଆଯିବ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି। ସିଏମସିର ୫୯ଟି ୱାର୍ଡକୁ ୬ଟି ଜୋନରେ ଭାଗ କରାଯାଇଥିଲା। ୫ଟି ଜୋନରେ ୧୦ ଟି ଲେଖାଏଁ ୱାର୍ଡ ଅର୍ନ୍ତଭୁକ୍ତ ଥିବାବେଳେ ଗୋଟିଏ ଜୋନରେ ୯ଟି ୱାର୍ଡ ରହିଛି।

ସବୁ ଜୋନରେ ସୂଚାରୁରୂପେ ସଫେଇ କାର୍ଯ୍ୟ ନିମନ୍ତେ ଟେଣ୍ଡର ମାଧ୍ୟମରେ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିଅନୁଯାୟୀ ୫ ବର୍ଷ ନିମନ୍ତେ ଉକ୍ତ ଟେଣ୍ଡର ଡକାଯାଇଥିଲାବେଳେ ସଫେଇ ବାବଦରେ ୫୩୪ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ଟେଣ୍ଡର ମାଧ୍ୟମରେ ୩ଟି ସଂସ୍ଥା ମଧ୍ୟରୁ ଜାଗୃତି ନାମକ ସଂସ୍ଥାକୁ ଜୋନ ୧ ଏବଂ ଜୋନ ୬ର ସଫେଇ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିଭଳି ମଞ୍ଜୁ ସର୍ଭିସ ଜୋନ ୩ ଓ ପ୍ରତ୍ୟୁଷ ନାମକ ସଂସ୍ଥା ଜୋନ ୫ ଏବଂ ୨ରେ ସଫେଇ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ୪ ନମ୍ବର ଜୋନରେ ଉଭୟ ପ୍ରତ୍ୟୁଷ ଏବଂ ମଞ୍ଜୁ ସର୍ଭିସ ସଂସ୍ଥା ମିଳିତ ଭାବେ ପରିମଳ ଦାୟିତ୍ୱରେ ରହିଥିଲେ। ଆଜି କାଉନସିଲ ବୈଠକରେ ପ୍ରତ୍ୟୁଷ ଏବଂ ଜାଗୃତି ନାମକ ସଂସ୍ଥାର ସଫେଇ ଟେଣ୍ଡରକୁ ପାସ କରାଯାଇଥିବାବେଳେ ମଞ୍ଜୁ ସଂସ୍ଥାର ଟେଣ୍ଡରକୁ ସ୍ଥଗିତ କରାଯାଇଛି।

About The Author: The Sakala