ଭୁବନେଶ୍ୱର: ସାରା ଦେଶର ଅପରାଧୀଙ୍କ ନଜର ଏବେ ରାଜଧାନୀ ଉପରେ ପଡ଼ିଛି। ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଅପରାଧୀମାନେ ଓଡ଼ିଶା ଆସି ଅପରାଧ ସାମ୍ରାଜ୍ୟକୁ ଅପରେଟ୍ କରୁଛନ୍ତି। ଅନେକ ସମୟରେ ରାଜଧାନୀରେ ଘଟୁଥିବା ହତ୍ୟା, ଚୋରି, ଡକାୟତି, ରାହାଜାନୀ ଭଳି ଘଟଣାରେ ରାଜ୍ୟ ବାହାର ଅଭିଯୁକ୍ତ ଗିରଫ ହେବାପରେ ଏହା ସ୍ପଷ୍ଟ ହୋଇଛି। ଏଥିସହିତ ଦେଶର ଯେ କୌଣସି ସ୍ଥାନରେ ବସି ରାଜଧାନୀରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର ଅପରାଧୀ। ସାଇବର ଠକେଇ ଅଭିଯୋଗରେ ରାଜ୍ୟ ବାହାର ଅନେକ ଅଭିଯୁକ୍ତଙ୍କୁ ଗିରଫ କଲାଣି ସାଇବର ଥାନା ପୁଲିସ। ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ତେଲଙ୍ଗାନା, ବିହାର, ଛତିଶଗଡ଼, କେରଳ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ମଣିପୁର, ଦିଲ୍ଲୀ ଓ ଜମ୍ମୁ-କଶ୍କୀର ଭଳି ରାଜ୍ୟର ଅପରାଧୀ ଆସି ରାଜଧାନୀରେ ରାଜୁତି କରୁଛନ୍ତି। ସେପଟେ ରାଜଧାନୀରେ ଘଟୁଥିବା ବିଭିନ୍ନ ଅପରାଧରେ ବାଂଲାଦେଶ, ନେପାଳ ଓ ନାଇଜେରିଆନ୍ ନାଗରିକଙ୍କ ସମ୍ପୃକ୍ତି ମିଳିଛି। ଦିନକୁ ଦିନ ସ୍ଥିତି ବିଗିଡ଼ିବା ସହ ଆନ୍ତଃରାଜ୍ୟ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବଢ଼଼ିଚାଲିଛି। ରାଜ୍ୟ ରାଜ୍ୟ ଭିତରେ ସମନ୍ୱୟ ଅଭାବ ଯୋଗୁଁଁ ରାଜଧାନୀରେ ରାଜ୍ୟ ବାହାର ଅପରାଧୀଙ୍କ ସଂଖ୍ୟା କ୍ରମଶଃ ବଢ଼଼ିବାରେ ଲାଗିଛି।
ସୂଚନାନୁସାରେ, ରାଜଧାନୀରେ ହେଉଥିବା ଚୋରି ଓ ଲୁଟ୍ ପଛରେ ବଙ୍ଗାଳୀ, ରାଜସ୍ଥାନୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶର ଚୋରମାନଙ୍କ ସମ୍ପୃକ୍ତି ଅନେକଥର ସାମ୍ନାକୁ ଆସିଛି। ଏଟିଏମ୍ ତାଡ଼ି ଲୁଟିବା ସହ ଏଟିଏମ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଭାଙ୍ଗି ବାଂଲାଦେଶୀ ଅପରାଧୀ ଗିରଫ ହୋଇଛନ୍ତି। ପୂର୍ବରୁ ତାମିଲନାଡୁର ‘ତ୍ରିଚି’ ଗ୍ୟାଙ୍ଗ ସହରରେ ଏବେ କାର୍ କାଚ ଭାଙ୍ଗି ଦାମୀ ଜିନିଷ ଲୁଟ୍ପାଟ୍ କରିଛନ୍ତି। ପାର୍କିଂସ୍ଥଳ ହେଉ କି ଜନଗହଳିପୂର୍ଣ୍ଣ ସ୍ଥାନରେ ପାର୍କିଂ କରାଯାଇଥିବା କାର୍ କାଚ ଭାଙ୍ଗି ଲୁଟ୍ କରିବାର ନଜିର ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜଧାନୀରେ ଅପରାଧ ଘଟାଉଥିବା ଅଣଓଡ଼ିଆ ଅପରାଧୀମାନେ ନିଜ ରାଜ୍ୟ ପୁଲିସର ୱାଣ୍ଟେଡ୍ ତାଲିକାରେ ରହିଛନ୍ତି। ସୁନାଚେନ୍ ଝାମ୍ପିନେବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣାରେ ଝାଡ଼ଖଣ୍ଡରୁ ରାଜୁ ନାଇଡୁକୁ ଗିରଫ କରିଥିଲା କମିସନରେଟ ପୁଲିସ। ରାଜୁ ଓ ତା’ର ସହଯୋଗୀ ଝାଡ଼ଖଣ୍ଡରେ ଅପରାଧ ଘଟାଉଥିବାବେଳେ ସେମାନଙ୍କୁ ଏନ୍କାଉଣ୍ଟର କରାଯାଇଥିଲା। ଏମିତିକି ରାଜୁର ସହଯୋଗୀ ମୋଷ୍ଟୱାଣ୍ଟେଡ୍ ଥିବାବେଳେ ତାକୁ ପଳାତକ ଘୋଷଣା କରାଯାଇଥିବା ଜଣାପଡ଼ିଥିଲା। କେବଳ ଏଇ ଗୋଟିଏ ଘଟଣା ନୁହଁ, ପୂର୍ବରୁ ଅନ୍ୟ ରାଜ୍ୟରେ ପଳାତକ ଘୋଷଣା ହୋଇଥିବା ଅପରାଧୀ ନାମ ଓ ଠିକଣା ପରିବର୍ତ୍ତନ କରି ଭୁବନେଶ୍ୱରରେ ଆତ୍ମଗୋପନ କରିଥିବାର ପ୍ରମାଣ ମଧ୍ୟ ମିଳିଛି। ହେଲେ ରାଜ୍ୟ ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବରୁ ଅନ୍ୟ ରାଜ୍ୟର ଅପରାଧୀମାନେ ଅତି ସହଜରେ ରାଜଧାନୀରେ ରହି ଅପରାଧ ଘଟାଉଛନ୍ତି।
ସାଇବର ଅପରାଧୀଙ୍କ ହଟ୍ସ୍ପଟ୍
ସାଇବର ଅପରାଧରେ ରାଜସ୍ଥାନର ଭରତପୁର, ଆଲିୱାର, ଉତ୍ତରପ୍ରଦେଶର ମଥୁରା, ହରିୟାଣାର, ଝାଡ଼ଖଣ୍ଡ, ଦିଲ୍ଲୀ ଓ ଗୁଜୁରାଟ ଆଦି ରାଜ୍ୟର ଅପରାଧୀଙ୍କ ସମ୍ପୃକ୍ତି ରହିଛି। କମିସନରେଟ ପୁଲିସ ସାଇବର ଠକେଇ ମାମଲାରେ ଉପରୋକ୍ତ ରାଜ୍ୟରୁ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏଭଳି କଥା ପଦାକୁ ଆସିଛି। ଗାଁ ଯୁବପି?ିଠାରୁ ମହିଳା ଜଙ୍ଗଲ ଓ ପର୍ବତ ଭଳି ନିକାଞ୍ଚନ ଅଞ୍ଚଳରେ ମୋବାଇଲ୍ ବୁଥ୍ ସେଣ୍ଟର ଖୋଲି ପୂରା ନେଟ୍ୱର୍କ ଚଳାଇଛନ୍ତି। ଦୁର୍ଗମ ଜଙ୍ଗଲରେ ରହି ସାରା ଦେଶରେ ଲୁଟ୍ କରୁଛନ୍ତି। ସାଇବର ଠକେଇ ମାମଲାରେ ନାଇଜେରିଆନ୍ ନାଗରିକ ବି ଗିରଫ ହୋଇଛନ୍ତି।
