ଭୁବନେଶ୍ୱର: ସ୍ମାର୍ଟ ସଲ୍ୟୁସନ୍ ଚାଲେଞ୍ଜ ଆଣ୍ଡ ଇନ୍କ୍ଲୁସିଭ ସିଟିଜ୍ ଆୱାର୍ଡ ଗ୍ରହଣ କରିଛି କ୍ରୁଟ୍। ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟ୍କୁ ଏହି ଆୱାର୍ଡ ମିଳିଛି। ଆୱାର୍ଡ ମିଳିବା ନେଇ ଗତ ୨୬ ଜୁଲାଇରେ ଘୋଷଣା କରାଯାଇଥିଲା। ଗୁରୁବାର ବିଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ଦିପ୍ତୀ ମହାପାତ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ହର୍ଦୀପ୍ ସିଂ ପୁରୀଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଜନସାଧାରଣଙ୍କ ସହଜ ଯାତାୟାତ ଏବଂ ବଜାରର ଚାହିଦା ଅନୁଯାୟୀ କ୍ର୍ରୁଟ୍ ‘ମୋ ବସ୍’ ସେବାରେ ଅଭିନବ ଓ ନିରାପଦ ଯାତ୍ରା ଯୋଗାଇ ଦେଉଛି। ଏଥିପାଇଁ କ୍ରୁଟ୍କୁ ଏହି ପୁରସ୍କାର ଦିଆଯାଇଛି।
ଏହି ଅବସରରେ କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ କ୍ରୁଟ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍ ସେବା ସାଧାରଣ ଜନତାଙ୍କ ବିଶ୍ୱାସଭାଜନ ହୋଇପାରିଛି। ଯାହାଦ୍ୱାରା ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ଯାନବାହାନ ବ୍ୟବହାର କରିବା ପରିବର୍ତ୍ତେ ସରକାରୀ ମୋ ବସ୍ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରୁଛନ୍ତି। କ୍ରୁଟ୍ ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ବରିଷ୍ଠ ନାଗରିକ ଯାତ୍ରୀମାନଙ୍କ ପାଇଁ ସଂରକ୍ଷିତ ସିଟ୍ ସହିତ ଟିକଟ୍ ମୂଲ୍ୟରେ ୫୦% ରିହାତି ଦେଉଛି। ମୋ ବସ୍ରେ ମହିଳାମାନଙ୍କ ପାଇଁ ସିଟ୍ ସଂରକ୍ଷଣ ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ଟିକଟ୍ ମୂଲ୍ୟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ମଧ୍ୟ ରହିଛି। ଓଡ଼ିଶାରେ ପ୍ରଥମଥର ପାଇଁ ଇଲେକ୍ଟ୍ରିକ୍ ଯାନ ନୀତିକୁ କାର୍ଯ୍ୟକାରୀ କରାଯିବା ସହିତ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ବିହୀନ ଇ-ବସ୍ ଏବଂ ଇ-ରିକ୍ସା ସେବା ଆରମ୍ଭ କରାଯାଇଛି ବୋଲି ସଂସ୍ଥା କହିଛି।
ଏହି ପୁରସ୍କାର ମିଳିବା ପରେ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ କ୍ର୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପାଇଁ କୃତଜ୍ଞତା ଜଣାଇବା ସହ ମୋ ବସ୍କୁ ଦୈନନ୍ଦିନ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହି ଆୱାର୍ଡ ମିଳିଛି ବୋଲି କହିଛନ୍ତି। କ୍ରୁଟ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍ ସେବା ଲିଙ୍ଗ, ବୟସ ଏବଂ ଦକ୍ଷତା ଅନୁଯାୟୀ ପ୍ରତିଟି ବର୍ଗର ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ୍ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜନପରିବହନ ଯାନକୁ ବ୍ୟବହାର କଲେ ଟ୍ରାଫିକ୍ ସମସ୍ୟାରେ ନିୟମିତ ସୁଧାର ଆସିପାରିବ ବୋଲି ଶ୍ରୀ କୁଲାଙ୍ଗେ କହିଛନ୍ତି।
ସେହିପରି କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ଦିପ୍ତୀ ମହାପାତ୍ର ଖୁସି ବ୍ୟକ୍ତ କରିବା ସହ କ୍ର୍ରୁଟ୍ ସର୍ବଦା ଯାତ୍ରୀମାନଙ୍କୁ ଏକ ଉତ୍ତମ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ଦେବାକୁ କାର୍ଯ୍ୟ ଜାରିରଖିଛି ବୋଲି କହିଛନ୍ତି। ଏହି ସମ୍ମାନଜନକ ଜାତିସଂଘ ପୁରସ୍କାର ଗ୍ରହଣ କରିବା ସାରାରାଜ୍ୟ ପାଇଁ ଏକ ଗର୍ବର ବିଷୟ। ବର୍ତ୍ତମାନ ମୋ ବସ୍ ସେବା ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ହୋଇପାରିଛି। ସହରାଞ୍ଚଳ ପରିବହନ କ୍ଷେତ୍ରରେ ମୋ ବସ୍ ସେବା ବିଶେଷ ପ୍ରଭାବୀ ହୋଇଥିବା ବେଳେ ସମସ୍ତ ଜନସାଧାରଣଙ୍କ ପାଖରେ ପହଞ୍ଚିପାରିଛି। ମୋ ବସ୍ ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ଥିବାରୁ ରାଜ୍ୟ ସରକାର ଓ ପ୍ରତ୍ୟେକ ଯାତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।