ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ହେବ ୧୨ ମହଲା ଅଟ୍ଟାଳିକା, ଗୋଟିଏ କୋଠାରେ ରହିବ ଓପିଡିଠାରୁ ଓଟି

କଟକ : ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ କରାଯାଉଛି। ପ୍ରତ୍ୟେକ ରୋଗୀ କିପରି ଉନ୍ନତ ଚିକିତ୍ସା ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପୂର୍ବଭାରତରେ କର୍କଟ ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସର୍ବବୃହତ୍‌‌ ସରକାରୀ ହସ୍ପିଟାଲ ଭାବେ ପରିଗଣିତ କଟକର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ (ଏଏଚ୍‌‌ପିଜିଆଇସି)ର ଭିତ୍ତିଭୂମିର ବିକାଶ କରାଯିବ। ଏଠାରେ ନିର୍ମାଣ ହେବ ଏକ ୧୨ ମହଲା କୋଠା। କିଛି ଦିନ ପୂର୍ବେ ପ୍ରତିଷ୍ଠାନର ପରିଚାଳନା କମିଟି ବୈଠକରେ ଏ ନେଇ ନିଷ୍ପତ୍ତି […]

କଟକ : ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ କରାଯାଉଛି। ପ୍ରତ୍ୟେକ ରୋଗୀ କିପରି ଉନ୍ନତ ଚିକିତ୍ସା ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପୂର୍ବଭାରତରେ କର୍କଟ ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସର୍ବବୃହତ୍‌‌ ସରକାରୀ ହସ୍ପିଟାଲ ଭାବେ ପରିଗଣିତ କଟକର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ (ଏଏଚ୍‌‌ପିଜିଆଇସି)ର ଭିତ୍ତିଭୂମିର ବିକାଶ କରାଯିବ। ଏଠାରେ ନିର୍ମାଣ ହେବ ଏକ ୧୨ ମହଲା କୋଠା। କିଛି ଦିନ ପୂର୍ବେ ପ୍ରତିଷ୍ଠାନର ପରିଚାଳନା କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ଓଡ଼ିଶା ବ୍ରିଜ୍‌‌ ଆଣ୍ଡ କନ୍‌‌ଷ୍ଟ୍ରକ୍ସନ କର୍ପୋରେସନ(ଓବିସିସି) ଲିମିଟେଡ୍‌‌କୁ ପ୍ରଦାନ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟ ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ବୋଲି ପ୍ରତିଷ୍ଠାନର ଜନୈକ ଅଧିକାରୀ କହିଛନ୍ତି। ଏସ୍‌‌ସିବି ମେଡିକାଲକୁ ଏମ୍ସ ପ୍ଲସ୍‌‌ରେ ପରିଣତ କରାଯିବ। ବଡ଼ ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ ଭିତରେ ଏଏଚ୍‌‌ପିଜିଆଇସିର ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯିବ। ପ୍ରତିଷ୍ଠାନ ପରିସରରେ ରହିଥିବା ଅନେକ ପୁରୁଣା କୋଠା ଭଙ୍ଗାଯିବ। ଆଉଟ୍‌‌ଡୋର(ଓପିଡି) କୋଠା, ପୁରୁଣା ଇନ୍‌‌ଡୋର କୋଠା, ରେଡ୍‌‌କ୍ରସ କୋଠା ସମେତ ଅନ୍ୟ କିଛି କୋଠା ମଧ୍ୟ ଉଚ୍ଛେଦ କରାଯିବ। ଏହା ପରିବର୍ତ୍ତେ ଏକ ବିଶାଳ ଯୋଜନା କାର୍ଯ୍ୟକାରୀ ହେବ। ଏଏଚ୍‌‌ପିଜିଆଇସି ମଧ୍ୟରେ ଏକ ୧୨ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରାଯିବ। ଯାହା ଭିତରେ ଉନ୍ନତ ଚିକିତ୍ସା ସେବା ଉପଲବ୍ଧ କରାଯିବ। ଗୋଟିଏ କୋଠାରେ ରହିବ ୧୩ଟି ବିଭାଗର ଅପରେସନ ଥିଏଟର(ଓ.ଟି)। ଏହାଛଡ଼ା ଏହି କୋଠାରେ ଆଉଟ୍‌‌ଡୋର, ଜରୁରିକାଳୀନ ବିଭାଗ, ପାଥୋଲୋଜି, ଇନ୍‌‌ଡୋର ମଧ୍ୟ କାର୍ଯ୍ୟ କରିବ। ଇତି ମଧ୍ୟରେ ଏଏଚ୍‌‌ପିଜିଆଇସିର ଶଯ୍ୟା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ସମ୍ପ୍ରତି ୫୦୦ ଶଯ୍ୟା ଥିବାବେଳେ ଏହା ୧ ହଜାର ଛୁଇଁବ। ଦୁଇ ବର୍ଷ ଭିତରେ ଏହି ଯୋଜନା କାର୍ଯ୍ୟକାରୀ ହେବ।

ଅନ୍ୟପକ୍ଷରେ ଏଠାରେ ଫାଙ୍କା ପଡ଼ିଥିବା ପଦଗୁଡ଼ିକ ତୁରନ୍ତ ପୂରଣ କରାଯିବା ଦିଗରେ ଗୁରୁତ୍ୱ ଦିଆଯାଉଛି। ପ୍ରକାଶଯୋଗ୍ୟ, ପାଲିଏଟିଭ୍‌‌ ମେଡିସିନ ବିଭାଗ ଖୋଲିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତବର୍ଷ ସବୁଜ ସଙ୍କେତ ମିଳିଥିଲା। ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ପାଲିଏଟିଭ ୟୁନିଟ୍‌‌ ବିଭାଗରେ ପରିଣତ ହେବ ବୋଲି ଘୋଷଣା କରାଯାଇଥିଲା। ବିଭାଗରେ ଡାକ୍ତର ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସିଷ୍ଟାଣ୍ଟ ପ୍ରଫେସର ପଦ ନିମନ୍ତେ ଅନେକ ପ୍ରାର୍ଥୀ ଆବେଦନ ମଧ୍ୟ କରିଥିଲେ। ହେଲେ କୌଣସି ପ୍ରାର୍ଥୀ ଜାତୀୟ ମେଡିକାଲ କମିସନ(ଏନ୍‌‌ଏମ୍‌‌ସି)ର ମାନଦଣ୍ଡ ପୂରଣ କରିପାରିଲେ ନାହିଁ। ଯେଉଁଥିପାଇଁ ପାଲିଏଟିଭ ମେଡିସିନ ବିଭାଗ ଖୋଲିବାରେ ବିଳମ୍ବ ହୋଇଥିଲା। ଜଣେ ମାତ୍ର ପ୍ରଫେସର ଏବେ ୟୁନିଟ୍‌‌ ଦାୟିତ୍ୱରେ ରହିଛନ୍ତି।

About The Author: The Sakala