ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ପୁଣିଥରେ କଡାକଡି ହେବ କରୋନା କଟକଣା। ଦେଶରେ କିଛି ରାଜ୍ୟରେ ପୁଣିଥରେ କରୋନା କାୟା ବିସ୍ତାର କରିବାରୁ ସତର୍କତା ଦୃଷ୍ଟିରୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠିଲେଖି ଜଣାଇଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏନେଇ ପୁଣିଥରେ କରୋନା କଟକଣାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆଜି ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ଗୁଡ଼ିକରେ କରୋନା ପାଇଁ କଟକଣା କଡ଼ାକଡ଼ି କରି ଦିଆଯିବ। ମାସ୍କ ଓ ସାମାଜିକ ଦୂରତା ଚେକିଂ କଡାକଡି ହେବ। ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ଏଥି ପାଇଁ କମିସନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ କାର୍ଯ୍ୟ କରୁଛି । ଆମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।
ଦେଶରେ ପୁଣିଥରେ କରୋନା ଲେଉଟାଣି କରିଛି। ମହାରାଷ୍ଟ୍ର ସହିତ କେରଳ, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବା ପରେ ଅନ୍ୟ ରାଜ୍ୟର ଚିନ୍ତା ବଢ଼ିଯାଇଛି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଗତକାଲି ଜିଲ୍ଲାପାଳ, ପୌରପାଳିକାର କମିସନର, ମୁଖ୍ୟ ଚିକିତ୍ସା ଅଧିକାରୀ, ଏସ୍ପିଙ୍କୁ ଚିଠି ଲେଖି ସତର୍କମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି।