ଭୁବନେଶ୍ୱର: ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଓ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ତଥା ମୁଖ୍ୟ ସଚେତକ ଭାବେ ନିଯୁକ୍ତି ପରେ ଶଙ୍ଖ ଭବନରେ ଉଭୟଙ୍କୁ ଦଳ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ଉଭୟ ସାଂସଦ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ ସହ ମିଳିଥିବା ଦାୟିତ୍ୱର ସୁଚାରୁ ସମ୍ପାଦନ ନିମନ୍ତେ ନିଜର ସାଧ୍ୟମତେ ଉଦ୍ୟମ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।
ସୋମବାର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରଦୀପ ଅମାତ ପ୍ରମୁଖ ଉଭୟ ମାନସ ଓ ସୁଲତାଙ୍କୁ ସ୍ୱାଗତ ସହ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ମଙ୍ଗରାଜ କହିଥିଲେ ଯେ ମୋ ଉପରେ ଭରସା ଏପରି ଗୁରୁ ଦାୟିତ୍ୱ ଅର୍ପଣ କରିଥିବାରୁ ମୁଁ ଦଳର ସଭାପତି ନବୀନ ପଟ୍ଟନାୟକ, ସମସ୍ତ ନେତୃମଣ୍ଡଳୀ ଓ ଅଗଣିତ କର୍ମୀଙ୍କ ନିକଟରେ କୃତଜ୍ଞ । ବିଜୁ ଜନତା ଦଳର ସାଂସଦ ମାନେ ସଂସଦରେ ନିଷ୍ଠାର ସହିତ ରାଜ୍ୟର ହିତ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ଆସୁଛନ୍ତି। ବିଜେଡି ସାଂସଦମାନଙ୍କର ପ୍ରଦର୍ଶନ ଓ ଶୃଙ୍ଖଳା ସଂସଦରେ ସବୁ ସମୟରେ ଆଦୃତ ହୋଇଛି। ଆଗାମୀ ଦିନରେ ମଧ୍ୟ ରାଜ୍ୟର ହିତରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସାଂସଦମାନଙ୍କ ସ୍ୱର ନିଶ୍ଚିତ ଭାବେ ଶାଣିତ ରହିବ ବୋଲି ମାନସ କହିଥିଲେ।
ସେହିପରି ସୁଲତା ଦେଓ କହିଥିଲେ ଯେ ଦଳର ନେତା ମୋତେ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ମୋର ନେତା ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ଦଳର ସଭାପତି ଯେତେବେଳେ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି, ଜଣେ ଦାୟିତ୍ୱବାନ ସୈନିକ ହିସାବରେ ମୁଁ ସେହି ଦାୟିତ୍ୱକୁ ନିଷ୍ଠାର ସହିତ ତୁଲାଇଛି । ତେଣୁ ଏହି ଦାୟିତ୍ୱକୁ ମଧ୍ୟ ମୁଁ ନିଷ୍ଠାର ସହିତ ତୁଲାଇବା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି। ଏହି ଅବସରରେ ବିଜେଡି ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ପ୍ରମୁଖ ଉଭୟ ଶ୍ରୀ ମଙ୍ଗରାଜ ଓ ଶ୍ରୀମତୀ ଦେଓଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ।