ଭୁବନେଶ୍ବର : କଲେଜ, ସରକାର ଓ ପ୍ରଶାସନ ପାଖରୁ ନ୍ୟାୟ ନପାଇ ଶେଷରେ ଆଖି ବୁଜିଛି ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ତେବେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ କଲେଜ, ସରକାର ଓ ପ୍ରଶାସନକୁ ଦାୟୀ କରାଯାଉଛି। କାରଣ ଦୀର୍ଘଦିନରୁ ନ୍ୟାୟ ପାଇଁ ଲଢେଇ କରୁଥିଲେ ସୌମ୍ୟାଶ୍ରୀ। ପୁଲିସଠୁ ନେଇ ସାଂସଦଙ୍କ ପାଖରେ ନ୍ୟାୟ ପାଇଁ ଗୁହାରି କରିଥିଲେ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଶିକ୍ଷାବିଭାଗକୁ ଟ୍ବିଟ୍ କରି ନ୍ୟାୟ ଭିକ୍ଷା କରିଥିଲେ, ହେଲେ କେହି ତାହାକୁ ଗୁରୁତ୍ବ ଦେଇନଥିଲେ।
ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସରକାରଙ୍କ ଦାୟିତ୍ବହିନତା ପାଇଁ ଆଜି ଝିଅଟିର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଶୋକ ପ୍ରକାଶ କରିବା ସହ ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ବିଜେପି ରାଜ୍ୟରେ ସରକାର ଚଳାଇପାରୁନଥିବାରୁ ଶାସନରୁ ଓହରିଯିବା ଦରକାର। ରାଜ୍ୟରେ ମହିଳା ଅସୁରକ୍ଷିତ, ସୁରକ୍ଷା ଦେବାକୁ ସରକାରଙ୍କର ନୈତିକତା ନାହିଁ। ତାଙ୍କ ଦଳର ଝିଅକୁ ହତ୍ୟା କରିଛନ୍ତି ବିଜେପି ସରକାର ବୋଲି ଅଭିଯୋଗ କରିଛନ୍ତି ଭକ୍ତ ଦାସ।
ସେପଟେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ, ବାଲେଶ୍ବର ବିଧାୟକଙ୍କ ଇସ୍ତଫା ଦାବି କରିବା ସହ ୧୭ରେ ଓଡ଼ିଶା ବନ୍ଦରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି ପିସିସି ସଭାପତି। ୮ଟି ରାଜନୈତିକ ଦଳ ୧୭ତାରିଖ ବନ୍ଦ ଡାକରା ଦେଇଥିବା ପିସିସି ସଭାପତି ଘୋଷଣା କରିଛନ୍ତି। ଏଥି ସହିତ ଆଜି ସବୁ କଲେଜ, ବିଶ୍ଵ ବିଦ୍ୟାଳୟ ବନ୍ଦ କରିବାକୁ ଛାତ୍ର ସମାଜକୁ ଅପିଲ କରିଛନ୍ତି ପିସିସି ସଭାପତି ।