‘ବାୱରିଆ’, ‘ଫୌଜୀ’ ଓ ‘ଏରୋଗଲା’
ଉତ୍ତର ଭାରତରେ ଏକ ଜନଜାତି ବାୱରିଆମାନେ ପାରମ୍ପରିକ ଭାବରେ ଶିକାର କରି ଚଳନ୍ତି। ୧୯୯୫ରୁ ୨୦୦୬ ଯାଏଁ ତାମିଲନାଡୁରେ ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି କରୁଥିଲେ। ତାମିଲନାଡୁର ବାୱରିଆ ସମ୍ପ୍ରଦାୟର କୁଖ୍ୟାତ ଟ୍ରକ୍ ଚାଳକ ଭାବେ ବିଭିନ୍ନ ରାଜ୍ୟକୁ ଯାଇ ସେଠାରେ ଅପରାଧ ଘଟାନ୍ତି। ସେହିପରି ଜଣେ ଯବାନ ଗଢ଼ିଥିବା ଫୌଜୀ ନାମରେ ଗ୍ୟାଙ୍ଗ୍ ବି ସମାନ ଭାବେ ଅପରାଧ ଘଟାଇଥାନ୍ତି। ସେହିପରି ଆନ୍ଧ୍ରପ୍ରଦେଶର ଏରୋଗଲା ଗ୍ୟାଙ୍ଗ୍ ମଧ୍ୟ ରାଜଧାନୀରେ ବେଶ୍ ସକ୍ରିୟ। ଗାଡ଼ିରୁ ମୋବିଲ୍ ବାହାରୁଛି କହିବା ପରେ କାର୍ ଚାଳକ ଗାଡ଼ିରୁ ଓହ୍ଲାଇ ଦେଖିବା ସମୟରେ ସେମାନେ କାର୍ରେ ଥିବା ଦାମୀ ଜିନିଷ ଲୁଟି ନିଅନ୍ତି।
କାର୍ କାଚ ଭାଙ୍ଗି ଲୁଟ୍ ପଛରେ ‘ତ୍ରିଚି’ ଗ୍ୟାଙ୍ଗ
ରାଜଧାନୀରେ ତାମିଲନାଡ଼ୁର ତ୍ରିଚି ଗ୍ୟାଙ୍ଗ ସଦସ୍ୟ ମଧ୍ୟ ବେଶ୍ ସକ୍ରିୟ। ପୂର୍ବରୁ ମଧ୍ୟ ସେମାନେ ଅନେକ ଲୁଟ୍ କରିଛନ୍ତି। କୌଣସି ଲୁଟ୍ କରିବା ସମୟରେ ୪ ବା ଅଧିକ ସଦସ୍ୟ ଯାଇଥାନ୍ତି। ସହର ସାରା ଚାଲି ଚାଲି ବୁଲି ପାର୍କିଂ ହୋଇଥିବା କାରକୁ ଠାବ କରନ୍ତି। ପ୍ରଥମେ ଜଣେ କାର ନିକଟକୁ ଯାଇ କେଉଁ ପଟକୁ ଭ୍ୟାନିଟ୍, ବ୍ୟାଗ୍ କିମ୍ୱା ଅନ୍ୟ କୌଣସି ଜିନିଷ ରଖାଯାଇଛି ସେନେଇ ସୂଚନା ଦେଇ ଆଗକୁ ପଳାଇଯାଏ। ଦ୍ୱିତୀୟ ଜଣକ ସାଇକଲ ବେରିଂ ବଲ୍ (ଆଇରନ୍ ବଲ) ଓ ହାତ ତିଆରି ଫିତାରେ କାଚକୁ ଭାଙ୍ଗି ଚାଲିଯାଏ। ଏହାପରେ ତୃତୀୟ ଜଣକ କାର ପାଖ ଦେଇ ଯିବାବେଳେ କହୁଣି ଓ ଛିଟିକିଣି ମାରି କାଚକୁ ଭଲ ଭାବରେ ଭାଙ୍ଗି ଦେଉଥିଲା। ଚତୁର୍ଥ ଜଣକ କାରରେ ଥିବା ସବୁ ମୂଲ୍ୟବାନ ଜିନିଷ ଲୁଟି ନେଉଥିଲା। ଏହାପରେ ୪ ଅଭିଯୁକ୍ତ ମିଶି ଘଟଣାସ୍ଥଳରୁ ଫେରାର ହୋଇଯାଆନ୍ତି।