ଆଖିରେ ମଲାଣି ମହାନଦୀ ଲୁହ

ଭୁବନେଶ୍ୱର: ଆଉ ଲୁହ ବୋହୁନାହିଁ; ଖରଖର ଶୁଖିଲା ବାଲି ମୁହୂର୍ତ୍ତକରେ ଶୋଷି ନେଉଛି ମହାନଦୀ ଆଖିର ଲୁହ। ଉପରମୁଣ୍ଡରେ ବନ୍ଧ, ବ୍ୟାରେଜ, ଜଳଭଣ୍ଡାର କରି ଛତିଶଗଡ଼ ମହାନଦୀ ପାଣିକୁ ଅଟକାଇ ରଖିଛି। ଅଣମୌସୁମୀରେ ହୀରାକୁଦକୁ ଜଳସ୍ରୋତ ହ୍ରାସ ପାଇଛି। ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ପରସ୍ପର ସହ ସୌଜନ୍ୟ ସାକ୍ଷାତ କରୁଛନ୍ତି। ମାତ୍ର ସମସ୍ୟାର ସମାଧାନ ହୋଇପାରି ନାହିଁ। ଗତକାଲି ଓଡ଼ିଶାଗସ୍ତରେ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ସୌଜନ୍ୟ ସାକ୍ଷାତ […]

ଭୁବନେଶ୍ୱର: ଆଉ ଲୁହ ବୋହୁନାହିଁ; ଖରଖର ଶୁଖିଲା ବାଲି ମୁହୂର୍ତ୍ତକରେ ଶୋଷି ନେଉଛି ମହାନଦୀ ଆଖିର ଲୁହ। ଉପରମୁଣ୍ଡରେ ବନ୍ଧ, ବ୍ୟାରେଜ, ଜଳଭଣ୍ଡାର କରି ଛତିଶଗଡ଼ ମହାନଦୀ ପାଣିକୁ ଅଟକାଇ ରଖିଛି। ଅଣମୌସୁମୀରେ ହୀରାକୁଦକୁ ଜଳସ୍ରୋତ ହ୍ରାସ ପାଇଛି। ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ପରସ୍ପର ସହ ସୌଜନ୍ୟ ସାକ୍ଷାତ କରୁଛନ୍ତି। ମାତ୍ର ସମସ୍ୟାର ସମାଧାନ ହୋଇପାରି ନାହିଁ। ଗତକାଲି ଓଡ଼ିଶାଗସ୍ତରେ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ସୌଜନ୍ୟ ସାକ୍ଷାତ କରିବା ପରେ ଗରମ ହୋଇଛି ମହାନଦୀ ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ସହ ତୁରନ୍ତ ଏଥିନେଇ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ବିରୋଧୀଦଳରେ ଥିବାବେଳେ ବିଜେପି ମହାନଦୀକୁ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲା। ସରକାରକୁ ଆସିଲେ ମହାନଦୀ ବିବାଦର ସମାଧାନ ନିଶ୍ଚିତ ହେବ ବୋଲି କହିଥିଲେ। ମାତ୍ର ରାଜ୍ୟରେ ବିଜେପି ସରକାର ଗଢ଼ିବାର ୯ ମାସ ଭିତରେ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ସେ ପଟେ ଛତିଶଗଡ଼ ସରକାର ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ଚାଲିଛନ୍ତି। ମହାନଦୀ କଙ୍କାଳସାର ହେଉଛି, ଜଳଧାରା ହ୍ରାସ ପାଇଛି ଓ ହୀରାକୁଦ ଜଳଭଣ୍ଡାରରୁ ଆଗାମୀ ଦିନରେ ଶକ୍ତି ଉତ୍ପାଦନ ଓ ଜଳସେଚନ ନିମନ୍ତେ ଜଳ ନିଷ୍କାସନ ବି କମିବାରେ ଲାଗିଛି। ନଦୀ କୂଳିଆ ଗ୍ରାମରେ ଜଳର ଉତ୍କଟ ଅଭାବ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି। ମହାନଦୀରେ ଜଳଧାରା ହ୍ରାସର ପ୍ରଭାବ ନଦୀ ଅବବାହିକାରେ ପଡ଼ିବା ଯୋଗୁଁ ନଳକୂଅଗୁଡ଼ିକ ଶୁଖୁଥିବା ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି । ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମହାନଦୀ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଥର ଆଲୋଚନା କରିଥିବା ବଲାଙ୍ଗୀରରେ କହିଥିଲେ। ଏବେ ପୁଣି ଶନିବାର ଦିନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇଥିଲେ। ମାତ୍ର ଏ ସଂପର୍କରେ କୌଣସି ଠୋସ ନିଷ୍କର୍ଷ ବାହାରି ପାରିନାହିଁ। ଟ୍ରିବୁନାଲ ଉପରେ ଓଡ଼ିଶା ଅସ୍ମିତାକୁ ଛାଡ଼ି ସରକାର ହାତ ଟେକି ଦେଇଛନ୍ତି ବୋଲି ଏବେ ବିରୋଧୀ ଅଭିଯୋଗ କରିଛନ୍ତି। ମହାନଦୀ ସଂକ୍ରାନ୍ତରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା କେବଳ ଚାହା କପ୍‌ରେ ସୀମିତ ନ ରହୁ ବୋଲି ବିଜେଡି ଚେତାଇ ଦେଇଥିବା ବେଳେ କଂଗ୍ରେସ୍‌ ବି କଟାକ୍ଷ କରିଛି।

ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଆମେ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଅନେକ ଥର ଏ ନେଇ ଉଦ୍ୟମ ହୋଇଛି। ବାରମ୍ୱାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି। ଏକାଧିକ ଥର ତ୍ରିପାକ୍ଷିିକ ଆଲୋଚନା ହୋଇଛି। ହେଲେ ଛତିଶଗଡ଼ର ଜିଦଖୋର ମନୋଭାବ ପାଇଁ ସମାଧାନ ହୋଇପାରିନି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ। ହେଲେ କେବଳ ଚା କପ ଉପରେ ଆଲୋଚନା ନ କରି ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ବନ୍ଦ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ଯେ ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ। କେବଳ ଟେବୁଲରେ ଆଲୋଚନା କରି କାମ ଚାଲୁ ରହିଲେ କୌଣସି ଲାଭ ନାହିଁ। ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ସହ ଆପୋଷ ସମାଧାନ ଚାହୁଁଛନ୍ତି ତାହାଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ। ମାମଲା ଟ୍ରିବ୍ୟୁନାଲରେ ଥିବାରୁ ଉଭୟ ସରକାର ଆପୋଷ ସମାଧାନ କରିପାରିବେ କି ନାହିଁ ତାହା ସମୟ କହିବ। ତେଣୁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱନ ଦେଇଛି ବିଜେଡି। ଅନୁରୂପ ଭାବରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଅଛି। ତେଣୁ ରାଜ୍ୟ ସରକାର ଯଦି ଆନ୍ତରିକତା ପ୍ରକାଶ କରିବେ ତା ହେଲେ ବିବାଦ ସମାଧାନ ପାଇଁ ବାଟ ବାହାରି ପାରିବ। ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ସହ ସକାରାତ୍ମକ ଆଲୋଚନା କରି ମହାନଦୀକୁ ବିବାଦ ମୁକ୍ତ କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି। ଏ ପ୍ରସଙ୍ଗରେ ରାଜ୍ୟ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମହାନଦୀ ପାଇଁ ଆମ ସରକାର ଚିନ୍ତିତ ଅଛନ୍ତି। ଏହାର ସମାଧାନ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାନସଭାରୁ ନେଇ ସଂସଦ ପର୍ଯ୍ୟନ୍ତ ମହାନଦୀ ପାଇଁ ସ୍ୱର ଉଠାଇଛି ବିଜୁ ଜନତା ଦଳ। ମାତ୍ର ରାଜ୍ୟର ୨୦ ବିଜେପି ସାଂସଦଙ୍କ ପାଟି ଫିଟୁ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ବିଧାନସଭାରେ ମଧ୍ୟ ବିଜେଡି ବିଧାୟକ ଡ଼. ଅରୁଣ ସାହୁ ଏହି ପ୍ରସଙ୍ଗ ଉଠାଇ ‘ମହାନଦୀର ଚିଠି’ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶରେ ୨୦୧୮ରେ ଟ୍ରିବୁନାଲ ଗଠନ ହେଲା। ୫ ବର୍ଷ ଧରି ବିଚାର ହୋଇପାରିଲା ନାହିଁ ଏବେ ପୁଣି ୨୦୨୬ ଏପ୍ରିଲ ଯାଏଁ ସମୟ ବଢ଼ାଇଛନ୍ତି। ଦେଶରେ ୯ଟି ଟ୍ରିବୁନାଲ ଅଛି, କିନ୍ତୁ କିଛି କାମକୁ ନୁହେଁ। କାବେରୀ ଏହାର ସବୁଠାରୁ ବଡ଼ ଉଦାହରଣ। ଏହାକୁ ନେଇ ଟ୍ରିବୁନାଲ ଦେଇଥିବା ରାୟକୁ କେହି ମାନିଲେନି। ତେଣୁ ସ୍ପର୍ଶକାତର ମହାନଦୀ ପ୍ରସଙ୍ଗ କେବେ ସମାଧାନ ହେବ ତାହାକୁ ରାଜ୍ୟବାସୀ ଚାହିଁ ବସିଛନ୍ତି ।

About The Author: The Sakala